ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସର୍ବଭାରତୀୟ ୬୧ ତମ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସମ୍ମିଳନୀ
  • ଦୀର୍ଘ ୧୬ବର୍ଷ ପରେ ଓଡ଼ିଶାରେ ତୃତୀୟଥର ପାଇଁ ଏହି ସମ୍ମିଳନୀ
  • ସବୁ କ୍ଷେତ୍ରରେ ଜାତୀୟ ହାରଠାରୁ ଓଡ଼ିଶାର ସଫଳତା ଉତ୍ସାହଜନକ : ମୁଖ୍ୟମନ୍ତ୍ରୀ

ନିରାପଦ ମାତୃତ୍ଵ, ଟିକାକରଣ, ମାଆ ଓ ଶିଶୁ ମୃତ୍ୟୁହାର କମାଇବା ପ୍ରଭୃତି କ୍ଷେତ୍ରରେ ଜାତୀୟ ହାରଠାରୁ ଓଡ଼ିଶା ଆଶାତୀତ ସଫଳତା ହାସଲ କରିଛି। ଆଗାମୀ ଦିନରେ ରାଜ୍ୟବାସୀଙ୍କୁ ଅଧିକ ଓ ଉନ୍ନତମାନର ସ୍ଵାସ୍ଥ୍ୟସେବା ଯୋଗାଇ ଦେବାପାଇଁ  ରାଜ୍ୟ ସରକାରଙ୍କ ପକ୍ଷରୁ ନିରନ୍ତର ପ୍ରୟାସ ଜାରିରହିଛି ବୋଲି ଭାରତୀୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସଂଘ (ଏଫ୍ଓଜିଏସ୍ଆଇ) ଆନୁକୂଲ୍ୟରେ  ଓଡ଼ିଶା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସଂଘ (ଏଓଜିଓ) ପକ୍ଷରୁ ସର୍ବଭାରତୀୟ ୬୧ ତମ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସମ୍ମିଳନୀକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ପାଞ୍ଚଦିନଧରି ଚାଲିବାକୁ ଥିବା ଏହି ସମ୍ମିଳନୀର ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ରାଜ୍ୟବାସୀଙ୍କୁ  ଉନ୍ନତ ସ୍ଵାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୭ଟି ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି।  ବର୍ତ୍ତମାନ ସୁଦ୍ଧା କୋରାପୁଟ ଓ ବାଲେଶ୍ଵରରେ ଦୁଇଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଛି। ଅନ୍ୟଗୁଡିକ କାମ ଚାଲିଛି। ରାଜ୍ୟ ସରକାରଙ୍କ ନିଜସ୍ଵ ମମତା ଯୋଜନାର ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଲେ, ବର୍ତ୍ତମାନ ସୁଦ୍ଧା ୩୦ଲକ୍ଷ ଗର୍ଭବତୀ ମହିଳା ଉପକୃତ ହୋଇଛନ୍ତି। ଏହି ଯୋଜନାର ସଫଳତା ପରେ କେନ୍ଦ୍ର ସରକାର ଏଭଳି ଯୋଜନା କରିଥିବାରୁ ରାଜ୍ୟପାଇଁ ଖୁସିର କଥା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

୮ ହଜାରରୁ ଅଧିକ ବିଶେଷଜ୍ଞ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ୟୁରୋପ ତଥା ଦକ୍ଷିଣ ଏସିଆ ରାଷ୍ଟ୍ରର ୫୫ଜଣ ପ୍ରଖ୍ୟାତ ସ୍ତ୍ରୀ ରୋଗ ବିଶେଷଜ୍ଞ ଏହି ସମ୍ମିଳନୀରେ ଯୋଗଦେଇଛନ୍ତି। ଦୀର୍ଘ ୧୬ବର୍ଷ ପରେ ଓଡ଼ିଶାରେ ତୃତୀୟଥର ପାଇଁ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି।

ଏହି ସମ୍ମିଳନୀ ପାଇଁ ଜନତା ମଇଦାନରେ ଅସ୍ଥାୟୀ ୯ଟି ସମ୍ମିଳନୀ କକ୍ଷ, ୨୦୦ଟି ପ୍ରଦର୍ଶନୀ କକ୍ଷ ସମେତ ପଞ୍ଜିକରଣ ଓ ଅତିଥି ସତ୍କାର କକ୍ଷ ତିଆରି କରାଯାଇଛି।

ଭାରତୀୟ ସ୍ତ୍ରୀ ରୋଗ ବିଶେଷଜ୍ଞ ସଂଘର ସଭାପତି  ଡାକ୍ତର ରେସମା ପାଇକ୍ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘଟନ ଉତ୍ସବରେ  ରାଜ୍ୟ ସ୍ଵାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ରାଜ୍ୟରେ ଚାଲିଥିବା ସ୍ଵାସ୍ଥ୍ୟ ସେବାର ସଫଳତା ଉପରେ ଆଲୋକପାତ କରିଥିଲେ।

 

Comment