ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାକୁ ଏକ ମହାନ ସ୍ଥାନ ବୋଲି କହିଛନ୍ତି ବିଶିଷ୍ଟ ଆନ୍ତର୍ଜାତିକ ଭ୍ରମଣ କାହାଣୀ ଲେଖିକା ଅଲିନେ ଡବି। ଆଧୁନିକ ବିମାନ ବନ୍ଦର ଓ ରାଜଧାନୀର ଚଉଡା ରାସ୍ତା ଏବଂ ଚମତ୍କାର ସଂଯୋଗକୁ ସେ ପ୍ରଶଂସା କରିଛନ୍ତି।

ଡବି ଜଣେ ବିଖ୍ୟାତ ଫୋଟୋଗ୍ରାଫର ଓ ବ୍ଲଗର ମଧ୍ୟ। ଡ଼ବି ତାଙ୍କ ସ୍ୱାମୀଙ୍କ ସହ ଓଡ଼ିଶା ଆସି ୭ ଦିନ ରହିଥିଲେ। ଆନ୍ତର୍ଜାତିକ ବଜାରରେ ଓଡ଼ିଶାର ପର୍ଯ୍ୟଟନକୁ ଲୋକପ୍ରିୟ କରାଇବା ପାଇଁ ଡ଼ବିଙ୍କୁ ଓଡିଶା ସରକାରଙ୍କ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା।

ଡବି କହିଛନ୍ତି,  “କିଛି ଅନ୍ତର୍ଜାତୀୟ ବିମାନ ଚାଳନା କମ୍ପାନି ଯଥା ଏୟାର ଏମିରେଟ୍ସ ଭୁବନେଶ୍ୱରକୁ ଉଡାଣ ଭରିବା ଦରକାର। ଯାହାଫଳରେ କି ଓଡିଶାକୁ ବହୁଳ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ଆସିପାରିବେ।”

ସେ ଆହୁରି କହିଲେ,”ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଓଡିଶା ପଛରେ ରହିଛି। କେରଳ, ରାଜସ୍ଥାନ ଓ ଗୁଜରାଟ ତୁଳନାରେ ଓଡିଶାକୁ ବହୁତ କିଛି କରିବା ପାଇଁ ଆବଶ୍ୟକତା ରହିଛି।”

ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନାକୁ ବଡ଼ ଆକାରରେ ଆଗେଇ ନେବାର ସମୟ ଆସିଛି ବୋଲି ସେ କହିଛନ୍ତି। ଡ଼ବିଙ୍କ ସ୍ୱାମୀ ଡକ୍ଟର ଗ୍ରାହମ ଡ଼ବି କହିଛନ୍ତି ଯେ ଭିତରକନିକା ଅଭୟାରଣ୍ୟରେ ବହୁତ କିଛି ଦେଖିବା ପାଇଁ ଅଛି ଓ ଆନ୍ତର୍ଜାତିକ ପର୍ଯ୍ୟଟକ ଏହାକୁ ବହୁତ ଭଲ ପାଇବେ।ସେହିଭଳି ଗୋପାଳପୁରରେ ଥିବା ସ୍ୱସ୍ତି ଚିଲିକା ରିସର୍ଟସକୁ ମଧ୍ୟ ସେ ପ୍ରଶଂସା କରିଥିଲେ।

ଯେ କେହି ଏଠାରେ ରହି ଆରାମ କରିବା ସହ ଭଳିକି ଭଳି ପକ୍ଷୀ ଦେଖିପାରିବେ ବୋଲି ଡକ୍ଟର ଗ୍ରାହମ ମତ ପୋଷଣ କରିଥିଲେ। କିନ୍ତୁ ଡକ୍ଟର ଗ୍ରାହମ କହିଲେ ଯେ ଓଡିଶାର ଅଧିକାଂଶ ପର୍ଯ୍ୟଟନ କେନ୍ଦ୍ର ଓ ବେଳାଭୂମିରେ ଅଳିଆ ଆବର୍ଜନା ଓ ପ୍ଲାଷ୍ଟିକ ବୋତଲ ଭର୍ତ୍ତି। ସ୍ଵଛ ଭାରତ ଅଭିଯାନ ଏଠି କାମ କରୁଥିବା ନେଇ ସେ ସନ୍ଦେହ ପ୍ରକଟ କରିଛନ୍ତି।

ବିଦେଶୀ ପର୍ଯ୍ୟଟକମାନଙ୍କ ପାଇଁ ଏହା ଅସନ୍ତୋଷର କାରଣ ହେବାର ଆଶଙ୍କା ରହିଛି ବୋଲି ସେ କହିଥିଲେ। ଏ ନେଇ ପଦକ୍ଷେପ ନେବା ଆବଶ୍ୟକ ଏବଂ ପର୍ଯ୍ୟଟନସ୍ଥଳୀ ଗୁଡିକୁ ଆବର୍ଜନାମୁକ୍ତ କରାଯିବା ଦରକାର ବୋଲି ସେ ଜୋର ଦେଇଥିଲେ। ଡକ୍ଟର ଗ୍ରାହମ ଓ ତାଙ୍କ ପତ୍ନୀ ଭାରତର ପର୍ଯ୍ୟଟନ ଉପରେ ୪ ଖଣ୍ଡ ବହି ଲେଖିଛନ୍ତି।

ଏହି ଉଦ୍ୟମ ପାଇଁ ଡବି ଦମ୍ପତ୍ତିଙ୍କୁ ୨୦୦୬ରେ ‘ପ୍ରାଇଡ଼ ଅଫ ଇଣ୍ଡିଆ ଗୋଲଡ଼ ଆୱାର୍ଡ’ ଦିଆଯାଇଥିଲା। ଓଡ଼ିଶା ଭ୍ରମଣ ସମୟରେ ସେମାନେ ଆହୁରି ଅନେକ ସ୍ଥାନରେ ରହି ବିଭିନ୍ନ ପର୍ଯ୍ୟଟନ ସ୍ଥାନ ବୁଲି ଦେଖିଥିଲେ। ଆଦିବାସୀ ସଂଗ୍ରହାଳୟ, କୋଣାର୍କ, ପିପିଲି ଚାନ୍ଦୁଆ ଓ ରାଜ୍ୟର ବିଭିନ୍ନ ବୌଦ୍ଧ ବିହାର ପରିଦର୍ଶନ କରି ସେମାନେ ଫେରି ଯାଇଛନ୍ତି।

Comment