ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶାଖାପାଟଣା:  ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ସୀମାନ୍ତର ନକ୍ସଲ ପ୍ରବଣ ପଞ୍ଚାୟତରେ ପହଞ୍ଚିଲେ ବିଶାଖାପାଟଣା ଜିଲ୍ଲାପାଳ ପ୍ରବୀଣ କୁମାର ଓ ଗ୍ରାମାଞ୍ଚଳ ଏସ୍‌ପି ରାହୁଲ ଦେବ ଶର୍ମା। ବିଶାଖାପାଟଣା ଜିଲ୍ଲାର ୧୦ ଟି ପଞ୍ଚାୟତର ଆଦିବାସୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି ପ୍ରଶାସନିକ ଅଧିକାରୀ। ପ୍ରବୀଣ କୁମାର ହେଉଛନ୍ତି ପ୍ରଥମ ଜିଲ୍ଲାପାଳ ଯିଏ ମାଓବାଦୀ ଅଧ୍ୟୁଷିତ ପଞ୍ଚାୟତକୁ ଯାଇଥିଲେ।

ଜିଲ୍ଲାପାଳ ଏବଂ ଏସପି ବିଶାଖାପାଟଣା ଜିଲ୍ଲାର ମୁଚିଂପୁଟ, ପେଦାବାୟାଳୁ, ରୁଦ୍ରକୋଟା ମଣ୍ଡଳର ୧୦ଟି ପଞ୍ଚାୟତର ବାସିନ୍ଦାଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ମୁଚିଂପୁଟ ମଣ୍ଡଳର ୪୦ କିଲୋମିଟର ଦୂରରେ ଥିବା ପଞ୍ଚାୟତ ବୁଲିଥିଲେ।

ଦୁର୍ଗମ ଅଞ୍ଚଳରେ ରହିଛି ଏହି ପଞ୍ଚାୟତ। ଦେଶ ସ୍ବାଧୀନତା ହେବା ଦିନରୁ କୌଣସି ସରକାରୀ ଅଧିକାରୀ ଏଠାକୁ ଆସି ନଥିବା ଜଣାପଡ଼ିଛି। ହେଲେ ଜିଲ୍ଲାପାଳ ପ୍ରବୀଣ କୁମାର ଏହି ପଞ୍ଚାୟତକୁ ଆସି ଉଦାହରଣ ସୃଷ୍ଟି କରିଛନ୍ତି।

ଜିଲ୍ଲାପାଳ ଏବଂ ଏସପିଙ୍କ ନେତୃତ୍ବରେ ଆସିଥିବା ଟିମ ୧୦ ଟି ପଞ୍ଚାୟତର ୭୦ଟି ଗ୍ରାମର ୨୦୦୦ ଆଦିବାସିଙ୍କୁ ଭେଟିଥିଲେ। ଗମନାଗମନ, ଶିକ୍ଷା, ପିଇବା ପାଣି, ସ୍ଵାସ୍ଥ୍ୟ ସେବା, ସରକାରୀ ସହାୟତା ମିଳୁଛି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ।

ଏହି ଦୁର୍ଗମ ଅଞ୍ଚଳର ପିଲାମାନଙ୍କୁ ପାଠ ପଢ଼ାଇବା ଉପରେ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ। ଏହି ଗ୍ରାମର ପିଲଶଙ୍କୁ ପାଠ ପଢ଼ଶଇବା ପାଇଁ ପଡ଼ୋଶୀ ଗ୍ରାମରୁ କିଛି ଶିକ୍ଷିତ ଯୁବକଙ୍କୁ ବଛାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ।

ସେଠାରେ ଜିଲ୍ଲାପାଳ ପିଲାମାନଙ୍କୁ କ୍ରୀଡ଼ା ଉପକରଣ ପ୍ରଦାନ କରିବା ସହ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଏଥିସହିତ ସେ ଅଙ୍ଗନବାଡ଼ି କେନ୍ଦ୍ର, ମୁଚିଂପୁଟ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ଚିକିତ୍ସାଧୀନ ରୋଗୀଙ୍କ ସହ ସ୍ବାସ୍ଥ୍ୟସେବା ଉପରେ ପଚାରିଥିଲେ।  ଏହାସହ ୧୦୮ ଆମ୍ବୁଲାନ୍ସ ଗାଡିର ଯାଞ୍ଚ କରିଥିଲେ।

ଦୁର୍ଗମ ପଞ୍ଚାୟତବାସୀଙ୍କ ସହ ଆଲୋଚନା କରିବା ପରେ ପ୍ରତି ୧୦ ଦିନରେ ଥରେ ସରକାରୀ କର୍ମଚାରୀମାନେ ଏହି ଅଞ୍ଚଳ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗ୍ରାଉଣ୍ଡ ରିପୋର୍ଟ ପଠାଇବା ପାଇଁ ଆଦେଶ ଜାରି କରିଛନ୍ତି। ଯଦି କୌଣସି କର୍ମଚାରୀ ପରିଦର୍ଶନ ନ କରିବା ଅଭିଯୋଗ ଆସେ ତା ହେଲେ ଉକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଏଥିସହିତ ଆଦିବାସୀଙ୍କୁ ନିଜ ନିଜର ଅଭିଯୋଗ ସରପଞ୍ଚଙ୍କ ସହାୟତାରେ ଜିଲ୍ଲାପାଳଙ୍କୁ ସିଧାସଳଖ ଜଣାଇବାପାଇଁ କହିଛନ୍ତି।

ବିଶାଖାପାଟଣା ଗ୍ରାମାଞ୍ଚଳ ଏସ.ପି ରୂପେ ରାହୁଲ ଦେବ ଶର୍ମା କାର୍ଯ୍ୟଭାର ଗ୍ରହଣ କରିବା ପରେ ମାଓପ୍ରଭାବିତ ଅଂଚଳ ଗସ୍ତ କରି ଶିକ୍ଷା, ସ୍ବାସ୍ଥ୍ୟ ଉପରେ ଅନୁଧ୍ୟାନ କରୁଛନ୍ତି। କଲେଜ ଛାତ୍ରଛାତ୍ରୀଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ଓ କ୍ରୀଡା କ୍ଷେତ୍ରରେ ଅଗ୍ରସର ହେବ ପାଇଁ ପୋଲିସ କର୍ମଚାରୀଙ୍କ ଦ୍ୱାରା ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି।

Comment