ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅହମ୍ମଦାବାଦର ପିବିଆର୍‌ ଥିଏଟରରେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ପ୍ୟାଡମ୍ୟାନ’ ଦେଖିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ।

ଶୁକ୍ରବାର ପରଦାକୁ ଆସୁଛି ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ‘ପ୍ୟାଡ୍‌ମ୍ୟାନ୍‌’। ହେଲେ ପରଦାକୁ ଆସିବା ପୂର୍ବରୁ ସୋମବାର ଦିନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ପାଇଁ ସ୍ପେସାଲ ସ୍କ୍ରିନିଙ୍ଗ କରାଯାଇଥିଲା। ଅଭିନେତା ଅକ୍ଷୟ କୁମାରଙ୍କ ସହ ମୁଖ୍ୟମନ୍ତ୍ରୀ ରୂପାଣୀ ‘ପ୍ୟାଡ୍‌ମ୍ୟାନ୍’ ଦେଖିଥିଲେ।

ଅହମ୍ମଦାବାଦର ପିବିଆର୍‌ ଥିଏଟରରେ ଅକ୍ଷୟ କୁମାର ଏବଂ ରୂପାଣୀଙ୍କ ପାଇଁ ଏହି ସ୍ପେଶାଲ ସୋ’ର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ରୂପାଣୀଙ୍କ ସହ ଶିକ୍ଷା ଏବଂ ଶିଶୁକଲ୍ୟାଣ ମନ୍ତ୍ରୀ ବିଭାବରି ଦବେ ମଧ୍ୟ ଏହି ଫିଲ୍ମ ଦେଖିଥିଲେ।

ଫିଲ୍ମ ପ୍ୟାଡମ୍ୟାନ ଉପରୁ ଗୁଜରାଟରେ ଟିକସ୍ ଛାଡ଼ କରାଯିବ କି ବୋଲି ଗଣମାଧ୍ୟମ ପ୍ରତିନିଧି ରୂପାଣୀଙ୍କୁ ପ୍ରଶ୍ନ କରିଥିଲେ। ହେଲେ ଜିଏସ୍‌ଟି ଲାଗୁ ହେବା ପରେ ଏହା ସମ୍ଭବ ନୁହେଁ ବୋଲି ରୂପାଣୀ ଉତ୍ତର ଦେଇଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ତରଫରୁ ଯାହା କରାଯିବା କଥା ତାହା କରାଯିବ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ କହିଛନ୍ତି।

“ସମାଜରେ ଏହି ଫିଲ୍ମ ସଚେତନତାର ବାର୍ତ୍ତା ପ୍ରଦାନ କରିବ। ଏହି ଫିଲ୍ମରେ ମହିଳା ସ୍ୱଚ୍ଛତାର ବାର୍ତ୍ତା ଦିଆଯାଇଥିବାରୁ ଲୋକେ ଏହାକୁ ଗ୍ରହଣ କରିବେ”, କହିଛନ୍ତି ଅକ୍ଷୟ କୁମାର।

Comment