ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ମଇଦାନରେ ହେବ ଅସଲ ଲଢ଼େଇ। ଏଥିପାଇଁ ୩ ପ୍ରମୁଖ ଦଳ ପ୍ରସ୍ତୁତ କରୁଛନ୍ତି ରଣନୀତି। ବିଜେଡି ଆଗୁଆ ପ୍ରାର୍ଥୀ ଘୋଷଣା କରି କ୍ୟାମ୍ପେନିଂ ମୁଡ୍ରେ ରହିଥିବା ବେଳେ କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ଚୟନ ଅଙ୍କ ଛିଣ୍ଡୁନି।
ବିଜେପୁର ବିଗୁଲ୍ ବାଜିବା ପରେ ସର୍ଗରମ୍ ହୋଇଯାଇଛି ରାଜ୍ୟ ରାଜନୀତି। ବିଜେପୁର ଦଖଲ କରିବା ପାଇଁ ବିଜେପି-ବିଜେଡି-କଂଗ୍ରେସ ପ୍ରସ୍ତୁତ କରୁଛନ୍ତି ରଣନୀତି। କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା କରି ନଥିଲେ ହେଁ ବିଜେପୁର ବିଜୟ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ବିଜେଡି ଆଗୁଆ ପ୍ରାର୍ଥୀ ଘୋଷଣା କରି ବିଜେପୁର ପାଇଁ ଅଣ୍ଟା ଭିଡ଼ିଛି।
୨୦୧୯ ନିର୍ବାଚନ ପୂର୍ବରୁ ବିଜେପୁର ଲଢ଼େଇ ସେମି ଫାଇନାଲ କୁହାଯାଉଥିବାରୁ କେଉଁ ଦଳ କେମିତି ପ୍ରସ୍ତୁତ ହେଉଛନ୍ତି ନଜର ପକାନ୍ତୁ।
୩ ବ୍ଲକରେ ଡେରା ପକାଇବେ ବିଜେପିର ୩ ନେତା
ବିଜେପୁର ପାଇଁ କମର କଷୁଛି ବିଜେପି। ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ କୋର୍ କମିଟି ବୈଠକରେ ବିଜେପି ବିଜେପୁର ଉପ-ନିର୍ବାଚନ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ବିଜେପୁର ବାଜିରେ ଜିତିବା ପାଇଁ ବିଜେପି ୩ ବରିଷ୍ଠ ନେତାଙ୍କୁ ୩ଟି ବ୍ଲକର ଦାୟିତ୍ୱ ଦେଇଛି।
ରାଜ୍ୟ ସଭାପତି ବସନ୍ତ ପଣ୍ଡା ବରପାଲ୍ଲି ବ୍ଲକର ଦାୟିତ୍ୱରେ ରହିଥିବା ବେଳେ କନକ ବର୍ଦ୍ଧନ ସିଂଦେଓ ଗାଇସିଲାଟ ଏବଂ ଜୟ ନାରାୟଣ ମିଶ୍ରଙ୍କୁ ବିଜେପୁର ବ୍ଲକ ଦାୟିତ୍ୱ ଦେଇଛି। ଏହି ନେତାମାନେ ସଂପୃକ୍ତ ବ୍ଲକରେ ଭୋଟରଙ୍କ ନିକଟତର ହୋଇ ବିଜେପୁରରେ ବିଜେପିକୁ ଜିତାଇବା ପାଇଁ କାମ କରିବେ।
ଆଉ ୨ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ବିଜେପି ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ କହିଥିଲେ ମଧ୍ୟ କିଏ ପ୍ରାର୍ଥୀ ହେବ ତାକୁନେଇ ଚର୍ଚ୍ଚା ଚାଲିଛି। ବିଜେଡି ଛାଡ଼ି ବିଜେପି ଆସିଥିବା ଅଶୋକ ପାଣିଗ୍ରାହୀ ନା ଆଉ କିଏ ଟିକେଟ୍ ନେବେ ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ତେବେ କୋର୍ କମିଟି ବୈଠକରେ ଅନେକ ଆଶାୟୀଙ୍କ ନାଁ ଆସିଥିବାରୁ ବିଜେପି କାହା ମୁଣ୍ଡରେ ପାଗ ଭିଡ଼ିବ ତାକୁ ହିଁ ଅପେକ୍ଷା।
ଉପ-ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ବିଜେପି ତାର ଶକ୍ତି ଦେଖାଇଥିଲା ବିଜେପୁରରେ। ବରପାଲ୍ଲି ଏନଏସିରେ ମିଶ୍ରଣ ପର୍ବ ଆୟୋଜନ କରି ଏହି ଦଳ ରାଜନୀତିକୁ ଉଷ୍ମ କରିଥିଲା। ପରେ ୨୭୦ ବୁଥ୍ରେ ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମ ଆୟୋଜନ କରି ବିଜେପି ବିଜେପୁର ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଥିଲା।
ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, “ବିଜେପୁରରେ କାହାକୁ ପ୍ରାର୍ଥୀ କରାଯିବ ସେନେଇ ବିଜେପି ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ। ପ୍ରାର୍ଥୀ ତାଲିକାକୁ ବୋର୍ଡର ସୁପାରିଶ ପାଇଁ ପଠାଇ ଦିଆଯାଇଛି। ପ୍ରାର୍ଥୀ ଚୟନରେ ବିଜେପି ୩ଟି ମାପଦଣ୍ଡ ବ୍ୟବହାର କରି ଆସୁଛି। ଏହି ମାପଦଣ୍ଡ ଅନୁସାରେ ବିଜେପି ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରିବ।”
ହାଇକମାଣ୍ଡଙ୍କ ପାଖରେ କଂଗ୍ରେସ ପ୍ରାର୍ଥୀ ତାଲିକା
ରାଜ୍ୟ ବିଜେପି ପରି କଂଗ୍ରେସରେ ମଧ୍ୟ ସମାନ ଅବସ୍ଥା। ଏହି ଜାତୀୟ ଦଳ ବି ଏପର୍ଯ୍ୟନ୍ତ ପ୍ରାର୍ଥୀ ଚୟନ କରିପାରୁ ନାହିଁ। ପୂର୍ବତନ ବିଧାୟକ ରିପୁନାଥ ସେଠ୍ ଏବଂ ବିଜେପୁର ବ୍ଲକ ଉପାଧ୍ୟକ୍ଷ ପ୍ରଣୟ ସାହୁ ଟିକେଟ୍ ପାଇଁ ଦାବିଦାର ଥିବାରୁ କଂଗ୍ରେସର ଅଙ୍କ ଛିଣ୍ଡୁନି। ଶେଷରେ ହାଇକମାଣ୍ଡଙ୍କ ପାଖରେ କଂଗ୍ରେସର ପ୍ରାର୍ଥୀ ତାଲିକା ପହଞ୍ଚିଛି।
ବିଜେପୁରର ସ୍ଥିତି ପରଖିବା ପାଇଁ କଂଗ୍ରେସ ୪ ଜଣିଆ କମିଟି ଗଠନ କରିଛି। ହେମାନନ୍ଦ ବିଶ୍ୱଳଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି। ଏହି ଟିମ୍ ବିଜେପୁର ଯାଇ ପିସିସି ସଭାପତିଙ୍କୁ ଗ୍ରାଉଣ୍ଡ ରିପୋର୍ଟ ପ୍ରଦାନ କରିବେ।
“ବିଜେପୁର ହେଉଛି କଂଗ୍ରେସର ଗଡ଼। ଏଠାରୁ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ଲଗାତାର ବିଜୟୀ ହୋଇ ଆସୁଥିଲେ। ଉପ-ନିର୍ବାଚନରେ ବି କଂଗ୍ରେସ ବିଜୟୀ ହେବ। ଖୁବଶିଘ୍ର ପ୍ରାର୍ଥୀ ଘୋଷଣା କରାଯିବ”, କହିଛନ୍ତି କଂଗ୍ରେସ ମୁଖପାତ୍ର ବିଶ୍ୱରଞ୍ଜନ ମହାନ୍ତି।
ଆଗରେ ବିଜେଡି
କଂଗ୍ରେସ ଓ ବିଜେପିଠାରୁ ଦୁଇ ପାଦ ଆଗରେ ରହିଛି ବିଜେଡି। ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି କ୍ୟାମ୍ପେନ୍ ପର୍ଯ୍ୟନ୍ତ ସବୁଥିରେ ଆଗରେ ରହିଛି ଏହି ଦଳ। ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ ରିତା ସାହୁଙ୍କୁ ପ୍ରାର୍ଥୀ କରି ବିଜେଡଇ ମାଷ୍ଟର ଷ୍ଟ୍ରୋକ୍ ଖେଳିଛି। ଖାଲି ସେତିକି ନୁହେଁ, ଉପ-ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ରିତା ସାହୁ ଦୁଇଟି ପଞ୍ଚାୟତରେ କ୍ୟାମ୍ପେନ ଆରମ୍ଭ କରିଥିଲେ।
ଉପ-ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାରେ ବିଜେଡି ମଧ୍ୟରେ ଆଗରେ ରହିବ ବୋଲି ଜଣାପଡ଼ିଛି। ବିଜେଡି ପ୍ରାର୍ଥୀ ରିତା ସାହୁ ଫେବୃଆରି ୫ରେ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି ବୋଲି ବିଜେଡି ସୂତ୍ରରୁ ଜଣାପଡ଼ିଛି।








ବିଜେପୁର ମଇଦାନରେ ହେବ ଅସଲ ଲଢ଼େଇ। ଏଥିପାଇଁ ୩ ପ୍ରମୁଖ ଦଳ ପ୍ରସ୍ତୁତ କରୁଛନ୍ତି ରଣନୀତି। ବିଜେଡି ଆଗୁଆ ପ୍ରାର୍ଥୀ ଘୋଷଣା କରି କ୍ୟାମ୍ପେନିଂ ମୁଡ୍ରେ ରହିଥିବା ବେଳେ କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ଚୟନ ଅଙ୍କ ଛିଣ୍ଡୁନି।









