ଗୀତା ମେହେଟ୍ଟା

ସ୍ୱାଧୀନତା ସଂଗ୍ରାମ ସମୟରେ ଭାବପ୍ରବଣତାର ସ୍ଥାନ ନାହିଁ। ବ୍ରିଟିଶ ପରିବାରଗୁଡ଼ିକୁ ସୁରକ୍ଷା ଦେଇଥିବା ମୋ ବାପା ଯେମିତି ସେ ସରକାର ବିରୁଦ୍ଧରେ ପିସ୍ତଲ ରଖିବାକୁ ବିରୋଧାଭାସ ମଣୁ ନ ଥିଲେ, ସାହସ ପାଇଁ କୃତଜ୍ଞତା ଜଣେଇଥିବା ବ୍ରିଟିଶ ପ୍ରଶାସନ ମଧ୍ୟ ସେଇ ଏକ ଲୋକଙ୍କୁ ଗିରଫ କରିବା ବେଳେ କୌଣସି ବିରୋଧାଭାସ ଦେଖି ନ ଥିଲେ।

ମୋ ବାପା ମା’ ନୂଆଦିଲ୍ଲୀରେ ରହୁଥିଲେ, ଯୋଉ ନୂଆଦିଲ୍ଲୀ ରାଜଧାନୀର ଡିଜାଇନ୍ ପ୍ରସ୍ତୁତ କରିଥିଲେ ଲୁଟିନ୍ସ। ସେତେବେଳେ ସେ ଭାବିଥିଲେ ଯେ ବ୍ରିଟିଶ ସାମ୍ରାଜ୍ୟ ଚିରକାଳ ଭାରତ ମାଟିରେ ଚେର ମାଡ଼ି ରହିଥିବ। ମାତ୍ର, ଏ ପ୍ରକାର ଧାରଣା ପୋଷଣ କରିବାର କୋଡ଼ିଏଟା ବର୍ଷ ଯାଇଛି କି ନାହିଁ ବ୍ରିଟିଶ ଶାସନ ଟଳମଟଳ ଅବସ୍ଥାକୁ ଆସିଗଲା। ମୋ ବାପା ମା’ ସେତେବେଳେ ପୁଲିସ ନଜରରୁ ଆତ୍ମଗୋପନ କରିବାକୁ ଚାହୁଁଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ଅଭୟ ଆଶ୍ରୟ ଦେବାରେ ଲାଗି ପଡ଼ିଥାଆନ୍ତି। ଏ କଥା ଜାଣିଥିବା ଜଣେ ବିଦେଶୀ ସ୍ୱାଧୀନତା ସଂଗ୍ରାମୀ ସେଥିପାଇଁ ଆମ ଘରକୁ ‘ଆବସ୍କଣ୍ଡର୍ସ ପାରାଡାଇଜ୍’ ବା ‘ଫେରାରମାନଙ୍କ ଅମରାବତୀ’ ବୋଲି ନାଁ ଦେଇଥିଲେ।

ଯୋଉଦିନ ସକାଳେ ମୁଁ ଜନ୍ମ ହେଲି, ସେଦିନ ଆମ ଘରେ ଗୋଟେ ପ୍ରକାର ମତୈକ୍ୟ ଗଢ଼ି ଉଠିଥିଲା ଯେ ମୋ ନାଁ ଜୋନ୍ ଅଫ୍ ଆର୍କ ରଖାଯିବ। ମାତ୍ର ଏଇ ନାଁଟି ସହ ଭାରତୀୟ ପରିଚିତିର ସମ୍ବନ୍ଧ ରହୁ ନ ଥିଲା। ତେଣୁ ମୋ ନାଁ ଦିଆଗଲା ଗୀତା, ଅର୍ଥାତ୍ ଗୀତ। ସେ ସମୟ ଥିଲା ସ୍ୱାଧୀନତା ପାଇଁ ଲଢ଼େଇର ସମୟ ଓ ନାଁ ମୁକ୍ତିର ସଂଗୀତ ରଖାଯିବା କଥା ଉଠିଲା ବେଳେ ସ୍ୱାଧୀନତା ଭାରତର ହାତ ପାଆନ୍ତାରେ ବୋଲି ଏକ ବିଶ୍ୱାସ ଗଢ଼ି ଉଠି ସାରିଥିଲା। ମାତ୍ର ଏ ପ୍ରକାର ନାମକରଣରୁ ସେମାନଙ୍କର ଅପରିପକ୍ୱ ଆଶାବାଦର  ସୂଚନା ହିଁ ମିଳୁଥିଲା। କାରଣ ଏ ଘଟଣାର ଠିକ୍ ତିନି ସପ୍ତାହ ପରେ ଛଅଜଣ ସଶସ୍ତ୍ର କନେଷ୍ଟବଳ ଆମ ‘ଫେରାର୍‌ମାନଙ୍କ ଅମରାବତୀ’ ଘରେ ପହଞ୍ଚିଲେ ଓ ମୋ ବାପାଙ୍କୁ ଧରି ଜେଲ୍‌କୁ ନେଇଗଲେ।

ଏହି ଗିରଫଦାରୀର କାରଣ ଥିଲା ପିସ୍ତଲ। ଗୋଟିଏ ଦଶନ୍ଧି ଧରି ଚାଲି ଆସିଥିବା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନ ବ୍ରିଟିଶମାନଙ୍କୁ ଭାରତରୁ ହଟେଇ ପାରି ନ ଥିଲା। ସେଥିପାଇଁ ଉଗ୍ର ଜାତୀୟବାଦୀମାନେ, ଯୋଉମାନେ କି ଯୌବନର ଆଦ୍ୟକାଳରେ ହିଁ ପହଞ୍ଚିଥିଲେ, ସେମାନେ ଭାରତୀୟ ସେନାବାହିନୀର ସହାନୁଭୂତିଶୀଳ ଅଧିକାରୀମାନଙ୍କଠାରୁ ଏସବୁ ଅସ୍ତ୍ରଶସ୍ତ୍ର ହାସଲ କରିଥିଲେ ଓ ଦରକାର ବେଳେ ବ୍ରିଟିଶ ହାତରେ ଧରାପଡ଼ି ସେମାନଙ୍କ ପାଦ ତଳେ ପଡ଼ିବା ଅପେକ୍ଷା ଠିକଣା ନିଷ୍ପତ୍ତି ନେବା ପାଇଁ ନିଜକୁ ପ୍ରସ୍ତୁତ କରି ରଖୁଥିଲେ। ଏହାର କିଛି ବର୍ଷ ଆଗରୁ ମୋ ବାପାଙ୍କର ଜଣେ ସମ୍ପର୍କୀୟ ଭାଇ, ଉଣେଇଶ ବର୍ଷୀୟ ତରୁଣ କବି ଚିଟାଗଙ୍ଗର ବ୍ରିଟିଶ ଅସ୍ତ୍ରାଗାର ଉପରେ ଚଢ଼ଉ କରିଥିଲେ। ମାତ୍ର ବ୍ରିଟିଶ ପୁଲିସ ହାତରେ ଧରାପଡ଼ିବା ଅପେକ୍ଷା ମୃତ୍ୟୁ ହିଁ ଶ୍ରେୟସ୍କର ଭାବି ସେ ଗୁଳିବର୍ଷାର ଶିକାର ହୋଇଥିଲେ। ତାଙ୍କର ଆହତ ସାନଭାଇ ପୁଲିସ ହାତରେ ଧରାପଡ଼ି କଳାପାଣି ଦଣ୍ଡ ଭୋଗ କରିଥିଲେ।

ମୋ ବାପାଙ୍କ ହାତକଡ଼ା ପଡ଼ିଲା ପରେ ସେ ମାଆଙ୍କ ପାଖକୁ ଯାଇ ବିଦାୟ ନେବା ଭଙ୍ଗୀରେ ଘରେ ଥିବା ପିସ୍ତଲଗୁଡ଼ିକୁ ବାହାରେ ଫିଙ୍ଗି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତାହା ନ ହେଲେ ବାପାଙ୍କୁ ମଧ୍ୟ କଳାପାଣି ଦଣ୍ଡ ଭୋଗିବାକୁ ପଡ଼ିଥାଆନ୍ତା। କଳାପାଣି ଆଣ୍ଡାମାନ ଦ୍ୱୀପପୁଞ୍ଜ ସେହି ଭୟଙ୍କର କାରାଗାରର ନିର୍ଯାତନା ଅବର୍ଣ୍ଣନୀୟ। ମୁଁ ଶୁଣିଛି ଯେ, ମୋ ମାମୁଙ୍କ ସାଙ୍ଗରେ ଦଣ୍ଡ ଭୋଗୁଥିବା ସେହି ଜେଲ୍‌ରେ ଅଧାଅଧି କଏଦୀ ଏ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିଥିଲେ।

ପିସ୍ତଲଗୁଡ଼ିକୁ ବାହାରେ ନେଇ ନିରାପଦରେ କୋଉଠି ପକେଇ ଦେଇ ଆସିବା ମୋ ମା’ ପାଇଁ ଗୋଟେ ସମସ୍ୟା ଥିଲା। ଉତ୍ତର ଭାରତର ଆଉ ଅନ୍ୟ ଝିଅଙ୍କ ପରି ସେ ବି ଅସୂର୍ଯ୍ୟଂପଶ୍ୟା ସଂସ୍କୃତିରେ ବଢ଼ିଥିଲା। ନାରୀମାନଙ୍କ ମହଲରେ ଓ ମହିଳା ଶିକ୍ଷକଙ୍କଠାରୁ ତାଲିମ ନେଇ ସେ ତା’ ନିଜ ରାଜ୍ୟ କାଶ୍ମୀର ହ୍ରଦର ଚିତ୍ରଟି ୱାଟରକଲରରେ ଆଙ୍କିବା, ସିତାରରେ କିଛି ରାଗ ରାଗିଣୀ ବଜେଇବା, ଶାସ୍ତ୍ରୀୟ ସଂସ୍କୃତି ଓ ପାର୍ସି କହିବା କାମ ଶିଖିଥିଲା। ମାତ୍ର ଆଧୁନିକ କାଇଦାକାନୁନ ବିଷୟରେ ତା’ର ବେଶି କିଛି ଧାରଣା ନ ଥିଲା।

ବାହାଘର ପରେ ପରେ ମୋ ବାପା ମୋ ମାଆର ଏଇସବୁ ନ ପାରିଲାପଣକୁ ସଜାଡ଼ିବାକୁ ଲାଗିଗଲେ। ଦୁହିଁଙ୍କ ଉଚ୍ଚତା ଭିତରେ ଥିବା ତାରତମ୍ୟକୁ ଭୁଲି କୋଉ କୋଉ ଜିନିଷ ଆଗେ ହେବା ଦରକାର ସେ ସ୍ଥିର କଲେ। ସେ ମୋ ମାଆଙ୍କୁ ବଲ୍ ଡ୍ୟାନ୍ସ ଓ ବ୍ରିଜ୍ ଖେଳ ଶିଖେଇଥିଲେ।  ତା’ ପରେ ତାକୁ ସାଇକେଲ୍‌ରେ ଦିନେ ବସେଇ ସେ ନିଜେ ପେଡାଲ୍ ଚଳେଇ ଶିଖିବା ଯାଏ ଠେଲି ଚାଲିଲେ।

ବାପା ନିଜେ ପାଇଲଟ୍ ଥିବାରୁ ମୋ ମାଆକୁ ଉଡ଼ାଜାହାଜ ଚଳାଇବା ଶିଖେଇବାକୁ ଚାହୁଁଥିଲେ। ମାତ୍ର ମୋ ମା’ ମୂଳରୁ ମୋଟର ଚଳେଇବା ଶିଖି ନ ଥିଲା। ତେଣୁ ବାପା ତାକୁ ଆମର ୪ ସିଟ୍‌ର ସନବିମ୍ ଟାଇବଟ୍ ଚଳେଇବା ଶିଖେଇଥିଲେ।

ସେ ଯାହା ହେଉନା କାହିଁକି ମୋ ବାପାଙ୍କୁ ପୋଲିସ ବାନ୍ଧି ନେଲା ପରେ ପିସ୍ତଲଗୁଡ଼ିକୁ ଗୋଟେଇ ଗୋଟେଇ ସେଇ ସନ୍‌ବିମ୍ ଟାଇବଟ୍ ଗାଡ଼ିରେ ବସିଲା ଓ ବୁଲିଯିବା ବାହାନାରେ ଅନେକ ଦୂରକୁ ଯାଇ ଗୋଟାଏ ଜାଗାରେ ତକିଆ ଖୋଳ ଭିତରେ ଭର୍ତ୍ତି କରିଥିବା ପିସ୍ତଲଗୁଡ଼ାକୁ ପକେଇ ଦେଇ ପୁଣି ଫେରି ଆସିଲା। ଘରେ ସେତେବେଳେ ମୁଁ ଓ ମୋ ବର୍ଷକର ବଡ଼ଭାଇ ଥାଉ।

ପରଦିନ ମୋ ମା’ ଜାଣିପାରିଲା ଯେ ସେ ଅନ୍ଧାରରେ ଯୋଉଟିକୁ ନିଭୃତ ସ୍ଥାନ ଭାବି ପିସ୍ତଲଗୁଡ଼ାକ ପକେଇ ଦେଇ ଆସିଥିଲା ତାହା ଥିଲା ପ୍ରକୃତରେ ଚିଫ୍ ଇନ୍ସ୍‌ପେକ୍ଟର ଅଫ୍ ପୋଲିସ ଦପ୍ତରର ପାଚିରୀକଡ଼। ସୌଭାଗ୍ୟ ବଶତଃ, ସେପରି ଏକ ନାଟକୀୟ ପରିସ୍ଥିତିରେ ସୁଦ୍ଧା ମୋ ମା’ ତା’ର ଗୃହିଣୀ ସୁଲଭ କୃପଣ ପଣିଆ ଯୋଗୁ ଭଲ ତକିଆ ଖୋଳ (ଯୋଉ ଖୋଳମାନଙ୍କରେ ସେ ମନୋଗ୍ରାମ୍ ବୁଣିଥାଏ) ବ୍ୟବହାର କରି ନ ଥିଲା। ସେଥିପାଇଁ ଆମ ଘର ସହ ପିସ୍ତଲଗୁଡ଼ାକର ସମ୍ବନ୍ଧ ସ୍ଥାପିତ ହୋଇପାରିଲା ନାହିଁ।

ଏ ଘଟଣାର ମାତ୍ର କେଇଟା ଦିନ ଆଗରୁ ମୋ ବାପାଙ୍କୁ ବ୍ରିଟିଶ ସରକାର ସମ୍ମାନିତ କରିଥିଲେ। ଭାଇସରାୟଙ୍କ ପତ୍ନୀ ନିଜେ ତାଙ୍କୁ ମେଡ଼ାଲ ପିନ୍ଧେଇ ଦେଇଥିଲେ। କାରଣ ମୋ ବାପା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନୀମାନଙ୍କ ଦ୍ୱାରା ବନ୍ଦୀ ବ୍ରିଟିଶ ପରିବାରଗୁଡ଼ିକୁ ମୁକୁଳେଇ ଆଣିଥିଲେ। ତାଙ୍କର ସେହି ଦୁଃସାହସିକ କାର୍ଯ୍ୟକୁ ପରବର୍ତ୍ତୀ ସମୟରେ ଅବଶ୍ୟ ନାୟକତ୍ୱରେ ଅଭିଷିକ୍ତ କରାଯାଇଛି, ମାତ୍ର ସେତେବେଳେ ସେସବୁ ସେ ସ୍ୱାଭାବିକ ଭାବେ କରିଥିଲେ।

କିନ୍ତୁ ସ୍ୱାଧୀନତା ସଂଗ୍ରାମ ସମୟରେ ଭାବପ୍ରବଣତାର ସ୍ଥାନ ନାହିଁ। ବ୍ରିଟିଶ ପରିବାରଗୁଡ଼ିକୁ ସୁରକ୍ଷା ଦେଇଥିବା ମୋ ବାପା ଯେମିତି ସେ ସରକାର ବିରୁଦ୍ଧରେ ପିସ୍ତଲ ରଖିବାକୁ ବିରୋଧାଭାସ ମଣୁ ନ ଥିଲେ, ସାହସ ପାଇଁ କୃତଜ୍ଞତା ଜଣେଇଥିବା ବ୍ରିଟିଶ ପ୍ରଶାସନ ମଧ୍ୟ ସେଇ ଏକ ଲୋକଙ୍କୁ ଗିରଫ କରିବା ବେଳେ କୌଣସି ବିରୋଧାଭାସ ଦେଖି ନ ଥିଲେ।

ଏ ପ୍ରକାର ନିଷ୍ଠୁରତାକୁ ନେଇ ଜୀବନ ଜୀଇଁବାର ଗୁରୁଦାୟିତ୍ୱ ମୋ ମା’ ଉପରେ ପଡ଼ିଥିଲା। ପ୍ରାୟ ଚାରିବର୍ଷ ପର୍ଯ୍ୟନ୍ତ ସେ ଦିଇଟି ସାନ ସାନ ପିଲାଙ୍କୁ କୋଳରେ ଧରି ଏ ଜେଲ୍‌ରୁ ସେ ଜେଲ୍ ପର୍ଯ୍ୟନ୍ତ ଧାଇଁଥିଲା ଓ ମୋ ବାପାଙ୍କ ପାଖେ ଗୁପ୍ତ ଚିଠି ସବୁ ପହଞ୍ଚେଇ ଦେଉଥିଲା। ବେଳେ ବେଳେ ସେ ଏ ଚିଠିଗୁଡ଼ିକ ମୋ ଭାଇର ଜୋତା ଭିତରେ ଭର୍ତ୍ତି କରି ନେଉଥିଲା।

ଦୁଇବର୍ଷ ପରେ ମା’ ଆମକୁ ଗୋଟେ କନଭେଣ୍ଟରେ ଛାଡ଼ିଲା ଓ ଜେଲ୍ ଡେଇଁ ଖସି ଆସିବା ପାଇଁ ବାପାଙ୍କର ଦୁଃସାହସିକ ଯୋଜନାଗୁଡ଼ିକୁ କେମିତି ହାସଲ କରାଯାଇପାରିବ ସେ ଦିଗରେ ଧ୍ୟାନ ଦେଲା। କିଛି ଦିନ ପରେ ସେହି ଶୁଭ ମୁହୂର୍ତ୍ତ ଆସିଲା ସେତେବେଳେ କି ବାପା ଏମିତି ଗୋଟେ ଉଦ୍ୟମ କରି ସଫଳ ହେଲେ; ମାତ୍ର ତାଙ୍କ ହାତଟାକୁ ଭାଙ୍ଗି ବସିଲେ। ସେତେବେଳେ ବାପାଙ୍କ ହାତ ଠିକ୍ କରିବା ପାଇଁ ମା’ ଜଣେ ବିପ୍ଳବୀ ଚିକିତ୍ସକଙ୍କୁ ଅନୁରୋଧ କରିଥିଲେ। ମାସ ମାସ ଧରି ବାପାଙ୍କୁ ଯାନବାହନ ନିୟନ୍ତ୍ରଣ କରୁଥିବା ଟ୍ରାଫିକ୍ ପୋଲିସ ପରି ହାତ ଟେକି ରହିବାକୁ ପଡ଼ିଥିଲା। କାରଣ ମା’ ସବୁବେଳେ ଭୟ କରୁଥିଲା ଯେ ତା’ ସ୍ୱାମୀର ଉଚ୍ଚତା ଯୋଗୁଁ ସେ ସହଜରେ ଧରାପଡ଼ିଯିବେ ଓ ଧରାପଡ଼ିଲେ ଜେଲ୍‌ରୁ ଖସି ପଳେଇ ଆସିଥିବା ଅପରାଧରେ ଦେଶାନ୍ତର ଦଣ୍ଡ ଭୋଗ କରିବେ।

ଜେଲ୍‌ରେ ଥିବାବେଳେ ମୋ ବାପା ତାଙ୍କର ରୋଷେଇ କଳା ଓ ଚେସ୍ ଖେଳର ଦକ୍ଷତା ବଢ଼େଇବାରେ ଲାଗିଥିଲେ। ତା’ ସଙ୍ଗେ ସଙ୍ଗେ କୋଉ ଉପାୟରେ ବ୍ରିଟିଶ ସାମ୍ରାଜ୍ୟକୁ ଟଳେଇ ଦେଇହେବ ସେ ଚିନ୍ତା ମଧ୍ୟ ସେ କରୁଥିଲେ। ଏହି ଉପାୟ ଚିନ୍ତା କରୁ କରୁ ସେ ଟେକ୍ସଟାଇଲ୍ ଫ୍ୟାକ୍ଟ୍ରିଗୁଡ଼ିକ ସେଇ ରଙ୍ଗ ଓ ରାସାୟନିକ ଦ୍ରବ୍ୟ ଆବଶ୍ୟକ କରନ୍ତି ଯାହା ନୋଟ୍ ତିଆରି ପାଇଁ ମଧ୍ୟ ଆବଶ୍ୟକ ହୋଇଥାଏ। ବାପା ଯେମିତି ସ୍ଥିର ନିଶ୍ଚିତ ହୋଇଯାଇଥିଲେ ଯେ ସେ ଜେଲ୍‌ରୁ ଖସିବାର ଛଅମାସ ଭିତରେ ପ୍ରଚୁର ଜାଲ୍ ନୋଟ୍ ଛାପି ଉପମହାଦେଶ ସାରା ବିଛେଇ ଦେବେ ଯାହା ଫଳରେ କି ବ୍ରିଟିଶରାଜର ପତନ ଅବଶ୍ୟମ୍ଭାବୀ ହୋଇପଡ଼ିବ…।

(ସୌଜନ୍ୟ – ଓଡ଼ିଶାଲାଇଭ ଦ୍ୱାରା ପ୍ରକାଶିତ ‘ଶତାବ୍ଦୀର ଦୂରଦ୍ରଷ୍ଟା’)


Comment