ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ଵାଧୀନତା ସଂଗ୍ରାମକୁ ନେଇ ନିର୍ମାଣ ହୋଇଛି ଅନେକ ଚଳଚ୍ଚିତ୍ର। ପରଦା ଉପରେ ଜଣେ ସଂଗ୍ରାମୀର ଛାପ ଛାଡିବାକୁ ପ୍ରୟାସ୍ କରିଛନ୍ତି ବହୁ ଅଭିନେତା ଓ ନିର୍ଦ୍ଦେଶକ । ଏମାନଙ୍କ ମଧ୍ୟରୁ ମନୋଜ କୁମାର ଅନ୍ୟତମ।

ଯେତେବେଳେ ଭାରତବର୍ଷରେ ସ୍ଵାଧୀନତା ଦିବସ ବା ସାଧାରଣତନ୍ତ୍ର ଦିବସ ପାଳିତ ହୁଏ, ସେତେବେଳେ ଯେଉଁ ଭାରତୀୟ କଳାକାରଙ୍କ କଥା ସବୁଠୁଁ ବେଶୀ ମନେ ପଡ଼େ ସେ ହେଲେ ମନୋଜ କୁମାର। ଆଜି ବି ମନୋଜ କୁମାରଙ୍କୁ ବଲିଉଡରେ ‘ମିଷ୍ଟର ଭାରତ’ ଭାବେ ସମସ୍ତେ ସମ୍ବୋଧନ କରନ୍ତି। ଏହାର ଏକମାତ୍ର କାରଣ ହେଲା ମନୋଜ କୁମାରଙ୍କ ପ୍ରତିଟି ସିନେମାରେ ଦେଶପ୍ରେମର ନିଚ୍ଛକ ଛବି ଦେଖିବାକୁ ମିଳିଥାଏ। କେତେବେଳେ ଦେଶର କୃଷକଙ୍କ କଥା ଫିଲ୍ମରେ ଦେଖାଇଛନ୍ତି ତ ପୁଣି କେତେବେଳେ ନିଜ ସିନେମାରେ ମନୋଜ କୁମାର ଭାରତୀୟ ସଂସ୍କୃତି ମଧ୍ୟରେ ଥିବା ପ୍ରଭେଦକୁ ଜଣାଇଛନ୍ତି। ଠିକ୍ ସେହିପରି ମନୋଜ କୁମାର ପ୍ରାକ୍ ସ୍ଵାଧୀନତା ସଂଗ୍ରାମର ବିଷୟକୁ  ଆଧାର କରି ମଧ୍ୟ ଦେଶାତ୍ମବୋଧକ ସିନେମାର ନିର୍ମାଣ କରି ଦର୍ଶକଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ଅକ୍ତିଆର କରିଛନ୍ତି।

‘ଶହିଦ’ରୁ ଅୟମାରମ୍ଭ: –

ଷାଠିଏ ଦଶକରେ ହରିଆଲି ଔର୍ ରାସ୍ତା, ଓ କୌନ ଥି, ଅନିତା ଓ ଗୁମନାମ୍ ଭଳି ହିଟ୍ ଫିଲ୍ମର ହିରୋ ମନୋଜ କୁମାରଙ୍କ ଭିତରର ଲେଖନୀ ପ୍ରତିଭାକୁ ଭଲ ଭାବେ ଚିହ୍ନି ପାରିଥିଲେ ନିର୍ଦ୍ଦେଶକ ରାଜ ଖୋସଲା।  ‘ଓ କୌନଥି’ ରେ ଥିବା ଅନେକ ସଂଳାପ ହେଉଛି ମନୋଜ କୁମାରଙ୍କର ଲିଖିତ। ଏହାର ପ୍ରୟୋଗ ସିଧାସଳଖ ସୁଟିଂ ସେଟ୍‌ରେ କରିଥିଲେ ନିର୍ଦ୍ଦେଶକ।

ଏହାପରେ ମନୋଜ କୁମାର ସହିଦ ଭଗତ ସିଂ ରାଜଗୁରୁ ଓ ସୁଖଦେବ ଓ ତାଙ୍କ ଜୀବନୀ ଉପରେ ଆଧାରିତ ସିନେମା ‘ଶହିଦ୍’ ର କାହାଣୀ ଲେଖିଥିଲେ। ଏହି ସିନେମାରେ ନିଜେ ମନୋଜ କୁମାର ହିଁ ଶହିଦ୍ ଭଗତ ସିଂହଙ୍କ ଭୂମିକା  ନିଭାଇଥିଲେ। କୁହାଯାଏ ଯେ, ଏହି ଫିଲ୍ମର କେତେକ ଦୃଶ୍ୟର ନିର୍ଦ୍ଦେଶନା ଦେବାରେ ନିର୍ଦ୍ଦେଶକ ଏସ୍. ରାମଶର୍ମା ନିଜର ଅକ୍ଷମତା ପ୍ରକାଶ କରିବା ପରେ ସେ ସବୁର ନିର୍ଦ୍ଦେଶନା ଦେଇଥିଲେ ଅଭିନେତା- ଲେଖକ ମନୋଜ କୁମାର।

‘ଶହିଦ’ରୁ ହିଁ ପ୍ରକୃତରେ ମନୋଜ କୁମାର ଦେଶପ୍ରେମର ବାର୍ତ୍ତା ଦେବା ସିନେମା ନିର୍ମାଣର ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହାପରେ ମନୋଜ କୁମାର କ୍ରମାଗତ ଭାବେ ଦେଶାତ୍ମବୋଧକ ସିନେମା ନିର୍ମାଣ କରିଥିଲେ।

ଟ୍ରେନରେ ଲେଖିଥିଲେ ‘ଉପକାର’ ଫିଲ୍ମର ସ୍କ୍ରିପ୍ଟ

‘ଶହିଦ୍’ ଚଳଚ୍ଚିତ୍ର ରାଷ୍ଟ୍ରୀୟ ପୁରସ୍କାର ହାସଲ କରିବା ଅବସରରେ ତତ୍କାଳିନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କୁ ଭେଟିଥିଲେ ମନୋଜ କୁମାର। ସେହି ଦେଖାବେଳେ ଶାସ୍ତ୍ରୀଜୀ ମନୋଜଙ୍କୁ ‘ଜୟ ଯବାନ ଜୟ କିଶାନ’ ସ୍ଲୋଗାନ ଉପରେ ଏକ ଫିଲ୍ମ ନିର୍ମାଣ କରିବା ଲାଗି ପରାମର୍ଶ ଦେଇଥିଲେ। ରାଷ୍ଟ୍ରୀୟ ପୁରସ୍କାର ଉତ୍ସବରୁ ନୂଆଦିଲ୍ଲୀରୁ ବମ୍ବେ ଫେରିବା ସମୟରେ ହିଁ ଟ୍ରେନ୍‌ରେ ସେ ‘ଉପକାର’ ଚଳଚ୍ଚିତ୍ରର ସ୍କ୍ରିପ୍ଟ ଲେଖିଥିଲେ। ଟ୍ରେନ୍ ଯାତ୍ରା ସମୟରେ ଏହି ସିନେମାର ନିର୍ଦ୍ଦେଶନା ଓ ପ୍ରଯୋଜନା ନିଜେ କରିବାର ମଧ୍ୟ ନିଷ୍ପତ୍ତି ନେଇଥିଲେ ମନୋଜ କୁମାର।

କାହିଁକି ଚର୍ଚ୍ଚାରେ ଥିଲା:-

‘ଉପକାର’ରେ ମନୋଜ କୁମାର ଜଣେ କୃଷକ ଭୂମିକାରେ  ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କ ଉପରେ ଦୃଶ୍ୟାୟନ ହୋଇଥିବା କୃଷକ ଓ ମାତୃଭୂମି ଗୌରବ ଉପରେ ଥିଲା ଏକ ଗୀତ। ଯାହା ଆଜି ବେଶ୍ ଲୋକପ୍ରିୟ। ସେହି ଗୀତଟି ହେଲା- ‘ମେରେ ଦେଶ କି ଧରତୀ ସୋନା ଉଗଲେ, ଉଗଲେ ହୀରେ ମୋତି…’। ଏଥିରେ ସେ ଆଉ ଏକ ବଡ଼ କଥା ମଧ୍ୟ ଦେଖାଇଥିଲେ। ତାହା ହେଲା ଆବଶ୍ୟକ ପଡ଼ିଲେ ଜଣେ କୃଷକ ମଧ୍ୟ ସୈନିକ ସାଜି ଦେଶ ପାଇଁ ଲଢିବ। ୧୯୬୫ର ଭାରତ-ପାକ୍  ଯୁଦ୍ଧ ପୃଷ୍ଠଭୂମିରେ ନିର୍ମିତ ହୋଇଥିଲା ଏହି ସିନେମା। କାହାଣୀରେ ଥିଲା ଦୁଇ ଦୁଇ ଭାଇଙ୍କ କଥା।  ବଡ ଭାଇ କୃଷକ ଯିଏ କି ଯୁଦ୍ଧ ବେଳେ ବନ୍ଧୁକ ଧରି ଶତ୍ରୁ ପକ୍ଷଙ୍କୁ କଡା ଜବାବ୍ ଦେବା ପାଇଁ ଯୁଦ୍ଧ ଭୂମିକୁ ଯାଏ। ଏହାର ଏକ ଦୃଶ୍ୟରେ   ବଡ ଭାଇ ଭାରତ ଯୁଦ୍ଧଭୂମିରେ ମୃତ ପ୍ରାୟ ପଡ଼ିଥିବାର ଦେଖିବାପରେ ସାନ ଭାଇ ପୁରନର ମନୋଭାବରେ ପରିବର୍ତ୍ତନ ଆସିଥିବାର ଦେଖିବାକୁ ମିଳିଥିଲା।

ଏଇଠୁ ହୋଇଥିଲେ ମିଷ୍ଟର ଭାରତ:

‘ଉପକାର’ ହେଉଛି ମନୋଜ କୁମାରଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ପ୍ରଥମ ହିନ୍ଦୀ ସିନେମା। ଏହି ଫିଲ୍ମ ନିର୍ମାଣ କରିବା ପରେ ହିଁ ତାଙ୍କୁ ସମସ୍ତେ ‘ମିଷ୍ଟର ଭାରତ’ ବୋଲି ଡାକିବା ଆରମ୍ଭ କରିଥିଲେ। ଏଥିରେ ମନୋଜ କୁମାରଙ୍କ ବ୍ୟତୀତ ଆଶା ପାରେଖ, ପ୍ରେମ ଚୋପ୍ରା, ପ୍ରାନ୍ ଓ କାମିନୀ କୌଶଲ୍ ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଏହାର ସଙ୍ଗୀତ ନିର୍ଦ୍ଦଶେନା ଦେଇଥିଲେ କଲ୍ୟାଣଜୀ ଓ ଆନନ୍ଦଜୀ। ଏଥିରେ ଗୀତ ରଚନା କରିଥିଲେ ଇନ୍ଦିବର ଓ ଗୁଲସନ୍ ବାବରା।

 

Comment