ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟୁଜିଲାଣ୍ଡରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଭାରତୀୟ କ୍ରିକେଟ୍ ଦଳର ବିଜୟ ଅଭିଯାନ ଜାରି ରହିଛି। ଭାରତର ଏହି ସଫଳତା ପଛରେ ଦଳର ଅଧିନାୟକ ପୃଥ୍ୱୀ ଶ’ଙ୍କ ହାତ ରହିଛି । ତାଙ୍କ ପ୍ରଦର୍ଶନ କ୍ରିକେଟ୍ ଜଗତରେ ଚହଳ ସୃଷ୍ଟି କରିଛି। କେହିକେହି ତାଙ୍କୁ ଭାତୀୟ କ୍ରିକେଟର ଅଗାମୀ ସୁପରଷ୍ଟାର ବୋଲି କହିବା ଆରମ୍ଭ କରିଦେଲେଣି।

ଭାରତୀୟ କ୍ରିକେଟ ଜଗତର ନୂତନ ବିସ୍ମୟ ଭାବେ ଜଣେ ଉଦୀୟମାନ କ୍ରିକେଟରଙ୍କର ଆବିର୍ଭାବ ଘଟିଛି। ସେ ହେଉଛନ୍ତି ପୃଥ୍ୱୀ ଶ’। ୧୯ ବର୍ଷରୁ କମ୍‌ ଭାରତୀୟ କ୍ରିକେଟ ଦଳର ଅଧିନାୟକ। ନ୍ୟୁଜିଲାଣ୍ଡରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱ କପ୍‌ କ୍ରିକେଟରେ ତିନିଥର ବିଶ୍ୱ ଚମ୍ପିଆନ ଅଷ୍ଟ୍ରେଲିଆକୁ ପ୍ରଥମ ମ୍ୟାଚରେ ପରାସ୍ତ କରି ସେ ଗଣମାଧ୍ୟମରେ ଚର୍ଚ୍ଚାର ପାତ୍ର ପାଲଟିଛନ୍ତି।

ଏହି ମ୍ୟାଚରେ ସେ ପ୍ରମାଣିତ କରି ଦେଖାଇନ୍ତି ଯେ, ସେ କି ପ୍ରକାରର ବ୍ୟାଟସ୍‌ମ୍ୟାନ। ଯଦିଓ ସେ ୬ ରନ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି ତେବେ ୯୪ ରନ୍‌ କରିଥିଲେ। ସେହିପରି ଦ୍ଵିତୀୟ ମ୍ୟାଚରେ ମଧ୍ୟ ୫୭ ରନର ଧୂଆଁଧାର ଇନିଂଶ ଖେଳିଥିଲେ।

ଏଥିରୁ ସେ ପ୍ରମାଣିତ କରି ଦେଇଛନ୍ତି କି ଆଗାମୀ ଦିନରେ ତାଙ୍କୁ ଦେଶର ପ୍ରମୁଖ କ୍ରିକେଟ ତାରକାଙ୍କ ମଧ୍ୟରେ ଗଣନା କରାଯିବ।

୯ ନଭେମ୍ବର ୧୯୯୯ରେ ମହାରାଷ୍ଟ୍ରର ଥାନେରେ ଜନ୍ମିତ ପୃଥ୍ୱୀ ଭବିଷ୍ୟତରେ ଭାରତୀୟ ଦଳରେ ଯେ ନିଶ୍ଚିତ ସ୍ଥାନ ପାଇବେ ଏ ନେଇ ଏବେଠାରୁ କଳ୍ପନା ଜଳ୍ପନା ପ୍ରକାଶ ପାଇଲାଣି।

ତେବେ ଏହି ଉଦୀୟମାନ କ୍ରିକେଟର ୨୦୧୦-୧୧ରେ ୨୦୦୦ରୁ ଅଧିକ ରନ କରିଥିଲେ। ତା’ଙ୍କ ପ୍ରଦର୍ଶନରେ ଖୁସି ହୋଇ ଶିବସେନା ଜଣେ ବରିଷ୍ଠ ରାଜନେତା ଏକ ଫ୍ଲାଟ ଉପହାର ଦେଇଥିଲେ। ଯେଉଁଠାରେ ସେ ଏବେ ନେଟ୍‌ ପ୍ରାକ୍ଟିସ କରୁଛନ୍ତି। ପୃଥ୍ୱୀଙ୍କ ପ୍ରଦର୍ଶନରେ ଉତ୍ସାହିତ ହୋଇ ଲୋକେ ତାଙ୍କୁ ମୁମ୍ବଇରେ ‘ଭବିଷ୍ୟତର ତେନ୍ଦୁଲକର’ ବୋଲି ଡାକିବାରେ ଲାଗିଲେ। ଶେଷରେ ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ନିଜେ ଆସି ପୃଥ୍ୱୀଙ୍କ ନେଟ ପ୍ରାକ୍ଟିସ ଦେଖି ସାବାସି ଦେଇଥିଲେ ଏବଂ ଭବିଷ୍ୟତରେ କୌଣସି ସହାୟତା ଦରକାର ପଡିଲେ ଫୋନ୍ କରିବାକୁ କହିଥିଲେ।

ସେହିପରି ୨୦୧୨ରେ ପୃଥ୍ୱୀ ମଞ୍ଚେଷ୍ଟରରେ ଚେଡଲୀ ହଲ୍ମ ସ୍କୁଲରେ ଏକ ମାସିକିଆ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ୧,୪୪୬ ରନ କରିଥିଲେ। ୨୦୧୩ରେ ପୃଥ୍ୱୀ ସ୍କୁଲ କ୍ରିକେଟରେ ୫୪୬ ରନ୍‌ ର ପାଳି ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ୨୦୧୪ରେ ପୃଥ୍ୱୀଙ୍କ ଚର୍ଚ୍ଚାରେ ଆକର୍ଷିତ ହୋଇ କ୍ରିକେଟ ଉପକରଣ ପ୍ରସ୍ତୁତ କରୁଥିବା କଂପାନୀ ମଧ୍ୟରୁ ମିରଟ ସ୍ଥିତ ଏଏସଜି କଂପାନୀ ପୃଥ୍ୱୀଙ୍କୁ ୩୬ ଲକ୍ଷ ଟଙ୍କାରେ ଅନୁବନ୍ଧିତ କରିଥିଲା।

Comment