ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଓଡ଼ିଶା କୌଶଳ ବିକାଶ ସଂସ୍ଥା ଓ ଟାଟା ଷ୍ଟ୍ରିଭ୍ ମଧ୍ୟରେ ଚୁକ୍ତି ସ୍ଵାକ୍ଷରିତ
  • ୧୦ଟି ସରକାରୀ ଆଇଟିଆଇରେ ଅତ୍ୟାଧୁନିକ ତାଲିମ୍, ଶିକ୍ଷା, ନିଯୁକ୍ତି ପ୍ରଶିକ୍ଷଣ ଦିଆଯିବ
  • ୨ ବର୍ଷରେ ୫୦୦୦ ପିଲା ଉପକୃତ ହୋଇପାରିବେ

ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପାଇଁ ଓଡ଼ିଶା କୌଶଳ ବିକାଶ ସଂସ୍ଥା ଓ ଟାଟା ଷ୍ଟ୍ରିଭ୍ ମଧ୍ୟରେ ଚୁକ୍ତି ସ୍ଵାକ୍ଷରିତ ହୋଇଛି।

ରାଜ୍ୟରେ ଥିବା ଆଇଟିଆଇ କଲେଜ ଗୁଡିକରେ ଆଉ ୫ ହଜାର ସିଟ୍ ବଢିବ। ଆସନ୍ତା ୨ ବର୍ଷ ଭିତରେ ଏସବୁ ସିଟ୍ କଲେଜ୍ ଗୁଡିକରେ ଉପଲବ୍ଧ ହେବ। ଏଥିସହିତ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯିବ। ଏନେଇ ରାଜ୍ୟ ସରକାର ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ଵାକ୍ଷରିତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୁପକ୍ଷ, ଟାଟା ଷ୍ଟ୍ରିଭ୍, ଟାଟା କମ୍ୟୁନିଟି ଇନିସିଏଟିଭ୍ ଟ୍ରଷ୍ଟ୍ ଓ ସସ୍ମିତା ବାଗର୍ଚିଙ୍କ ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି।

୧୦ଟି ସରକାରୀ ଆଇଟିଆଇରେ ଅତ୍ୟାଧୁନିକ ତାଲିମ୍, ଶିକ୍ଷା, ନିଯୁକ୍ତି ପାଇଁ ପ୍ରଶିକ୍ଷଣ ଦିଆଯିବ। ଏଥିପାଇଁ ପ୍ରତିଷ୍ଠିତ ଓଡ଼ିଆ ଲେଖିକା ସସ୍ମିତା ବାଗର୍ଚି ୪ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଏହାଦ୍ଵାରା ୨ ବର୍ଷରେ ୫୦୦୦ ପିଲା ଉପକୃତ ହୋଇପାରିବେ ବୋଲି ଜଣାପଡିଛି।

ଚୁକ୍ତି ଅନୁସାରେ ଆଇଟିଆଇ କଲେଜ ଗୁଡିକର ଭିତ୍ତିଭୂମି ସଜଡାଯିବା ସହ ଏହାର ଆଧୁନିକୀକରଣ କରାଯିବ। ଏଥିସହ ସମସ୍ତ ପ୍ରକାର ଉପକରଣ ଯୋଗାଇ ଦିଆଯିବ। କଲେଜରେ ଉନ୍ନତମାନର ହଷ୍ଟେଲ୍ ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଓ ପ୍ରଶିକ୍ଷଣ ସହ କୁଶଳୀ ତାଲିମ ଦିଆଯିବ।

ଟାଟା ଷ୍ଟ୍ରିଭ୍ ଛାତ୍ରଛାତ୍ରୀଙ୍କୁ କର୍ମ ନିୟୋଜନ ଦକ୍ଷତା ଉପରେ ପ୍ରଶିକ୍ଷଣ ଦେବ। ୨ ବର୍ଷ ଭିତରେ ୮ ହଜାର ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ଦିଆଯିବ।

କଟକ, ବ୍ରହ୍ମପୁର, ଭୁବନେଶ୍ଵର, ଆନନ୍ଦପୁର, ଯାଜପୁର, ଫୁଲବାଣୀ, ଉମରକୋଟ, ପୁରୀର ଜିଆଇଟିଆଇ, କଲେଜରେ ଏହି ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଟାଟା ଷ୍ଟ୍ରିଭ୍ ଓ ସସ୍ମିତା ବାଗର୍ଚି ଉଭୟ ୮ କୋଟି ଟଙ୍କା ଖର୍ଚ୍ଚ କରିବେ।

ରାଜ୍ୟରେ ୪୯ ସରକାରୀ ଆଇଟିଆଇ କଲେଜ୍ ରହିଛି। ଏସବୁ କଲେଜ ଗୁଡିକରେ ୧୬,୬୯୯ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୨୧ ନୂଆ ସରକାରୀ ଆଇଟିଆଇ କଲେଜ୍ ନିର୍ମାଣାଧୀନ ରହିଛି।

ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା କୌଶଳ ବିକାଶ ସଂସ୍ଥା ଭଲ କାମ କରୁଛି। ନିକଟ ଭବିଷ୍ୟତରେ ଅନେକ ବିକାଶମୂଳକ କାର୍ଯ୍ୟ କରିବାକୁ ମଧ୍ୟ ଯାଉଛି। ସ୍ଵାକ୍ଷରିତ ହୋଇଥିବା ଚୁକ୍ତି ଦ୍ଵାରା ଅନେକ ପିଲା ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଏହି ସଭାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସତ୍ସ୍ମିତା ବାଗର୍ଚି, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ, ଟାଟା ଷ୍ଟ୍ରିଭର ଚିଫ୍ ଅଫରେଟିଙ୍ଗ ଅଫିସର୍ ଅନୀତା ରାଜନ୍, ଯୋଜନା ଓ ସମନ୍ଵୟ ମନ୍ତ୍ରୀ ଉଷା ଦେବୀ, ଯୋଜନା ବିକାଶ ଓ ତାଲିମ୍ ଶିକ୍ଷାର ପ୍ରମୁଖ ସଚିବ ସୁଶାନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

 

Comment