ଓଡ଼ିଶାଲାଇଭ୍ ବ୍ୟୁରୋ
ପାଣ୍ଡିଆନଙ୍କ ସପକ୍ଷରେ ବାହାରିଥିବା ଆଇଏଏସ୍ ଅଫିସର ସଂଘ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫେରାଦ ହୋଇଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ଙ୍କ ବାସଭବନକୁ ଗୋବର ମାଡ଼ କରିବା ଘଟଣା ଭିନ୍ନ ମୋଡ଼ ନେଇଛି। ପାଣ୍ଡିଆନଙ୍କ ସପକ୍ଷରେ ଆଇଏଏସ୍, ଓଏଏସ୍ ଏବଂ ଅଣ ଗେଜେଟେଡ୍ ସମନ୍ୱୟ ସରକାରୀ ସଂଘ ବାହାରିଛନ୍ତି। ରବିବାର ଆଇଏଏସ୍ ଅଫିସର ସଂଘ ଏକ ଜରୁରୀ ବୈଠକ କରି ପାଣ୍ଡିଆନଙ୍କୁ ସମର୍ଥନ କରିବା ପରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।
ପାଣ୍ଡିଆନଙ୍କ ବାସଭବନକୁ ଯେପରି ଆକ୍ରମଣ କରାଗଲା ତାହାକୁ ନିନ୍ଦା କରିବା ସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆଇଏଏସ୍ ଓ ଓଏଏସ୍ ଅଫିସର ସଂଘ ଘଟଣାକୁ ନିନ୍ଦା କରିଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
ଦୁଇ ଦିନ ତଳେ ପାଣ୍ଡିଆନଙ୍କ ଭାବସଭବନକୁ ବିଜେପି କର୍ମୀ ଦଳୀୟ ପତାକା ଧରି ଧସେଇ ପଶିଥିଲେ। ଭଙ୍ଗାରୁଜା କରିବା ସହ ଗେଟ୍କୁ ଗୋବର ମାଡ଼ କରିଥିଲେ। ଏହାକୁ ନେଇ ବିଜେପି-ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଥିଲା। ଆଇଏଏସ୍, ଓଏଏସ୍ ଏବଂ ଅଣ ଗେଜେଟେଡ୍ ସମନ୍ୱୟ ସରକାରୀ ସଂଘ ଘଟଣାକୁ ନିନ୍ଦା କରିଥିଲେ।
ଭୁବନେଶ୍ବରସ୍ଥିତ ରାଜ୍ୟ ଅତିଥି ଭବନରେ ରବିବାର ବସିଥିଲା ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ସଂଘର ଜରୁରୀ ବୈଠକ। ଏହି ବୈଠକରେ ବହୁ ଅଫିସର ଯୋଗଦେଇ ପାଣ୍ଡିଆନଙ୍କ ବାସଭବନକୁ ଆକ୍ରମଣ ଘଟଣାକୁ ନିନ୍ଦା କରିଥିଲେ। ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ଗୃହ ସଚିବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯିବ ବୋଲି ସଂଘ ସମ୍ପାଦକ ବିଶାଲ ଦେବ କହିଥିଲେ।