ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଇଁଠାପାଲି ହାଜତ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ଜାତୀୟ ମାନବାଧିକାର କମିଶନଙ୍କ ଟିମ୍।

ସମ୍ବଲପୁର ଜିଲ୍ଲା ଅଇଁଠାପାଲି ହାଜତ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ରାଜ୍ୟ କଂଗ୍ରେସର ଏକ ପ୍ରତିନିଧି ଦଳ ବୁଧବାର ମୃତକଙ୍କ ପରିବାରକୁ ଭେଟିଥିବା ବେଳେ ଗୁରୁବାର ଜାତୀୟ ମାନବାଧିକାର କମିଶନ(ଏନଏଚ୍‌ଆରସି)ର ୬ ଜଣିଆ ଟିମ୍ ଭେଟି ଆଲୋଚନା କରିଛନ୍ତି।

ହାଜତ ମୃତ୍ୟୁର  ତଦନ୍ତ ପାଇଁ ଏନଏଚ୍‌ଆରସି ଟିମ୍ ସମ୍ବଲପୁରରେ ପହଞ୍ଚିଛନ୍ତି। ପ୍ରଥମେ ଏହି ଟିମ୍ ମୃତ ଅବିନାଶ ମୁଣ୍ଡାଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ପଚରା ଉଚରା କରିଛନ୍ତି। ଏହାପରେ ଟିମ୍ ଅତିରିକ୍ତ ଏସ୍‌ପିଙ୍କୁ ଭେଟି ଆଲୋଚନା କରିଛନ୍ତି।

କଂଗ୍ରେସର ଏକ ଟିମ୍ ବୁଧବାର ମୃତକଙ୍କ ପରିବାରକୁ ଭେଟିଥିଲେ। ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଦାବି କରିଥିଲେ। ଜଣେ କାର୍ଯ୍ୟରତ ବିଚାରପତିଙ୍କ ନେତୃତ୍ୱରେ ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ। ଏହାସହ ୨୫ ତାରିଖରେ ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ପ୍ରତିବାଦ କରିଥିଲେ। ଗ୍ରାମବାସୀଙ୍କୁ ନେଇ ରାଷ୍ଟ୍ରପତିଙ୍କ ପାଖରେ କଂଗ୍ରେସ ଫେରାଦ ହେବ ବୋଲି କହିଛି।

୮ ତାରିଖ ରାତିରେ ଅଇଁଠାପାଲି ହାଜତରେ ଅବିନାଶଙ୍କର ମୃତ୍ୟୁ ଘଟିଥିଲା। ୯ ତାରିଖରେ ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଥାନା ପୋଡ଼ାଜଳା କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ। ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କାର୍ଯ୍ୟରେ ଅବହେଳା କରିଥିବା ୩ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ। ଏବେ ଏଚ୍‌ଆରପିସି ଟିମ୍ ଘଟଣାର ତଦନ୍ତ କରୁଛନ୍ତି।

Comment