ଓଡ଼ିଶାଲାଇଭ୍ ବ୍ୟୁରୋ

  • ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ୧୫ ଦିନ ଧରି ଚାଲିବ ଆଦିବାସୀ ମେଳା
  • ଚଳିତବର୍ଷ ଆଦିବାସୀ ମେଳାରେ ମୋଟ ୧୪୫ଟି ଷ୍ଟଲ୍ ନିର୍ମାଣ
  • ପ୍ରତ୍ୟହ ସନ୍ଧ୍ୟା ୬ ଟାରୁ ୯ଟା ପର୍ଯ୍ୟନ୍ତ ଜନଜାତିଙ୍କର ପାରମ୍ପରିକ ନୃତ୍ୟ, ସଙ୍ଗୀତ, ନାଟକ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ

ଜାନୁଆରି ୨୬ରେ ୟୁନିଟ୍-୩ ଇଡ୍‌କୋ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଯାଇଛି ଆଦିବାସୀ ମେଳା-୨୦୧୮। ଏହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ୧୫ ଦିନ ଧରି ଚାଲିବାକୁ ଥିବା ଏହି ମେଳାକୁ ବେଶ୍ ବର୍ଣ୍ଣାଢ୍ୟ ଢଙ୍ଗରେ ଶୁଭାରମ୍ଭ କରାଯାଇଛି।

ଆଦିବାସୀ ମେଳାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଜନଜାତି ଭାଇଭଉଣୀମାନଙ୍କ କଲ୍ୟାଣ ପାଇଁ ମୋ ସରକାର ସବୁବେଳେ ପ୍ରାଥମିକତା ଦେଇଆସିଛି। ସେମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରାଯାଇଛି। ଆଦିବାସୀ ପିଲାଙ୍କ ସଫଳତାରେ ଖୁସି ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ସେମାନଙ୍କ ସଶକ୍ତିକରଣ ଦ୍ଵାରା ହିଁ ରାଜ୍ୟର ବିକାଶ ହୋଇପାରିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ଜନଜାତି ସଂସ୍କୃତିର ସୁରକ୍ଷା ପାଇଁ ରାଜ୍ୟ ସରକାର ୯ଟି ଆଦବିସୀ ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଜନଜାତି କଳା ସଂସ୍କୃତିର ସୁରକ୍ଷା ସହ, ସେମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ନିଷ୍ଠାର ସହ କାମ କରୁଛନ୍ତି। ଏଭଳି ମେଳାର ଆୟୋଜନ ଦ୍ଵାରା ଜନଜାତିଙ୍କ ପାଇଁ ନୂଆ ନୂଆ ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ। ସମସ୍ତଙ୍କ ସହଯୋଗରେ ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ମେଳାର ଉଦ୍‌ଘାଟନ ଅବସରରେ ଯୋଗ ଦେଇ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ଆଦିବାସୀଙ୍କ କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ସହ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ହେଉଛି ଏହି ମେଳା ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ।  ବିଜେଡି ସରକାର ସର୍ବଦା ଆଦିବାସୀଙ୍କ ଉନ୍ନତି ପାଇଁ ଗୁରୁତ୍ଵ ଦେଇଆସିଛନ୍ତି।  ଆଗାମୀ ଦିନରେ ଏହା ଜାରି ରହିବ ବୋଲି ସେ କହିଛନ୍ତି।

ଚଳିତବର୍ଷର ମୁଖ୍ୟ ଆକର୍ଷଣ

ଚଳିତବର୍ଷ ଆଦିବାସୀ ମେଳାରେ ମୋଟ ୧୪୫ଟି ଷ୍ଟଲ୍ ନିର୍ମାଣ କକରାଯାଇଛି। ଆଦିବାସୀ ପଡ଼ିଆରେ ୨୧ଟି ଆଇ.ଟି.ଡି.ଏ ଓ ୩ ଟି ମାଇକ୍ରୋ ପ୍ରୋଜେକ୍ଟ ଦ୍ଵାରା ନିର୍ମିତ ବିଭିନ୍ନ ଜନମଜାତିଙ୍କର ୨୪ଟି ପାରମ୍ପରିକ ଗୃହ ସହିତ, ଗୃହ ଉପକରଣ, ଚଳଣି ପରମ୍ପରାର ଝଲକ ପ୍ରଦର୍ଶିତ ହେଉଛି। ଏହି ଅବସରରେ ୨୦ଜଣ କୃତି ଆଦିବାସୀଙ୍କୁ ସମ୍ବର୍ଦ୍ଧିତ କରାଯିବାର ବ୍ୟବସ୍ଥା କରାଯାଇଛି।

ଆଦିବାସୀ ହାଟରେ ବିଭିନ୍ନ ଆଦିବାସୀ ଓ ଜଙ୍ଗଲ ଜାତ ସାମଗ୍ରୀର ବିକ୍ରିବଟାର ବ୍ୟବସ୍ଥା କରାଇଛି। ଏଠାରେ ୩୧ଟି ପିଣ୍ଡି ରହିଛି। ଏଠାରେ ଆଇ.ଟି.ଡି.ଏ ଓ ୩ ଟି ମାଇକ୍ରୋ ପ୍ରୋଜେକ୍ଟ ଅଞ୍ଚଳର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ଓ ଉତ୍ପାଦିତ ସାମଗ୍ରୀ ବିକ୍ରି କରାଯିବ।

ଏହାଛଡା ଟି.ଡି.ସି.ସି, ଟ୍ରାଫେଡ୍, ମହିଳା ବିକାଶ ସମବାୟ ନିଗମ, ଓଡ଼ିଶା ବନ ଉନ୍ନୟମ ନିଗମ ଭଳି ବିଭିନ୍ନ ଅର୍ଦ୍ଦ ସରକାରୀ ଅନୁଷ୍ଠାନ, ଆଦିବାସୀ ସ୍ଵୟଂ ସହାୟକ ଗୋଷ୍ଠୀମାନେ ମଧ୍ୟ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଓ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରୟ ପାଇଁ ନିର୍ଦ୍ଦିଷ୍ଟ ବିଭାଗରେ ୩୪ଟି ଷ୍ଟଲ୍ ନିର୍ମାଣ କରାଯାଇଛି।

ଆଦିବାସୀ ଚିତ୍ରକଳା ଓ କଳାସାମଗ୍ରୀ, ହସ୍ତଶିଳ୍ପ ସାମଗ୍ରୀର ବିକ୍ରୟ ପାଇଁ ସ୍ଵତନ୍ତ୍ର ୩୭ଟି ଷ୍ଟଲ୍ କରାଯାଇଛି।

ଆଦିବାସୀ ଖାଦ୍ୟ ବଜାରରେ ଆଦିବାସୀମାନଙ୍କ ଦ୍ଵାରା ପ୍ରସ୍ତୁତ ମୁଢି ମାଂସ, ପାଳୁଅ/କାଙ୍ଗୁଖିରି, ମାଣ୍ଡିଆ ଜାଉ, ମାଣ୍ଡିଆ ପିଠା, ହର୍ବାଲ୍ ଜୁସ୍ ଆଦି ଉପଲବ୍ଧ ହେବା ସହ ଦର୍ଶକମାନେ ଏହିସବୁ ଖାଦ୍ୟର ମଜା ନେଇପାରିବେ।

ମୁକ୍ତ ରଙ୍ଗମଞ୍ଚରେ ପ୍ରତ୍ୟହ ସନ୍ଧ୍ୟା ୬ ଟାରୁ ୯ଟା ପର୍ଯ୍ୟନ୍ତ ଜନଜାତିଙ୍କର ପାରମ୍ପରିକ ନୃତ୍ୟ, ସଙ୍ଗୀତ, ନାଟକ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର କଳାକାରମାନଙ୍କ ଦ୍ଵାରା ପରିବେଶଣ କରାଯାଉଛି। ପ୍ରତ୍ୟହ ୭ଟି ନୃତ୍ୟ ପ୍ରଦର୍ଶନ ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଜାନୁଆରୀ ୩୦ ତାରିଖ ଦିନ ଶହୀଦ ଦିବସ ଉପଲକ୍ଷେ ଏକ ଭଜନ ସମାରୋହର ଆୟୋଜନ କରାଯାଉଛି। ବିଭାଗର ସାଂସ୍କୃତିକ ପରିଷଦର ସୌଖିନ କଳାକାରଙ୍କ ଦ୍ଵାରା ଫେବୃଆରୀ ୪ ତାରିଖ ଦିନ ଏକ ନାଟକ ମଞ୍ଚସ୍ଥ ହେବାର ସ୍ଥିର ହୋଇଛି। ଏହାଛଡା ଜାନୁଆରୀ ୩୧ ତାରିଖ, ଫେବୃଆରୀ ୧ ଓ ୨ ତାରିଖ ଦିନ ଆନ୍ଧ୍ର ପ୍ରଦେଶ, ସିକିମ୍‌, ଛତିଶଗଡ଼, ଝାରଖଣ୍ଡ, ମହାରାଷ୍ଟ୍ର, ଗୁଜୁରାଟ, ହିମାଚଳ ପ୍ରଦେଶର ଆଦିବାସୀ ନୃତ୍ୟ ପ୍ରଦର୍ଶନ ପାଇଁ ସ୍ଵତନ୍ତ୍ର ପଦକ୍ଷେପ ନିଆଯାଇଛି।

ପ୍ରତିବର୍ଷ ଆଦିବାସୀ ମେଳାକୁ ରାଜ୍ୟ ତଥା ବାହାରୁ ପ୍ରାୟ ୮ରୁ ୯ ଲକ୍ଷ ଦର୍ଶକ ଆସିଥାନ୍ତି। ଏହି ମେଳାରେ ୫ରୁ ୬ କୋଟି ଟଙ୍କାର ବ୍ୟବସାୟ ହୋଇଥାଏ। ଭୁବନେଶ୍ଵର ଓ ଏହାର ଆଖପାଖ ଅଧିବାସୀମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ବର୍ଷକ ପାଇଁ ହଳଦୀ, ମାଣ୍ଡିଆ, ମୁଗ, ବିରି, ମକା, ବାସନା ଚାଉଳ, ମହୁ, ଝୁଣା, ଝାଡୁ, ପାଳୁଅ ଆଦି ଆଦିବାସୀ ତଥା ଜଙ୍ଗଲ ଜାତ ଦ୍ରବ୍ୟ ଏହି ମେଳାରୁ କ୍ରୟ କରିଥାନ୍ତି।

ଜନସମାଗମକୁ ଲକ୍ଷ୍ୟ ରଖି ପଡ଼ିଆ ଭିତରେ ପ୍ରଶସ୍ତ ରାସ୍ତା ଛଡା ଯାଇଛି। ଏଠାରେ କୌଣସି ପ୍ରକାର ମୀନା ବଜାର, ଚକ୍ରି, ମ୍ୟାଜିକ୍ ଶୋ ପ୍ରଭୁତି ଖୋଲା ଯିବା ବାରଣ କରାଯାଇଛି। ଅଧିକ ଦର୍ଶକ ସୁବିଧାରେ ଯେପରି ଯା ଆସ କରିବେ ତାର ବନ୍ଦୋବସ୍ତ କରାଯାଇଛି। ସ୍ଵଚ୍ଛତାକୁ ପ୍ରାଧାନ୍ୟ ଦିଆଯାଉଛି। ନିରାପତ୍ତା ଦୃଷ୍ଟିକୋଣରୁ ବ୍ୟାପକ ପୋଲିସ୍ ବ୍ୟବସ୍ଥା କରାଯିବା ସହ କ୍ଲୋଜ୍ ସର୍କିଟ୍ କ୍ୟାମେରା ଲଗାଯାଇଛି।

ଆଦିବାସୀ ମେଳାର ଇତିହାସ

୧୯୫୧ ମସିହା ଜନରାଜ୍ୟ ଦିବସରେ ତକାଳିନ ଓଡ଼ିଶାର ରାଜଧାନୀ କଟକଠାରେ ଆଦିବାସୀ ମେଳା ପ୍ରଥମେ ଶୁଭାରମ୍ଭ ହୋଇଥିଲା। ଭୁବନେଶ୍ଵର ରାଜଧାନୀ ଭାବେ ମାନ୍ୟତା ପାଇବା ପରେ ଆଦିବାସୀ ମେଳା ୟୁନିଟ୍-୧ ସ୍ଥିତ, ଆଦିବାସୀ ପଡ଼ିଆଠାରେ ଅନୁଷ୍ଠିତ ହୋଇଆସୁଥିଲା।

ଆଦିବାସୀମାନଙ୍କର କଳା, ସଂସ୍କୃତି, ଜୀବନ ଧାରଣାର ଶୈଳୀ, ଚିତ୍ରକଳା ଓ ସ୍ଥାପତ୍ୟକୁ ପ୍ରଦର୍ଶନ କରିବା ସହିତ ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ଓ ଆଦିବାସୀଙ୍କ ଉପାଦିତ ସାମଗ୍ରୀର ବିକ୍ରି ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ। ପୂର୍ବରୁ ଏହି ମେଳାର ଅବଧି ସପ୍ତାହେ ଥିଲା। ଜନସାଧାରଣଙ୍କ ଆଗ୍ରହକୁ ଲକ୍ଷ୍ୟକରି ମସିହାରୁ ଏହାକୁ ପନ୍ଦରଦିନକୁ ବୃଦ୍ଧି କରାଯାଇଛି।

Comment