ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁବାର କେନ୍ଦ୍ର ସରକାର ସଂସଦରେ ଉପସ୍ଥାପନ କରିବେ ବଜେଟ୍। ଦେଶର ବିକାଶ ପାଇଁ କେଉଁ କ୍ଷେତ୍ରକୁ କେତେ ଟଙ୍କା ମୋଦି ସରକାର ଦେଉଛନ୍ତି ତା’ ଉପରେ ଏବେ ସମସ୍ତଙ୍କ ନଜର।

ଗୁରୁବାର ସଂସଦରେ କେନ୍ଦ୍ର ସରକାର ୨୦୧୮-୧୯ ପାଇଁ ବଜେଟ୍ ଉପସ୍ଥାପନ କରିବେ। ୨୦୧୯ ନିର୍ବାଚନ ପୂର୍ବରୁ ଚଳିତ ବଜେଟ୍ ମୋଦି ସରକାରଙ୍କ ପାଇଁ ବହୁ ଗୁରୁତ୍ବ ମନେ କରାଯାଉଛି। ତେବେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଦେଶବାସୀଙ୍କ ପାଇଁ କ’ଣ ପେଡ଼ି ଖୋଲିବେ ତା’ ଉପରେ ସମସ୍ତଙ୍କ ନଜର।

ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ ଖାଉଟି ଚିନ୍ତାରେ ପଡ଼ିଛନ୍ତି। ସରକାର ବି ଅଡ଼ୁଆର ସମ୍ମୁଖୀନ ହେଉଛନ୍ତି। ଏଣୁ ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟିରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ହେଉଛି। ଏଣୁ ଏ ସମ୍ପର୍କରେ ଜେଟଲି କିଛି ଘୋଷଣା କରି ପାରନ୍ତି ବୋଲି ଅର୍ଥନୀତିଜ୍ଞମାନେ ଆଶା ରଖିଛନ୍ତି।

ଦେଶରେ ଜିଏସ୍‌ଟି ଲାଗୁ ହେବା ପରେ ମୋଦି ସରକାର ପ୍ରଥମ ବଜେଟ୍ ଆଗତ କରିବାକୁ ଯାଉଛନ୍ତି। ଜିଏସ୍‌ଟିକୁ ନେଇ ଲାଗି ରହିଥିବା ଅଡ଼ୁଆ ତୁଟାଇବା ପାଇଁ ଏହି ବଜେଟରେ ସରକାର ପୂର୍ଣ୍ଣ ପ୍ରୟାସ କରିବେ ବୋଲି ଚର୍ଚ୍ଚା ହେଉଛି।

ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାର ଥିବାରୁ ନିଯୁକ୍ତି ବୃଦ୍ଧିକୁ ସରକାର ଗୁରୁତ୍ବ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଖାଲି ସେତିକି ନୁହେଁ, ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ରୋକିବା, କର୍ପୋରେଟ୍ ଟାକ୍ସ ହ୍ରାସ, ବ୍ୟାଙ୍କ ଗୁଡ଼ିକର ଏନପିଏ ସମସ୍ୟା ପାଇଁ ପଦକ୍ଷେପ, ଷ୍ଟକ ବଜାରକୁ ପ୍ରୋତ୍ସାହନ, ସାଇବର ସିକ୍ୟୁରିଟି ଉପରେ ସରକାର ଫୋକସ୍ କରିପାରନ୍ତି ବୋଲି ଆଲୋଚନା ହେଉଛି।

ଏହାସହ ସରକାର ଗ୍ରାମ୍ୟ ସଡ଼କ ଏବଂ କୃଷକଙ୍କ ବିକାଶ ଲାଗି ସ୍ବତନ୍ତ୍ର ନୀତି ପ୍ରଣୟନ କରିପାରନ୍ତି। ୨୦୧୮-୧୯ରେ କେନ୍ଦ୍ର ସରକାର ଭାରତର ସବୁ ଗାଁକୁ ପକ୍କା ସଡ଼କ ସଂଯୋଗ କରିବାକୁ ଚାହୁଁଛନ୍ତି। ଏଥିପାଇଁ ବଜେଟରେ ଅର୍ଥ ବ୍ୟୟ ବରାଦ କରିବାର ସମ୍ଭାବନା ରହିଛି। ସେହିପରି ମନରେଗା ଯୋଜନାରେ ୨ ଲକ୍ଷ ୩୬ ହଜାର କିମି ସଡ଼କ ନିର୍ମାଣ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ମଧ୍ୟ ଅର୍ଥ ବ୍ୟୟବରାଦ କରିବାର ଆଶା ରହିଛି।

ଏପଟେ ରେଳବାଇ କ୍ଷେତ୍ରକୁ ଅଗ୍ରାଧିକାର ଦେବା ପାଇଁ ଜେଟଲି ତାଙ୍କ ବଜେଟରେ କ’ଣ ରଖିଛନ୍ତି ତାକୁ ନେଇ ଉତ୍କଣ୍ଠା ବଢ଼ିଛି। ବଜେଟରେ ଯାତ୍ରୀ ଓ ମାଲ ଭଡ଼ା ଅପରିବର୍ତ୍ତିତ ରହିବ ବୋଲି ଆଶା କରାଯାଉଛି। ରେଳବାଇରେ ଓଡ଼ିଶା କେତେ ପାଉଛି ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

ଓଡ଼ିଶାରେ ରେଳବାଇର ବିକାଶ ଲାଗି ୬ ହଜାର ୫ ଶହ କୋଟି ଟଙ୍କା ଓଡ଼ିଶା ମାଗିଥିଲା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଥିଲେ।

LEAVE A REPLY

Please enter your comment!
Please enter your name here