ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଅଇଁଠାପାଲି ଥାନାରେ ହାଜତ ମୃତ୍ୟୁ ଅଭିଯୋଗ
  • ହାଜତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର
  • ପୋଲିସ ପିଟି ପିଟି ମାରି ଦେଇଥିବା ପରିବାରବର୍ଗଙ୍କ ଅଭିଯୋଗ
  • ଥାନାରେ ଧସେଇ ପଶିଲେ ଉତ୍ତ୍ୟକ୍ତ ଲୋକ
  • ପୋଲିସ-ଜନତା ଖଣ୍ଡଯୁଦ୍ଧ
  • ଥାନାରେ ନିଆଁ ଲଗାଇଦେଲେ ଲୋକେ

ଜଳିଲା ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା। ଥାନାରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ। ଗୁରୁବାର ରାତିରେ ଘଟିଥିବା ହାଜତ ମୃତ୍ୟୁକୁ ନେଇ ଅଇଁଠାପାଲି ଥାନାରେ ଘଟିଛି ଏହି ତୁମୁଳକାଣ୍ଡ। ପ୍ରାୟ ସାଢ଼େ ୩ ଘଣ୍ଟା ଧରି ଉତ୍ତ୍ୟକ୍ତ ଲୋକେ ଥାନାକୁ କବ୍‌ଜା କରି ନେଇଥିଲେ। ପୋଲିସ ଅସହାୟ ହୋଇଯାଇଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପୋଲିସ ଉଦ୍ୟମ କରିଥିଲେ ମଧ୍ୟ ଲୋକେ କିଛି ଶୁଣି ନଥିଲେ। ଖୋଲାଖୋଲି ପୋଲିସକୁ ଚାଲେଞ୍ଜ ଦେଇଥିଲେ।

କ’ଣ ଥିଲା ଘଟଣା?

ସମ୍ବଲପୁର ଜିଲ୍ଲା ଅଇଁଠାପାଲ୍ଲିର ଏକ କଲ୍ୟାଣମଣ୍ଡପରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ପୋଲିସ ୭ ତାରିଖରେ ଜଣେ ଯୁବକଙ୍କୁ ଅଟକ ରଖିଥିଲା। ଅଟକ ରହିଥିବା ଯୁବକ ଜଣକ ହେଲେ ଭାଲୁପାଲି ଗାଁର ଅବିନାଶ ମୁଣ୍ଡା। ହେଲେ ଗୁରୁବାର ରାତିରେ ଥାନା ହାଜତରେ ଘଟିଥିଲା ଅଭାବନୀୟ ଘଟଣା। ଅଟକ ରହିଥିବା ଅବିନାଶଙ୍କର ମୃତଦେହ ହାଜତ ଭିତରୁ ଉଦ୍ଧାର କରାଯାଇଥିଲା।

ଏହି ମୃତ୍ୟୁକୁ ପୋଲିସ ଆତ୍ମହତ୍ୟା କହିବାରୁ ପରିବାର ଲୋକ ଏବଂ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଥିଲା। ଏହି ଅସନ୍ତୋଷ ଶୁକ୍ରବାର ସକାଳେ ଉଗ୍ରରୂପ ଧାରଣ କରିଥିଲା। ପୋଲିସ ଅବିନାଶଙ୍କୁ ପିଟି ପିଟି ମାରି ଦେଇଥିବା ପରିବାରବର୍ଗ ଅଭିଯୋଗ କରିବା ପରେ ଉତ୍ତ୍ୟକ୍ତ ଲୋକଙ୍କ ରାଗ ସୀମା ଟପି ଯାଇଥିଲା।

ଉତ୍ତ୍ୟକ୍ତ ଲୋକେ ପ୍ରଥମେ ଭାଲୁପାଲି ଛକରେ ରାସ୍ତା ଅବରୋଧ କରି ଘଟଣାର ପ୍ରତିବାଦ କରିଥିଲେ। ଶେଷରେ ଥାନା ଭିତରକୁ ଶୁକ୍ରବାର ସକାଳେ ଧସେଇ ପଶିଥିଲେ। ପୋଲିସ ଅଟକାଇଥିଲେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଏହାକୁ ମାନି ନଥିଲେ। ଥାନାରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ଥାନା ପରିସରରେ ନିଆଁ ଲଗାଇ ଦେଇଛନ୍ତି। ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠି ଚାଳନା କରିଥିଲା। ଏହାର ଜବାବରେ ଲୋକେ ପୋଲିସକୁ ଢେଲା ମାଡ଼ କରିଥିଲେ।

ପୋଲିସର ଲାଠି ମାଡ଼ରେ ଲୋକେ ଲହୁଲୁହାଣ ହେବା ସହ କିଛି ଲୋକ ମଧ୍ୟ ଆହତ ହୋଇଥିଲେ। ଏହି ପ୍ରତିବାଦ ଥମିବା ବଦଳରେ ଜୋରଦାର ହୋଇଥିଲା। ଲୋକେ ଥାନାରେ ପଡ଼ି ରହିଥିବା ପୁରୁଣା ଗାଡ଼ି ସମେତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଏବଂ ଆସବାବପତ୍ରରେ ନିଆଁ ଲଗାଇ ଦେଇଥିଲେ। ଥାନା ପରିସର ଜଳିଥିଲା। ପୋଲିସ ଅସହାୟ ହୋଇ ଯାଇଥିଲା।

ଥାନା ପରିସରରେ ୭ ପ୍ଲାଟୁନ୍ ଫୋର୍ସ

ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିବାରୁ ସମ୍ବଲପୁର ଏସ୍‌ପି ସଞ୍ଜୀବ ଆରୋରା ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଉତ୍ତେଜନା ବଢ଼ିବାରୁ ଥାନା ପରିସରରେ ୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୋଲିସ ଫୋର୍ସର ଲାଠି ଚାଳନା କରିବାରୁ ଉତ୍ତ୍ୟକ୍ତ ଲୋକ ଛତ୍ରଭଙ୍ଗ ଦେଇଥିଲେ। ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଉତ୍ତରାଞ୍ଚଳ ଆଇଜି ସୁଶାନ୍ତ ନାଥ କହିଛନ୍ତି, “ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଉଛି। ୭ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଏଚଚ୍ଆରପିସିଙ୍କୁ ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ।”

ସମ୍ବଲପୁର ଗଲେ ଏଚ୍‌ଆର୍‌ପିସି ଟିମ୍

ଅଇଁଠାପାଲି ଥାନା ଜଳିବା ପରେ ଉତ୍ତରାଞ୍ଚଳ ଆଇଜି ସୁଶାନ୍ତ ନାଥ ଏଚଆର୍‌ପିସି ତଦନ୍ତ କରିବାକୁ ଆଦେଶ ଦେଇଥିଲେ। ଏହି ଆଦେଶ ପରେ ୩ ଜଣିଆ ଟିମ୍‌ ସମ୍ବଲପର ଯାଇଛନ୍ତି। ସନ୍ଧ୍ୟାରେ ପହଞ୍ଚିବା ପରେ ତଦନ୍ତ କରିବେ। କେଉଁ ପରିସ୍ଥିତିରେ ଯୁବକର ମୃତ୍ୟ ହେଲା ଏବଂ କାହିଁକି ଏଭଳି ଅଭାବନୀୟ ଘଟଣା ଘଟିଲା ତାର ଖୋଳତାଡ଼ କରିବେ।

ଏହି ଟିମ୍‌ ସମ୍ବଲପୁର ଏସ୍‌ପି ସଞ୍ଜିବ ଆରୋରାଙ୍କ ସହ ଯୋଗାଯୋଗ କରି ତଦନ୍ତ କରିବେ ବୋଲି  ସୂଚନା ଦେଇଛନ୍ତି ଏଚଆର୍‌ପିସି ଏଡିଜି ମହେନ୍ଦ୍ର ପ୍ରତାପ।

ଏଚ୍‌ଆରପିସି ଏଡିଜି ମହେନ୍ଦ୍ର ପ୍ରତାପ କହିଛନ୍ତି, “ହାଜତ ମୃତ୍ୟୁ ଘଟଣାର ତଦନ୍ତ କରିବା ପାଇଁ ୩ ଜଣିଆ ଟିମ୍‌ ସମ୍ବଲପୁର ଯିବେ। ପୋଷ୍ଟମର୍ଟମ ରିପୋର୍ଟ, ଲୋକଙ୍କ ଅଭିଯୋଗ ଏବଂ ଘଟଣାକୁ ଆଖିରେ ରଖି ତଦନ୍ତ କରାଯିବ। ହାଜତ ମୃତ୍ୟୁ ଅଭିଯୋଗର ଯାହା ଗାଇଡ଼ଲାଇନ୍‌ ରହିଛି ତାକୁ ଆଧାର କରି ତଦନ୍ତ କରାଯିବ।”

ଆଇଆଇସି ନିଲମ୍ବିତ

ଅଇଁଠାପାଲି ଥାନାରେ ଉତ୍ତ୍ୟକ୍ତ ଲୋକେ ଲଙ୍କାକାଣ୍ଡ ଘଟାଇବା ପରେ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଉଦ୍‌ବେଗ ପ୍ରକାଶ କରିଛନ୍ତି। କାର୍ଯ୍ୟରେ ଅବହେଳା କରିଥିବା ଅଇଁଠାପାଲି ଥାନା ଆଇଆଇସିଙ୍କ ସମେତ ଡିସିଓ ଏବଂ ସେଣ୍ଟ୍ରିଙ୍କୁ ନିଲମ୍ବିତ କରିଛନ୍ତି ଡିଜି। ଏହାସହ ଉତ୍ତରାଞ୍ଚଳ ଆଇଜି ଏବଂ ସମ୍ବଲପୁର ଜିଲ୍ଲାପାଳ ତଦନ୍ତ କରିବାକୁ କହିଛନ୍ତି ପୋଲିସ ଡିଜି।

ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଅଇଁଠାପାଲି ହାଜତରେ ମୃତ୍ୟୁ ଘଟିଥିବା ଯୁବକ ଅବିନାଶ ମୁଣ୍ଡାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଗୁରୁବାର ରାତିରେ ହାଜତରୁ ଏହି ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଏହାକୁ ନେଇ ଶୁକ୍ରବାର ଥାନା ପରିସରରେ ଲଙ୍କାକାଣ୍ଡ ଘଟିଥିଲା।

Comment