ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବିଜୁ ଗାଁଗାଡ଼ି ଯୋଜନାରେ ୩୮ ଆସନ ବିଶିଷ୍ଠ ଏକ ଘରୋଇ ବସ୍
  • ଦିନକୁ ଦୁଇଥର ଚଳାଚଳ କରିବ

କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ କୁଟିଆକୁ ଗଡିଛି ବିଜୁ ଗାଁ ଗାଡ଼ି। ବିଜୁ ଗାଁଗାଡ଼ି ଯୋଜନାରେ ୩୮ ଆସନ ବିଶିଷ୍ଠ ଏକ ଘରୋଇ ବସ୍ ପ୍ରଥମ ଦିନରେ କୁନ୍ଦୁଲି ହାଟ ପଡିଆରୁ କୁଟିଆ ଅଭିମୁଖେ ଯାତ୍ରା କରିଥିଲା।

ଏହି ବସ୍ ପ୍ରତିଦିନ ତଳଗୁଲୁରୁଠାରୁ ସକାଳ ୬.୩୦ରେ ବାହାରି କୁଟିଆ ଯିବ। ସେଠାରୁ ଯାତ୍ରୀମାନଙ୍କୁ ନେଇ କୋରାପୁଟ ପର୍ଯ୍ୟନ୍ତ ଯିବ। ଦିନକୁ ଦୁଇଥର ଏହି ବସ୍ ଚଳାଚଳ କରିବ।

କୁନ୍ଦୁଲି ସାପ୍ତାହିକ ହାଟ ପଡ଼ିଆରେ ପଟାଙ୍ଗୀ ବିଧାୟକ ତଥା କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପାଙ୍ଗୀ ଏହି ବସ୍ ସେବା ଆରମ୍ଭ କରିଥିଲେ। କୁନ୍ଦୁଲି ହାଟରୁ କିଛି ଯାତ୍ରୀଙ୍କୁ ନେଇ ବସ୍ କୁଟିଆ ଅଭିମୁଖେ ଗଲାବେଳେ ଲୋକମାନେ ବେଶ୍ ଖୁସି ହୋଇଯାଇଥିଲେ।

ଆନ୍ଧ୍ର ପ୍ରଦେଶ ସୀମାକୁ ଲାଗିରହିଥିବା ପଟାଙ୍ଗୀ ବ୍ଲକର କୁଟିଆକୁ ନେଇ ବିବାଦ ଲାଗିରହିଛି। ଆନ୍ଧ୍ରର ବରିଷ୍ଠ ସରକାରୀ କର୍ମଚାରୀ ଓ ରାଜନୀତିକ ନେତାମାନେ କୁଟିଆ ଗ୍ରାମବାସୀଙ୍କୁ  ଭତ୍ତା ଓ କମ୍ବଳ ବାଣ୍ଟିବା ଘଟଣା କୋରାପୁଟ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଜଣାଇଥିଲେ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କୁଟିଆରେ ନିର୍ମାଣ ହୋଇଥିଲା ରାସ୍ତା। ରାସ୍ତା ନିର୍ମାଣ ସରିବା ପରେ ଏବେ ସେଠାକୁ ବସ୍ ଯାତାୟାତ ଆରମ୍ଭ ହୋଇଛି। ତଳଗୁଲୁରୁ ପଞ୍ଚାୟତ ଅଫିସ୍‌ଠାରୁ ଏହି ଗାଡ଼ି ପ୍ରତିଦିନ ଚଳାଚଳ କରିବ।

କୁଟିଆ ଲୋକମାନଙ୍କୁ ଜିଲ୍ଲା ସଦର ମହକୁମା କୋରାପୁଟରେ ପହଞ୍ଚାଇବା ଲକ୍ଷ୍ୟରେ ବିଜୁ ଗାଁଗାଡ଼ି ବେଶ୍ ସହାୟକ ହୋଇପାରିବ। ଏଣିକି କୁଟିଆ ଲୋକମାନେ ସ୍ଵାସ୍ଥ୍ୟସେବା, ପ୍ରଶାସନିକ ସେବା ପାଇବାରୁ ଆଉ ବଞ୍ଚିତ ହୋଇପାରିବେ ନାହିଁ ବୋଲି ଏହି ସେବା ଉଦ୍‌ଘାଟନ କରି ବିଧାୟକ ଶ୍ରୀ ପାଙ୍ଗୀ କହିଥିଲେ।

ବିଜୁ ଗାଁଗାଡ଼ି କୁଟିଆରେ ପହଞ୍ଚିବା ପରେ ଲୋକମାନେ ସ୍ଵାଗତ କରିଥିଲେ। ବିଶେଷ କରି ଛାତ୍ରଛାତ୍ରୀ ଓ ଯୁବପିଢି ଖୁସିରେ ନାଚିଥିଲେ। ସେଠାରେ ଆୟୋଜିତ ଏକ ସଭାରେ ବିଧାୟକ ଶ୍ରୀ ପାଙ୍ଗୀଙ୍କ ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ବିଧାୟକ ରାଜ୍ୟ ସରକାରଙ୍କ ଜନ ହିତକର ଯୋଜନା ସମ୍ପର୍କରେ କୁଟିଆବାସୀଙ୍କୁ ବୁଝାଇବା ସହ କୁଟିଆରୁ କୋରାପୁଟ ଅଭିମୁଖେ ଆଉ ଏକ ବସ୍‌ ଚଳାଚଳ କରିବ ବୋଲି କହିଥିଲେ। ଫଳରେ ଉଭୟ ପାର୍ଶ୍ଵରୁ ବସ୍ ଚଳାଚଳ ହେଲେ ଲୋକମାନେ ସେମାନଙ୍କ କାର୍ଯ୍ୟ ଶେଷକରି ଘରେ ଠିକ୍ ସମୟରେ ପହଞ୍ଚି ପାରିବେ ବୋଲି ସେ କହିଥିଲେ।

ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଳକ ଅନ୍ତର୍ଗତ କୁଟିଆ ପଞ୍ଚାୟତର ୨୧ଟି ଗାଁକୁ ନେଇ ବିବାଦ ଲାଗିରହିଛି। ଏହି ଗାଁଗୁଡିକୁ ଦଖଲ କରିବା ପାଇଁ ଆନ୍ଧ୍ର ସରକାର ଉଦ୍ୟମ ଚଳାଇଛନ୍ତି। ଏହା ବିରୋଧରେ ଓଡ଼ିଶା ସରକାର ସୁପ୍ରିମ୍‌କୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି।  ଦୀର୍ଘ ୪୯ ବର୍ଷଧରି ଏହି ମାମଲା ବିଚାରାଧୀନ ରହିଛି।  ତେରେ ଆନ୍ଧ୍ର ସରକାର ଲୋକଙ୍କୁ ପ୍ରଭାବିତ କରି ଏହି ଗାଁଗୁଡିକ ଦଖଲ କରିବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି। କେବଳ ସେତିକି ନୁହେଁ, ଏହି ୨୧ଗାଁକୁ ଆନ୍ଧ୍ର ସରକାର ୪ଟି ପଞ୍ଚାୟତରେ ବିଭକ୍ତ କରିଛନ୍ତି।

କୁଟିଆ ପଞ୍ଚାୟତକୁ ନେଇ ୧୯୬୧ ମସିହାରେ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଦେଖା ଦେଇଥିଲା। ୧୯୬୮ ମସିହାରେ ଏହି ବିବାଦ ସୁପ୍ରିମ୍‌କୋର୍ଟରେ ପହଞ୍ଚିଥିଲା। ଓଡ଼ିଶା ସରକାର ଏହି ପଞ୍ଚାୟତର ୨୧ ଗାଁରେ ବିକାଶ ଜାରି ରଖିଥିବା ବେଳେ ଆନ୍ଧ୍ର ସରକାର ମିଛରେ ଲୋକଙ୍କୁ ଭୂଆଁ ବୁଲାଉଛି ବୋଲି ପଟାଙ୍ଗୀ ବ୍ଲକ୍ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ କୁଟିଆ ପଞ୍ଚାୟତରେ ୧୫୦ ପରିବାରକୁ ଇନ୍ଦିରା ଆବାସ ଦିଆଯାଇଛି। ୧୦୦ ଲୋକ ପାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା। ଜଙ୍ଗଲ ଜମି ଅଧିକାର ଆଇନ ଅନୁସାରେ ୯୪୫ ଜଣଙ୍କୁ ପଟା ଦିଆଯାଇଛି। ଚାଷ କରି ଜୀବିକା ନିର୍ବାହ ପାଇଁ ୯୪୫ ଜଣଙ୍କୁ ଜମି ଦିଆଯାଇଥିବା ସେ କହିଛନ୍ତି।

Comment