ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ରିତା ସାହୁ। ପଦ୍ମପୁର ଉପ-ଜିଲ୍ଲାପାଳଙ୍କ ଅଫିସରେ ସେ ୩ ସେଟ୍ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଜମୁଛି ବିଜେପୁର ଉପ-ନିର୍ବାଚନ। ଚାଲିଛି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୨ ତାରିଖରେ ନାମାଙ୍କନ ଦାଖଲ କରିବା ପରେ ବିଜେଡି ପ୍ରାର୍ଥୀ ରିତା ସାହୁ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସମର୍ଥକଙ୍କ ଗହଣରେ ରିତା ଶୋଭାଯାତ୍ରାରେ ଯାଇ ପଦ୍ମପୁର ଉପ-ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଦାଖଲ କରିଛନ୍ତି। ସେ ୩ ସେଟ୍ ନାମାଙ୍କନ ଦାଖଲ କରିଥିବା ଜଣାପଡ଼ିଛି।

ରିତା ସାହୁ ହେଉଛନ୍ତି ବିଜେପୁରର ଦିଗଙ୍ଗତ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ। ସୁବଳ କଂଗ୍ରେସ ଟିକଟେରୁ ୩ ଥର ନିର୍ବାଚନ ଜିତିଥିଲେ। ୨୦୧୭ ଅଗଷ୍ଟ ୨୧ରେ ସୁବଳଙ୍କ ଦେହାନ୍ତ ହେବା ପରେ ରିତା ସାହୁ ବିଜେଡିରେ ଯୋଗ ଦେଇଥିଲେ।

ରିତା ସାହୁଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ଅନୁକମ୍ପା ମୂଳକ ଭୋଟ ହାସଲ କରିବା ପାଇଁ ରିତାଙ୍କୁ ବିଜେଡି ପ୍ରାର୍ଥୀ କରିଥିବା କୁହାଯାଉଛି। ପ୍ରାର୍ଥିପତ୍ର ଦାଖଲ ବେଳେ ବିଜେଡିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ରିତା ସାହୁ ପ୍ରାର୍ଥିପତ୍ର ଦାଖଲ କରିବା ବେଳେ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂହଦେଓ, ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ପଦ୍ମପୁର ଟାଉନ ପଡ଼ିଆରେ ବିଜେଡି ପକ୍ଷରୁ ଏକ ସଭା ହୋଇଥିଲା। ଏହି ସଭାରେ ବିଜେଡିର ନେତାମାନେ କର୍ମୀମାନଙ୍କୁ ଉଦ୍‌ବୋଧନ ଦେବା ପରେ ଶୋଭାଯାତ୍ରାରେ ରିତା ସାହୁ ଉପଜିଲ୍ଲାପାଳଙ୍କ ଅଫିସକୁ ଆସିଥିଲେ।

LEAVE A REPLY

Please enter your comment!
Please enter your name here