ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୨୪ ଲକ୍ଷ ୪୨ ହଜାର କୋଟି ଟଙ୍କାର ବଜେଟ୍
  • ୮ କୋଟି ମହିଳାଙ୍କୁ ମିଳିବ ମାଗଣା ଗ୍ୟାସ୍
  • ଗ୍ରାମାଞ୍ଚଳ ଭିତ୍ତିଭୂମି ପାଇଁ ୧୪.୩୪ ଲକ୍ଷ କୋଟି
  • ଚଳିତବର୍ଷ ୫୧ ଲକ୍ଷ ପକ୍କା ଘର ନିର୍ମାଣ ଲକ୍ଷ୍ୟ

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ସଂସଦରେ ଉପସ୍ଥାପନ କରିଛନ୍ତି ସାଧାରଣ ବଜେଟ୍। ଏଥର ମୋଟ ବ୍ୟୟ ଅଟକଳ ରହିଛି ୨୪ ଲକ୍ଷ ୪୨ ହଜାର କୋଟି ଟଙ୍କା।

ବଜେଟରେ କୃଷି, ଗ୍ରାମାଞ୍ଚଳ ଏବଂ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର। ୮ କୋଟି ମହିଳାଙ୍କୁ ଉଜ୍ଜ୍ବଳା ଯୋଜନାରେ ମାଗଣାରେ ଗ୍ୟାସ୍‌ ସଂଯୋଗ ଦିଆଯିବ ବୋଲି ବଜେଟରେ ବ୍ୟୟବରାଦ ହୋଇଛି।

ଗ୍ରାମାଞ୍ଚଳ ଭିତ୍ତିଭୂମି ସୁଦୃଢ଼ ପାଇଁ ବଜେଟରେ ୧୪.୩୪ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ୨୦୨୨ ସୁଦ୍ଧା ଦେଶର ସବୁ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ବଜେଟରେ ଘୋଷଣା କରାଯାଇଛି। ଚଳିତବର୍ଷ ୫୧ ଲକ୍ଷ ପକ୍କା ଘର ନିର୍ମାଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ସେହିପରି ଗରିବ ପରିବାରକୁ ବିଦ୍ୟୁତ ସଂଯୋଗ ଦିଆଯିବା ପାଇଁ ୧୬ ହଜାର କୋଟି ଟଙ୍କାର ବ୍ୟବୟବରାଦ କରାଯାଇଛି। ୫ ଶହ ସହରରେ ଜଳ ଯୋଗାଣ ଲାଗି କେନ୍ଦ୍ର ସରକାର ଅମୃତ ଯୋଜନା ଘୋଷଣା କରିଛନ୍ତି।

ଏହାସହ କୃଷିକୁ ଅଗ୍ରାଧିକାର ଦିଆଯାଇଛି। କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟକୁ ଉତ୍ପାଦନ ଖର୍ଚ୍ଚର ଦେଢ଼ ଗୁଣା କରିବାକୁ ପ୍ରସ୍ତାବ ରହିଛି। କୃଷି ଋଣ ବାବଦେ ଚଳିତ ବର୍ଷ ୧୧ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ବଜେଟରେ।

ଆଳୁ, ପିଆଜ, ଟମାଟୋ ସଂରକ୍ଷଣ ପାଇଁ ଅପରେସନ୍ ଗ୍ରୀନରେ ୫ ଶହ କୋଟି ଟଙ୍କାର ବ୍ୟବୟବରାଦ କରାଯାଇଛି। କୃଷକଙ୍କ ପାଇଁ ଦେଶରେ ୨୨ ହଜାର ଗ୍ରାମୀଣ ହାଟ ସ୍ଥାପନ କରିବା ଲାଗି ବଜେଟରେ ଘୋଷଣା ହୋଇଛି।

ଜାତୀୟ ଜୀବିକା ମିଶନ ପାଇଁ ୫ ହଜାର ୭୫୦ କୋଟି ଟଙ୍କାର ବ୍ୟବୟବରାଦ କରାଯାଇଛି। ଏଣିକି ସବୁ ଟୋଲ୍‌ ଗେଟରେ କ୍ୟାସ ବଦଳରେ ଇ-ପେମେଣ୍ଟ ବ୍ୟବସ୍ଥା କରାଯିବ। ଏହାସହ ଗ୍ରାମାଞ୍ଚଳରେ ୫ ଲକ୍ଷ ଓ୍ବାଇଫାଇ ସ୍ପଟ ଚିହ୍ନଟ କରିବାକୁ ଘୋଷଣା କରିଛନ୍ତି ଜେଟଲି। ୫୬ଟି ଅବ୍ୟବହୃତ ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରିବା ପାଇଁ ବ୍ୟବସ୍ଥା କରାଯିବ।

କିଏ କ’ଣ କହିଛନ୍ତି

 

“କୃଷକଙ୍କୁ ଅଧିକ ଲାଭ ମିଳିବା ପାଇଁ ବ୍ୟବସ୍ଥା କରାଯାଇଛି। ଗରିବଙ୍କ ବିକାଶ ଏବଯ ଟ୍ୟାକ୍ସ ଦେଉଥିବା ଲୋକଙ୍କୁ ଉପଯୁକ୍ତ ସମ୍ମାନ ଦେବା ଲାଗି ବଜେଟରେ ବ୍ୟବସ୍ଥା ହୋଇଛି। ଭାରତ ଆହୁରି ଆଗକୁ ଯିବ ବୋଲି ବଜେଟ ପରେ ମୋର ବିଶ୍ୱାସ ଆସିଛି”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

“କେନ୍ଦ୍ର ବଜେଟ୍ ଉପରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏମ୍‌ଏସ୍‌ପି ବୃଦ୍ଧି ପାଇଁ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତିକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି।

ଓଡ଼ିଶାର କେବିକେ ଏବଂ ଅନ୍ୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପ୍ରତି କେନ୍ଦ୍ର ବଜେଟରେ ଗୁରୁତ୍ବ ଦିଆଯାଇନାହିଁ। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଯଦି ଠିକ୍‌ ଭାବେ କାର୍ଯ୍ୟକାରୀ ହୁଏ ଏବଂ କେନ୍ଦ୍ର ସରକାର ଯାହା ପ୍ରତିଶ୍ରୁତି ଦେଇଛନ୍ତି ଯଦି ତାହା ଠିକ୍‌ରେ ଲାଗୁ ହୁଏ ତାହେଲେ ବହୁ ଗରିବ ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।”

ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ଏହା ସମ୍ପୂର୍ଣ୍ଣ ନିର୍ବାଚନ ଅଭିମୁଖି ବଜେଟ୍। ଏମ୍‌ଏସ୍‌ପି ବୃଦ୍ଧି କରିବା ପାଇଁ ସରକାର କହିଛନ୍ତି। ହେଲେ ତାହା ଘୋଷଣା ହୋଇ ନଥିବାରୁ ଏହା ଏକ ଛଳନାତ୍ମକ ବଜେଟ୍।”

“ଚଳିତ ବଜେଟ୍‌ ସାଧାରଣ ଲୋକଙ୍କ ଉପକାରରେ ଆସିବ। ଗରିବ ଓ ଗ୍ରାମାଞ୍ଚଳ ଲୋକ ଉପକୃତ ହେବେ। କୃଷକମାନଙ୍କ ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି”, କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।

“ସାଧାରଣ ଲୋକଙ୍କୁ ଧ୍ୟାନରେ ରଖି ବଜେଟ୍ କରାଯାଇଛି। ପ୍ରଥମ ଥର ସାଢ଼େ ୧୪ ଲକ୍ଷ କୋଟି ଟଙ୍କା ଗ୍ରାମାଞ୍ଚଳର ବିକାଶ ଏବଂ କୃଷି ପାଇଁ ଖର୍ଚ୍ଚ କରାଯିବ। ଏହା ଏକ ଯୁଗାନ୍ତକାରୀ ବଜେଟ୍। ଓଡ଼ିଶା ଭଳି ରାଜ୍ୟ ଏଥିରୁ ଲାଭ ପାଇବ”, କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

“ଏହି ବଜେଟ ଏକ ଅବାସ୍ତବ ବଜେଟ୍। କେନ୍ଦ୍ର ସରକାର ବଜେଟରେ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ଦେବା ପାଇଁ ସମ୍ବଳ ଯୋଗାଡ଼ କରିପାରିବେ ନାହିଁ। ଭୋଟ ପାଇଁ ଏହି ବଜେଟ୍ କରାଯାଇଛି”, କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ।

LEAVE A REPLY

Please enter your comment!
Please enter your name here