ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ୨୦ ମିନିଟର ଆଲୋଚନା କେବଳ ବିଜୁବାବୁଙ୍କ ଜୀବନୀ ଉପରେ ହୋଇଥିବା ନବୀନ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଦ ଟଲ୍ ମ୍ୟାନ ବିଜୁ ପଟ୍ଟନାୟକ’ ପୁସ୍ତକ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ସନ୍ଧ୍ୟାରେ ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ନବୀନ ଏହି ଉପହାର ଦେଇଛନ୍ତି।

ବିଜୁ ପଟ୍ଟନାୟକଙ୍କ ଜୀବନୀ ସମ୍ପର୍କିତ ବହି ‘ଦ ଟଲ୍ ମ୍ୟାନ ବିଜୁ ପଟ୍ଟନାୟକ’ ଭୁବନେଶ୍ବରରେ ଲୋକାର୍ପଣ ହେବା ପରେ ବମ୍ବେଠାରେ ଉପସ୍ଥାପନା କରାଯାଇଥିଲା। ଏସବୁ ପରେ ନବୀନ ବୁଧବାର ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଏହି ପୁସ୍ତକ ଭେଟି ଦେବା ଚର୍ଚ୍ଚାର ବିଷୟ ହୋଇଛି।

ମୋଦି-ନବୀନ ଭେଟ୍‌ଘାଟ୍‌ ସମ୍ପର୍କରେ ଖବର ଆସିବା ପରେ ରାଜନୀତିରେ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ପୋଲାଭରମ୍ ଏବଂ ମହାନଦୀ ଟ୍ରିବ୍ୟୁନାଲ ପ୍ରସଙ୍ଗରେ ନବୀନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଚର୍ଚ୍ଚା ହୋଇଥିଲା।

ହେଲେ ମୋଦିଙ୍କୁ ଭେଟିବା ପରେ ନବୀନ ଦିଲ୍ଲୀରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ। ନବୀନଙ୍କ ସୂଚନା ପରେ ଏସବୁ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପଡ଼ିଛି।

ନବୀନ ପଟ୍ଟନାୟକ କହିଛନ୍ତି, “ଏହି ସାକ୍ଷାତ ସୌଜନ୍ୟମୂଳକ ଥିଲା। ପ୍ରଧାନମନ୍ତ୍ରୀଙ୍କୁ ବିଜୁବାବୁଙ୍କ ସମ୍ପର୍କିତ ବହି ଉପହାର ଦେଲି। ୨୦ ମିନିଟ୍ ଧରି ବିଜୁବାବୁଙ୍କ ଜୀବନୀ ସମ୍ପର୍କରେ ଆଲୋଚନା ହେଲା।”

ପୋଲାଭରମ୍ ପ୍ରସଙ୍ଗରେ ନବୀନଙ୍କୁ ଗଣମାଧ୍ୟମ ପ୍ରତିନିଧି ଦିଲ୍ଲୀରେ ପ୍ରଶ୍ନ କରିଥିଲେ। ହେଲେ ଏ ପ୍ରସଙ୍ଗରେ କିମ୍ବା ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା ହୋଇ ନଥିବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ।

ଓଡ଼ିଶାରେ ବିଜେପି-ବିଜେଡି ଭିତରେ ଛକାପଞ୍ଝା ଚାଲିଛି। ବିଭିନ୍ନ ପ୍ରସଙ୍ଗକୁ ନେଇ କଥା କଥାକେ ବିଜେପି-ବିଜେଡି ନେତାଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ଚାଲିଛି। ଏହି ଦୁଇ ଦଳ ଏକ ପ୍ରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି।

ଏଭଳି ଏକ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିବାରୁ ରାଜନୀତି କରିଡ଼ରରେ ଭିନ୍ନ ଚର୍ଚ୍ଚା ହେଉଛି। ମୋଦି-ନବୀନଙ୍କ ଭେଟଘାଟ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି।

ଏହି ଭେଟଘାଟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ଆଗୁଆ ସୂଚନା ଦିଆଯାଇ ନଥିଲା।

ବୁଧବାରଠାରୁ ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୮ ଡିସେମ୍ବରରେ ହେବାକୁ ଥିବା ପୁରୁଷ ହକି ୱାର୍ଲ୍ଡ କପ୍ ସମୀକ୍ଷା ବୈଠକରେ ଯୋଗଦେବେ।

 

LEAVE A REPLY

Please enter your comment!
Please enter your name here