ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡିରୁ ନିଲମ୍ବିତ ହୋଇଛନ୍ତି ବୈଜୟନ୍ତ ପଣ୍ଡା। ଦଳ ବିରୋଧୀ ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିବା ବିଜେଡି ଉପ-ସଭାପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଥିବା ବିଜେଡି ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, “ବୈଜୟନ୍ତଙ୍କ ବିରୋଧରେ ଦଳୀୟ କର୍ମୀମାନେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ତଦନ୍ତ କରିଥିଲେ। ପର୍ଯ୍ୟବେକ୍ଷକ ସେମାନଙ୍କ ତଦନ୍ତ ରିପୋର୍ଟ ବିଜେଡି ସଭାପତିଙ୍କୁ ଦେଇଥିଲେ। ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବୈଜୟନ୍ତଙ୍କୁ ନିଲମ୍ବିତ କରାଯାଇଛି।”

କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକରେ ପାଣିଟାଙ୍କି ଉଦଘାଟନକୁ ନେଇ ବିଜେଡି ଓ ବୈଜୟନ୍ତଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା।

ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି ସଭାପତି ପାଣିଟାଙ୍କି ଉଦଘାଟନକୁ ବିରୋଧ କରିଥିଲେ। ଏହାକୁ ନେଇ ରାଜନୀତି ଜୋର୍ ଧରିଥିଲା। ହେଲେ ବୈଜୟନ୍ତ ପାଣି ଟାଙ୍କି ଉଦଘାଟନ କରିଥିଲେ। ଉଦଘାଟନ କରିବା ପରେ ବୈଜୟନ୍ତ ତୃତୀୟ ମହଲାକୁ ଟାର୍ଗେଟ୍ କରିଥିଲେ।

ତୃତୀୟ ମହଲାର ଅଣଓଡ଼ିଆ ଅଫିସର ତାଙ୍କ କର୍ତ୍ତବ୍ୟକୁ ଭୁଲି ଯାଉଛନ୍ତି ବୋଲି ବୈଜୟନ୍ତ କହିବା ପରେ ବିଜେଡି ଓ ବୈଜୟନ୍ତଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।

ଏହି ଘଟଣା ପରେ ବୈଜୟନ୍ତଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବିଥିଲା। ନିଶ୍ଚିନ୍ତକୋଇଲି, ସାଲେପୁର, ମହାକାଳପଡ଼ା, କେନ୍ଦ୍ରାପଡା, ଆଳି, ରାଜନଗର, ପଟ୍ଟାମୁଣ୍ଡାଇ ବ୍ଲକର ବିଜେଡି କର୍ମୀ ସାଂସଦଙ୍କ ବିରୋଧରେ ନବୀନ ନିବାସ ଆସି ଫେରାଦ ହୋଇଥିଲେ।

କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ଏବଂ କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ଉଷା ଦେବୀ ଅଭିଯୋଗର ତଦନ୍ତ କରିଥିଲେ। ପ୍ରମିଳା ତାଙ୍କ ରିପୋର୍ଟ ନବୀନ ପଟ୍ଟନାୟକଙ୍କୁ ଦେଇଥିବା ବେଳେ ଉଷା ଦେବୀ ମଧ୍ୟ ତାଙ୍କ ତଦନ୍ତ ରିପୋର୍ଟ ବିଜେଡି ସଭାପତିଙ୍କୁ ଦେଇଥିଲେ।

ଟ୍ବିଟ୍‌ କରି ବୈଜୟନ୍ତ କହିଛନ୍ତି, “ଏହି ଖବର ପାଇବା ପରେ ମୁଁ ମର୍ମାହତ। ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ଜଣେ ଆଇଏଏସ୍ ଅଫିସର ଏହି ଷଡ଼ଯନ୍ତ୍ର କରିଛନ୍ତି। ଦଳ ସଭାପତି ଏହା ଜାଣି ପାରିଲେ ନାହିଁ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ। ଜଗନ୍ନାଥ ସେମାନଙ୍କୁ ଦିଗଦର୍ଶନ ଦିଅନ୍ତୁ।”

LEAVE A REPLY

Please enter your comment!
Please enter your name here