ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲିଜ୍ ହୋଇଛି ଫିଲ୍ମ ‘ପଦ୍ମାବତ୍’। ହେଲେ ଚାଲିଛି ଫିଲ୍ମ ବିରୋଧରେ ଜୋରଦାର ପ୍ରତିବାଦ ଓ ବିକ୍ଷୋଭ । ଦେଶର ବିଭିନ୍ନ ଅଞ୍ଚଳରେ ଆଜି ବ୍ୟାପକ ହିଂସାକାଣ୍ଡ ଓ ପୋଡଜଳା ଦେଖିବାକୁ ମିଳିଛି। ତା’ସହ କରଣୀ ସେନା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି।

ସାରା ଭାରତରେ ରିଲିଜ୍ ହୋଇଛି ବହୁ ଚର୍ଚ୍ଚିତ ଏବଂ ବିବାଦ ଘେରରେ ଛନ୍ଦି ହୋଇଥିବା ଚଳଚ୍ଚିତ୍ର-ପଦ୍ମାବତ୍। ଫିଲ୍ମ ରିଲିଜ୍ ନେଇ ସୁପ୍ରିମକୋର୍ଟ ସବୁ ପ୍ରତିବନ୍ଧକ ହଟାଇବା ପରେ ବି ଥମୁନି ଏହାକୁ ନେଇ ବିବାଦ। ଆସନ୍ତୁ ଜାଣିବା ‘ପଦ୍ମାବତ’କୁ ନେଇ ଆଜି ପର୍ଯ୍ୟନ୍ତ କ’ଣ ରହିଛି ମାମଲା।

ପଦ୍ମାବତୀରୁ ପଦ୍ମାବତ୍

ପଦ୍ମାବତ ଫିଲ୍ମରେ ଐତିହାସିକ ତଥ୍ୟକୁ ଭୁଲ ଭାବେ ଉପସ୍ଥାପିତ କରି ରାଜପୁତଙ୍କ ଭାବନା ସହ ଖେଳ ଖେଳାଯାଇଥିବା ଅଭିଯୋଗ ଆଣି ଫିଲ୍ମକୁ ସମ୍ପୂର୍ଣ୍ଣ ବ୍ୟାନ ଦାବି କରିଥିଲା ରାଜପୁତ କରଣୀ ସେନା।  ଫିଲ୍ମ ସୁଟିଂ ହେବା ବେଳଠୁ କରଣୀ ସେନା ବିରୋଧ ପ୍ରଦର୍ଶନ କରିଆସିଛି। ଏମିତିକି ସୁଟିଂ ଚାଲିଥିବା ସ୍ଥାନରେ ନିଆଁ ଲଗାଇ ଦେଇଥିଲେ। ଏହାକୁ ନେଇ ସେନସର ବୋର୍ଡ ସମାଧାନର ରାସ୍ତା ବାହାର କରି ପଦ୍ମାବତୀରୁ ଫିଲ୍ମର ନାମ ପଦ୍ମାବତ ଏବଂ  ଫିଲ୍ମର କିଛି ସିନ ଉପରେ କଇଁଚି ଚଲାଇଥିଲେ। ସେନସର ବୋର୍ଡର ନିର୍ଦ୍ଦେଶ କ୍ରମେ ଫିଲ୍ମରେ ସାମାନ୍ୟ ପରିବର୍ତ୍ତନ ପରେ ସେନସର୍ ସାର୍ଟିଫିକେଟ ଦିଆଯାଇଥିଲା।

ସୁପ୍ରିମକୋର୍ଟରେ ପଦ୍ମାବତ୍

ସଂଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ‘ପଦ୍ମାବତ’କୁ ନେଇ ବିବାଦ ଯାଇ ପହଞ୍ଚିଥିଲା ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ଫିଲ୍ମ ରିଲିଜ ପାଇଁ ଅନୁମତି ଦେଇ କହିଥିଲେ ଭାରତରେ ଫୁଲନ୍ ଦେବୀଙ୍କ ଉପରେ ଆଧାରିତ ‘ବ୍ୟଣ୍ଡିଟ କୁଇନ’ ଭଳି ଫିଲ୍ମ ରିଲିଜ ହୋଇପାରୁଥିବା ବେଳେ ପଦ୍ମାବତ କାହିଁକି ହୋଇପାରିବ  ନାହିଁ। ସେନସର ବୋର୍ଡ ଫିଲ୍ମ ସାର୍ଟିଫିକେଟ ଦେଇ ଫିଲ୍ମ ରିଲିଜ ପାଇଁ ଅନୁମିତ ଦେବା ପରେ କୌଣସି ପରିସ୍ଥିତିରେ ଫିଲ୍ମ ରିଲିଜକୁ ରୋକିହେବ ନାହିଁ ବୋଲି କହିଥିଲେ ଚିଫ ଜଷ୍ଟିସ ଦୀପକ ମିଶ୍ର। କିନ୍ତୁ କରଣୀ ସେନା ପକ୍ଷରୁ ସୁପ୍ରିମକୋର୍ଟ ଆଦେଶକୁ ବେଖାତିର କରି ବିରୋଦ ପ୍ରଦର୍ଶନ ଜାରି ରହିଛି।

ପଦ୍ମାବତକୁ ନେଇ ଜଳୁଛି ନିଆଁ

ଗତକାଲି ଦେଶର ବିଭିନ୍ନ ଅଂଚଳରେ ଆଜି ବ୍ୟାପକ ହିଂସାକାଣ୍ଡ ଓ ପୋଡଜଳା ଦେଖିବାକୁ ମିଳିଛି । ଗୁରୁଗ୍ରାମରେ ଏକ ସ୍କୁଲ ବସକୁ ପୋଡିଦେଇଥିଲେ ବିକ୍ଷୋଭକାରୀ। ତେଣୁ ଅଘଟଣ ଆଶଙ୍କାରେ ଆଜି ଗୁରୁଗ୍ରାମର ସମସ୍ତ ସ୍କୁଲ କଲେଜ ବନ୍ଦ ଘୋଷଣା କରାଯାଇଛି। ଫିଲ୍ମ ହଲ ଓ ସପିଂ ମଲ୍ରେ ଭଙ୍ଗାରୁଜା କରାଯାଇଛି। ହରିୟାଣା, ଗୁଜରାଟ, ରାଜସ୍ଥାନ, ୟୁପି, ବିହାରରେ ବହୁ ସଂଖ୍ୟାରେ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି ପୁଲିସ। ଦିଲ୍ଲୀ-ଜୟପୁର ରାସ୍ତାରେ ଟାୟାର ଜାଳି ବିକ୍ଷୋଭ କରିଥିବା ବେଳେ ମଥୁରାରେ ରେଳରୋକ କରିଥିଲେ ବିକ୍ଷୋଭକାରୀ। ବିରୋଧ ପ୍ରଦର୍ଶନରେ ପ୍ରାୟ ୨ହଜାରରୁ ଉର୍ଦ୍ଧ ଲୋକ ସାମିଲ ଥିଲେ। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଫଲସ୍ ଫାୟାରିଙ୍ଗ ମଧ୍ୟ କରିବାକୁ ପଡିଥିଲା।

ବିରୋଧ ଯୋଗୁଁ ଫିଲ୍ମ ରିଲିଜ୍ ତାରିଖରେ ପରିବର୍ତ୍ତନ

ଚଳଚ୍ଚିତ୍ରଟି ଗତବର୍ଷ ଡିସେମ୍ବର ପହିଲାରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଥିଲା। ମାତ୍ର ଏହା ଐତିହାସିକ ଭାବନା କ୍ଷୁର୍ଣ୍ଣ କରୁଛି ବୋଲି ଦାବି କରି ଅନେକ ବିରୋଧ ପ୍ରଦର୍ଶନ କରିବା ପରେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଏହାର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ରଣବୀର ସିଂହ, ଦୀପିକା ପାଦୁକୋନ ଏବଂ ସାହିଦ କପୁରଙ୍କ ଅଭିନୀତ ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରଟି ପରିଶେଷରେ ଜାନୁଆରୀ ୨୫ ତାରିଖରେ ରିଲିଜ ହୋଇଛି।

Comment