ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତନ୍ତ୍ର ଦିବସ ଅବସରରେ ଦେଶାତ୍ମବୋଧ ଗୀତଗୁଡ଼ିକର କ୍ରେଜ ବଢ଼ିବାରେ ଲାଗିଛି। ବିଶେଷକରି ଡିଜିଟାଲ ମିଡିଆରେ ଏହି ଗୀତକୁ ଶୁଣିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ଡିଜିଟାଲ୍‍ ମିଡିଆରେ ଓଡ଼ିଆ ଗାୟିକା ବର୍ଣ୍ଣାଳି ହୋତା ଗାଇଥିବା ତଥା ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍‍ ଚ୍ୟାନେଲ୍‌ରେ ପ୍ରସାରିତ ଦେଶାତ୍ମବୋଧ ଗୀତ ‘ଏ ୱତନ୍‍ ତେରେ ଲିଏ’ ୨୦୧୮ ଜାନୁଆରୀ ୨୬ ପୂର୍ବରୁ ୨୧ ଲକ୍ଷ ଭ୍ୟୁଜ୍‍ ଟପିଯାଇଛି।

କେବଳ ସେତିକି ନୁହେଁ, ଏହି ଭିଡିଓଟି ଗୋଟିଏ ଦିନରେ ପାଖାପାଖି ଷାଠିଏ ହଜାର ଭ୍ୟୁଜ୍‍ ହାସଲ କରି ଅନ୍‍ଲାଇନ୍‍ ଓ ସୋସିଆଲ୍‍ ମିଡିଆରେ ଓଡ଼ିଆ କଳାକାରଙ୍କ ଲୋକପ୍ରିୟତାର ଏକ ଉଦାହରଣ ସୃଷ୍ଟି କରିଥିଲା।

୨୦୧୭ ସାଧାରଣତନ୍ତ୍ର ଦିବସ ପୂର୍ବଦିନ ଅର୍ଥାତ୍‍ ୨୫ ଜାନୁଆରି ୨୦୧୭ରେ ବିଭିନ୍ନ ସୋସିଆଲ୍‍ ମିଡିଆ ଚ୍ୟାନେଲ୍‌ରେ ଦେଶାତ୍ମବୋଧ ବିଷୟ ଉପରେ ଆଧାରିତ ଭିଡିଓର ଏକ ଅଭୂତପୂର୍ବ କ୍ରେଜ୍ ଦେଖିବାକୁ ମିଳିଥିଲା। ବର୍ଣ୍ଣାଳି ଗାଇଥିବା ଏହି ଲୋକପ୍ରିୟ ହିନ୍ଦୀ ଗୀତଟି ଓଡ଼ିଶାଲାଇଭ୍‍ ୟୁଟ୍ୟୁବ୍‍ ଚ୍ୟାନେଲ୍‌ରେ ୫୬,୧୫୦ ଭ୍ୟୁଜ୍‍ ହାସଲ କରିଥିଲା। ସେହିଦିନ ଓଡ଼ିଶାଲାଇଭ୍‌ର ମୋଟ ଭ୍ୟୁଜ୍‍ ଥିଲା ୯୭,୨୦୪।

ଗତବର୍ଷ ଏହି ଗୀତକୁ ଭାରତ ଛଡ଼ା ଆମେରିକା, କାନାଡା, ବ୍ରିଟେନ୍‍, ଫ୍ରାନ୍ସ, ପାକିସ୍ତାନ, ବାଂଲାଦେଶ, ନେପାଳ, ସିଂଗାପୁର, ଓମାନ୍‍, ଥାଇଲାଣ୍ଡ, ଇଣ୍ଡୋନେସିଆ, ଜର୍ମାନୀ, ନେଦରଲାଣ୍ଡ, କତାର, ସାଉଦି ଆରବିଆ, କୁଏତ୍‍, ସଂଯୁକ୍ତ ଆରବ ଓ ବାହାରିନ୍‍ ପ୍ରମୁଖ ଦେଶର ଦର୍ଶକମାନେ ଦେଖିଥିଲେ।

ଗତ ବର୍ଷକ ମଧ୍ୟରେ ଏହି ଗୀତକୁ ଆଉ ୧୦ ଲକ୍ଷ ଲୋକ ଦେଖିଛନ୍ତି। ୨୦୧୮ ଜାନୁଆରୀ ୨୫ ତାରିଖ ସୁଦ୍ଧା ଏହି ଗୀତର ଭ୍ୟୁଜ୍ ସଂଖ୍ୟା ୨୧ ଲକ୍ଷରେ ପହଞ୍ଚିଛି।

ଏହି ଅବସରରେ ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ସମ୍ପାଦକ ଓ ସିଇଓ ନୀଳାମ୍ବର ରଥ କହିଛନ୍ତି ଯେ ଓଡ଼ିଶା ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ତରଫରୁ ୨୦୧୨ ମସିହାରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଦେଶାତ୍ମବୋଧ ସଙ୍ଗୀତର କାର୍ଯ୍ୟକ୍ରମ ‘ଭାରତୀୟମ୍‍’ରେ ବର୍ଣ୍ଣାଳି ଏହି ଗୀତଟି ପରିବେଷଣ କରିଥିଲେ। ଭାରତୀୟ କଳା ଓ ସଂସ୍କୃତି ତଥା ବିଭିନ୍ନ ଲୋକପ୍ରିୟ ସାମାଜିକ କାର୍ଯ୍ୟକ୍ରମର ଡିଜିଟାଲ୍‍ ସଂରକ୍ଷଣ ଓ ପ୍ରସାର ଅବସରରେ ଓଡ଼ିଶାଲାଇଭ୍‍ ପକ୍ଷରୁ ଏହିଭଳି କାର୍ଯ୍ୟକ୍ରମ ରେକର୍ଡ କରାଯାଇ ସର୍ବସାଧାରଣଙ୍କ ପାଇଁ ଉପସ୍ଥାପନ କରାଯାଉଛି।

ଓଡ଼ିଶାର ପ୍ରଥମ ୱେବ୍‍ ଚ୍ୟାନେଲ୍‍ ହିସାବରେ ପ୍ରତିଷ୍ଠିତ ଓଡ଼ିଶାଲାଇଭ୍‍ ପକ୍ଷରୁ ୨୦୧୨ ମସିହାରୁ ବିଭିନ୍ନ ଡିଜିଟାଲ୍‍ ମିଡିଆ କାର୍ଯ୍ୟକ୍ରମ ଜାରି ରହିଛି।

ଓଡ଼ିଶାଲାଇଭ୍‌ ଏହାର ୟୁଟ୍ୟୁବ୍‌ ଚ୍ୟାନେଲ୍‌ ସହିତ ଅନ୍ୟ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ୍‍ ମାଧ୍ୟମରେ ଓଡ଼ିଶା ଉପରେ ଭିଡିଓ ଏବଂ ତଥ୍ୟ ଉପସ୍ଥାପନ କରିଆସୁଛନ୍ତି। ଧୀରେ ଧୀରେ ଏହା ଦେଶର ଏକ ଅଗ୍ରଣୀ ଅନ୍‍ଲାଇନ୍‍ ରିସୋର୍ସ୍‍ ଭାବେ ଗଢିଉଠିଛି ବୋଲି ଏହାର ପ୍ରତିଷ୍ଠାତା ସମ୍ପାଦକ ଓ ସିଇଓ ନୀଳାମ୍ବର ରଥ କହିଛନ୍ତି।

Comment