ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ତିନି ଠାକୁରଙ୍କୁ ତିନୋଟି ମାଳ ପିନ୍ଧାଇଲେ ନେପାଳ ରାଜା
  • ସ୍ୱର୍ଣ୍ଣ ଅଳଙ୍କାର ଭୂଷିତ କଲେ
  • କର୍ପୁର ଆଳତୀ ସହ ନୈବେଦ୍ୟ ଅର୍ପଣ କଲେ
  • ବିଶ୍ୱ ଶାନ୍ତି ପାଇଁ ଶ୍ରୀଜିଉଙ୍କୁ ପ୍ରାର୍ଥନା କରିଛି: ନେପାଳ ରାଜା
  • ୩ ଘଣ୍ଟା ବନ୍ଦ ରହିଲା ସାଧାରଣ ଦର୍ଶନ

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ। ରତ୍ନବେଦୀରେ ନେପାଳ ରାଜା ତିନି ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ସହ ନୈବେଦ୍ୟ ଅର୍ପଣ କରିଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

ନିର୍ଦ୍ଧାରିତ ସମୟ ୧୧ଟାରେ ନେପାଳ ରାଜା ଏବଂ ଗଜପତି ମହାରାଜା ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ପ୍ରଥମେ ଗଜପତି ମହାରାଜା ଦକ୍ଷିଣ ଦ୍ୱାରର ଦେଇ ପ୍ରବେଶ କରିବା ପରେ ନେପାଳ ରାଜା ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ।

ପ୍ରଥମେ ବଟ୍ଟଗଣେଶ, ସର୍ବମଙ୍ଗଳାଙ୍କୁ ଦର୍ଶନ କରିବା ପରେ ନେପାଳ ରାଜା ଗରୁଡ଼ସ୍ତମ୍ଭ ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ପରେ ଗର୍ଭଗୃହକୁ ପ୍ରବେଶ କରିଥିଲେ ନେପାଳ ରାଜା। ଗଜପତି ମହାରାଜାଙ୍କୁ ରତ୍ନବେଦୀ ନିକଟକୁ ପାଛୋଟି ନେଇଥିଲେ ଗଜପତି ମହାରାଜା।

ନେପାଳ ରାଜା ତିନି ଠାକୁରଙ୍କୁ ତିନୋଟି ମାଳ ପିନ୍ଧାଇବା ସହ ସ୍ୱର୍ଣ୍ଣଅଳଙ୍କାରରେ ଭୂଷିତ କରିଥିଲେ। କର୍ପୁର ଆଳତୀ କରିବା ସହ ନୈବେଦ୍ୟ ଅର୍ପଣ କରିଥିଲେ। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଇଁ ୩ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିଥିଲା।

“ଶ୍ରୀଜିଉଙ୍କୁ ଦର୍ଶନ କରି ମୁଁ ଖୁସି। ରତ୍ନବେଦୀରେ ତିନି ଠାକୁରଙ୍କୁ ପୂଜାର୍ଚ୍ଚନା କରିଥିବାରୁ ମୁଁ ଆନନ୍ଦିତ। ବିଶ୍ବରେ ଶାନ୍ତି ବଜାୟ ସହ ଭାରତ-ନେପାଳ ମଧ୍ୟରେ ସମ୍ପର୍କ ଅତୁଟ ରଖିବାକୁ ଶ୍ରୀଜିଉଙ୍କ ନିକଟରେ ପ୍ରାର୍ଥନା କରିଛି”, କହିଛନ୍ତି ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ।

ଗଜପତି ମହାରାଜା କହିଛନ୍ତି, “୨୦୦୩ ମସିହାରେ ନେପାଳ ରାଜା ପୁରୀ ଆସିଥିଲେ। ୧୫ ବର୍ଷ ପରେ ଏହି ପରମ୍ପରା ପୁଣିଥରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି। ନେପାଳ ରାଜା ସ୍ବତନ୍ତ୍ର ରୀତି ନୀତିରେ ପୂଜା କରିଛନ୍ତି। ଶ୍ରୀଜିଉଙ୍କୁ ସେ ଦର୍ଶନ କରିବା ସହ ନୈବେଦ୍ୟ ଅର୍ପଣ କରିଛନ୍ତି।”

ଭୋର୍ ୩ଟାରେ ଶ୍ରୀମନ୍ଦିରର ଦୁଆର ଖୋଲାଯାଇଥିଲା। ସକାଳ ସଢ଼େ ୯ଟା ସୁଦ୍ଧା ଭୋଗ ମଣ୍ଡପ କାର୍ଯ୍ୟକ୍ରମ ଶେଷ କରାଯିବା ପରେ ୧୦ଟାରେ ଶ୍ରୀମନ୍ଦିରକୁ ଶୋଧ କରାଯାଇଥିଲା।

ଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ମହାରାଜାଙ୍କର ଯେଉଁ ଅଧିକାର ଶ୍ରୀମନ୍ଦିରରେ ନାହିଁ ସେହି ଅଧିକାର ନେପାଳ ରାଜାଙ୍କର ରହିଛି। ଦୀର୍ଘ ବର୍ଷ ପରେ ଏହି ପରମ୍ପରା ଶ୍ରୀମନ୍ଦିରରେ ପୁଣି ଦେଖିବାକୁ ମିଳିଛି।

ନେପାଳ ରାଜା ମହେନ୍ଦ୍ର ବୀର ବିକ୍ରମ ଶାହା ଦେବ ୧୯୬୫ ମସିହାରେ ମହାରାଣୀଙ୍କ ସହ ପୁରୀ ଆସିଥିଲେ। ଏହି ସମୟରେ ସେ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିବା ଶ୍ରୀମନ୍ଦିର ରେକର୍ଡରୁ ଜଣାପଡ଼ିଛି।

ଇତିହାସ କହୁଛି ୧୪୪ ବର୍ଷ ତଳେ ସୋନପୁରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ପାତାଳି କରାଯାଇଥିଲା। ସେତେବେଳେ ଶ୍ରୀଜିଉଙ୍କୁ ଶଙ୍କରାଚାର୍ଯ୍ୟ ଉଦ୍ଧାର କରିଥିଲେ। ହେଲେ ପାତାଳି ହେବା ଦ୍ୱାରା ଶ୍ରୀଜିଉଙ୍କ ବ୍ରହ୍ମ ନଷ୍ଟ ହୋଇ ଯାଇଥିଲା। ସେତେବେଳେ ଶଙ୍କରାଚାର୍ଯ୍ୟ ତତ୍କାଳୀନ ନେପାଳ ରାଜାଙ୍କୁ ଅନୁରୋଧ କରିଥିଲେ ଯେ, ଗଣ୍ଡୁକି ନଦୀରେ ଥିବା ଶାଳଗ୍ରାମ ଆଣିବା ପାଇଁ। ଶାଳଗ୍ରାମ ଆସିବା ପରେ ଶ୍ରୀଜୀଉଙ୍କ ଗର୍ଭରେ ସ୍ଥାପନ କରାଯାଇଥିଲା। ଏଥିପାଇଁ ନେପାଳ ରାଜାଙ୍କୁ ସ୍ୱତନ୍ତ୍ର ଅଧିକାର ଦିଆଯାଇଛି।

ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ୭ ତାରିଖରେ ସେ ଭୁ୍ବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ଜଟଣୀ ଗଡ଼ରଥୀପୁରକୁ ପାଛୋଟି ନିଆଯାଇଥିଲା। ସେଠାରେ ସେ ଗୋ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିଲେ। ୮ ତାରିଖରେ ସେ ଲିଙ୍ଗରାଜ ଏବଂ ସାକ୍ଷୀଗୋପାଳ ମନ୍ଦିରକୁ ଯାଇ ଦର୍ଶନ କରିବା ପରେ ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକ ଉତ୍ସବରେ ଯୋଗ ଦେଇଥିଲେ।

Comment