ଓଡ଼ିଶାଲାଇଭ୍‍ ବ୍ୟୁରୋ

ମହାନ ଜନନାୟକ ତଥା ରାଷ୍ଟ୍ରନେତା ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ପୁସ୍ତକ ‘ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ର ଉପସ୍ଥାପନା ସମାରୋହ ୩ ଫେବ୍ରୁଆରି, ଶନିବାର ଦିନ ମୁମ୍ବାଇସ୍ଥିତ ୟଶୱନ୍ତରାଓ ଚୌହାନ ପ୍ରତିଷ୍ଠାନ ଅଡିଟୋରିୟମରେ ଅନୁଷ୍ଠିତ ହେବାକୁ ଯାଉଛି।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିବେ। ଏହି ସମାରୋହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଖ୍ୟାତ ବଂଶୀବାଦକ ତଥା ପଦ୍ମବିଭୁଷଣ ହରିପ୍ରସାଦ ଚୌରାସିଆ, ପ୍ରସିଦ୍ଧ ହୃଦ୍‌ଶଲ୍ୟ ବିଶେଷଜ୍ଞ ତଥା ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟର ପରିଚାଳନା ନିର୍ଦ୍ଦେଶକ ପଦ୍ମଭୂଷଣ ଡାକ୍ତର ରମାକାନ୍ତ ପଣ୍ଡା, ପୂର୍ବତନ ମୁମ୍ବାଇ ପୋଲିସ୍ କମିଶନର ଅନୁପ ପଟ୍ଟନାୟକ, ଗ୍ଲୋବାଲ୍ ଏଚ୍ଆର୍ ଓ ସିଇଓ, କାର୍ବନ୍ ବ୍ଲାକ୍ ବିଜିନେସ୍, ଆଦିତ୍ୟ ବିର୍ଲା ଗ୍ରୁପ ସନ୍ତୃପ୍ତ ବି. ମିଶ୍ର ପ୍ରମୁଖ ଏହି ସମାରୋହରେ ଅତିଥି ଭାବରେ ଉପସ୍ଥିତ ରହିବେ।

ଓଡ଼ିଶା ଦକ୍ଷତା ଓ ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ପ୍ରସିଦ୍ଧ ଲେଖକ ସୁବ୍ରତ ବାଗ୍‌ଚି ଏହି ପୁସ୍ତକଟିର ସମୀକ୍ଷା କରିବେ।

ସୁନ୍ଦର ଗଣେଶନଙ୍କ ଦ୍ୱାରା ଲିଖିତ ‘ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ ପୁସ୍ତକରେ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଜୁ ପଟ୍ଟାନୟକଙ୍କ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ କ୍ରାନ୍ତିକାରୀ ଭୂମିକା, ଦେଶବିଦେଶର ବିଭିନ୍ନ ଘଟଣାବଳୀରେ ତାଙ୍କ ଅବଦାନ ଏବଂ ବିଜୁବାବୁଙ୍କ ଭଳି ମହାନ ବିପ୍ଲବୀଙ୍କ ପରାକାଷ୍ଠା  ବିଷୟରେ ଏହି ସମାରୋହରେ ଆଲୋଚନା ହେବା ସହ ଏହି ମହାନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଛି।

ମୁମ୍ବାଇରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ, ଅନେକ ଓଡ଼ିଆ ସଂଗଠନ, କର୍ପୋରେଟ୍ ବ୍ୟକ୍ତିତ୍ୱ, ପ୍ରଶାସକ, ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ ତଥା ଓଡ଼ିଶାରୁ ଆସିଥିବା ବହୁ ମନ୍ତ୍ରୀ, ସାଂସଦ, ବିଧାୟକ ଓ ରାଜନୈତିକ ନେତୃବୃନ୍ଦ ପ୍ରମୁଖ ଏହି ସମାରୋହରେ ଯୋଗଦେବେ।

ପ୍ରବାଦପୁରୁଷ ବିଜୁପଟ୍ଟନାୟକ ଉତ୍କଳ ମାଟିର ଜଣେ ସୁଯୋଗ୍ୟ ସନ୍ତାନ ଭାବେ ପରିଚିତ। ଆଧୁନିକ ଓଡ଼ିଶାର ସେ ଥିଲେ ବିଶ୍ୱକର୍ମା। ପ୍ରଗତିଶୀଳ ଓଡ଼ିଶାର ସେ ଥିଲେ ନିର୍ମାତା। ଲୋକପ୍ରିୟ ଜନନାୟକ, ସମାଜ ସେବକ, ଦୀନ ଦୁଃଖୀର ଆଶା ଓ ଭରସା ଥିଲେ ବିଜୁ ବାବୁ। ନାରୀ ସଶକ୍ତିକରଣ, ଆଦିବାସୀଙ୍କ ପାଇଁ ନିରଳସ କାମ କରିବା ଥିଲା ତାଙ୍କ ନେତୃତ୍ୱର ଅନ୍ୟ ଏକ ପରିଚୟ। ଅର୍ଥନୀତିରେ ଉନ୍ନତି ଆଣିବା ଥିଲା ତାଙ୍କ ଲକ୍ଷ୍ୟ।

ଏହି ପୁସ୍ତକରେ ବିଜୁ ପଟ୍ଟନାୟକଙ୍କ ଜୀବନକାଳର ବହୁ ବିରଳ ଫଟୋ ସ୍ଥାନ ପାଇଛି। ଏଥିସହିତ ଏହି ପୁସ୍ତକରେ ବିଜୁ ପଟ୍ଟନାୟକଙ୍କ ଜୀବନର ଅନେକ ଅନାଲୋଚିତ ତଥ୍ୟ ଜାଣିବାକୁ ମିଳିବ।

Comment