ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟ ରାଜନୀତିରେ ନିଆଁ ଲାଗିବା ପରେ ମଙ୍ଗଳବାର ସନ୍ଧ୍ୟାରେ ନିଜ ଗାଁ ମୂଷାଗୁଡ଼ା ଶ୍ମଶାନରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟ ରାଜନୀତିରେ ନିଆଁ ଲାଗିବା ପରେ ମଙ୍ଗଳବାର ସନ୍ଧ୍ୟାରେ ନିଜ ଗାଁ ମୂଷାଗୁଡ଼ା ଶ୍ମଶାନରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।

ବାଦବିବାଦ ଭିତରେ କୁନ୍ଦୁଲି ପୀଡ଼ିତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ନିଜ ଗାଁ ମୂଷାଗୁଡ଼ା ଶ୍ମଶାନରେ ସ୍ଥାନୀୟ ତହସିଲଦାର ଏବଂ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଶବ ବ୍ୟବଛେଦ ହେବା ପରେ ମଙ୍ଗଳବାର ସନ୍ଧ୍ୟାରେ ପୀଡ଼ିତାଙ୍କୁ କବର ଦିଆଯାଇଛି। ଗ୍ରାମବାସୀ ଏବଂ କଂଗ୍ରେସ ନେତାମାନେ ପୀଡ଼ିତାଙ୍କୁ ଶେଷ ବିଦାୟ ଜଣାଇଛନ୍ତି।

ସୋମବାର ଅପରାହ୍ଣରେ ସାରା ରାଜ୍ୟ ହୋଇଯାଇଥିଲା ସ୍ତବ୍ଧ। ସାଢ଼େ ୩ ମାସ କାଳ ନ୍ୟାୟ ପାଇଁ ଲଢ଼େଇ କରୁଥିବା କୁନ୍ଦୁଲି ପୀଡ଼ିତା ବେକରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ତାଙ୍କୁ କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୀଡ଼ିତାଙ୍କ ମୃତ୍ୟୁ ପରେ ରାଜ୍ୟ ରାଜନୀତିରେ ନିଆଁ ଲାଗିଥିଲା। ବିରୋଧୀ କଂଗ୍ରେସ ଏବଂ ବିଜେପି ରାଜ୍ୟ ସରକାରଙ୍କୁ ଦାୟୀ କରି ରାଜନୀତିକୁ ହୁଲ୍‌ସ୍ତୁଲ୍ କରିଥିଲେ।

ମେଡିକାଲରେ ଡାକ୍ତର ମୃତ ଘୋଷଣା କରିବା ପରେ ଶବ ବ୍ୟବଛେଦ ପାଇଁ ଉଦ୍ୟମ ହୋଇଥିଲା। ହେଲେ ପରିବାର ଲୋକ ଏଥିରେ ରାଜି ହୋଇ ନଥିଲେ। ଏପରିକି ବ୍ୟବଛେଦ ପାଇଁ ଶବ ଛାଡ଼ି ନଥିଲେ। ହେଲେ ମଙ୍ଗଳବାର ସକାଳେ ଘଟଣା ଭିନ୍ନମୋଡ଼ ନେଇଥିଲା।

କଂଗ୍ରେସ ନେତା ଓ କର୍ମୀ କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଭିଡ଼ ଜମାଇଲେ। ପୀଡ଼ିତାଙ୍କ ଶବକୁ ସିଧାସଳଖ ଉଠାଇ ଆଣିଥିଲେ ରାଜରାସ୍ତାକୁ। ୨୬ ନମ୍ବର ଜାତୀୟ ରାଜପଥ ଉପରେ ଶବ ରଖି କଂଗ୍ରେସ ରାସ୍ତା ଅବରୋଧ କରିଥିଲା।

ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝି, ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିଧାୟକ ତାରା ପ୍ରସାଦ ବାହିନୀପତି, କୃଷ୍ଣ ଚନ୍ଦ୍ର ଶଗରିଆ ଶବ ପାଖରେ ବସି ନ୍ୟାୟ ପାଇଁ ଦାବି କରିଥିଲେ।

ମଙ୍ଗଳବାର ଅପରାହ୍ଣରେ ଗ୍ରାମବାସୀଙ୍କ ସହ କଂଗ୍ରେସ ନେତାମାନେ ଆଲୋଚନା କରିଥିଲେ। ଆଲୋଚନା ପରେ ପୀଡ଼ିତାଙ୍କ ଶବକୁ ମୂଷାଗୁଡ଼ା ଗାଁକୁ ବୋହି ନେଇଥିଲେ। ସେଠାରେ ପୀଡ଼ିତାଙ୍କ ଶବ ବ୍ୟବଛେଦ କରାଯିବା ପରେ ତାଙ୍କୁ କବର୍‌ ଦିଆଯାଇଥିଲା। ପୀଡ଼ିତାଙ୍କ ମୃତ୍ୟକୁ ନେଇ କୋରାପୁଟ ଜିଲ୍ଲାରେ ଶୋକର ଛାୟା ଖେଳିଯିବା ସହ ତେଜିଛି ରାଜ୍ୟ ରାଜନୀତି।

କଂଗ୍ରେସ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଥିବା ବେଳେ ବିଜେପି ହରତାଲ ଡାକରା ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ବହୁ ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି।

Comment