ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ଏମ୍‌ସରୁ ଡିସ୍‌ଚାର୍ଜ ହେବେ ଜଗା-କାଳିଆ। ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ସେମାନଙ୍କୁ ଡିସଚାର୍ଜ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ଓଡ଼ିଶାରୁ ୫ ଜଣିଆ ଡାକ୍ତରୀ ଟିମ୍ ଦିଲ୍ଲୀ ଏମ୍‌ସ ଯାଇଥିଲେ। ସେଠାରେ ସେମାନେ ଜଗା-କାଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ। ଏହାପରେ ସେମାନଙ୍କୁ ଡିସ୍‌ଚାର୍ଜ କରିବା ପାଇଁ ଏମ୍‌ସ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ।

ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବାରୁ ସେମାନଙ୍କୁ ନେଇଯିବା ପାଇଁ ଏମ୍‌ସ କର୍ତ୍ତୃପକ୍ଷ ଜଗା-କାଳିଆଙ୍କ ବାପା ଏବଂ ମା’ଙ୍କୁ କହିଥିଲେ। ଆବଶ୍ୟକ ପଡ଼ିଲେ ଭୁବନେଶ୍ୱର ଏମ୍‌ସ କିମ୍ବା ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଡାକ୍ତରଙ୍କ ତତ୍ତ୍ବାଧାନରେ ରଖିବାକୁ ପରାମର୍ଶ ଦେଇଥିଲେ। ହେଲେ ଏଥିରେ ରାଜି ହୋଇ ନଥିଲେ ଜଗା-କାଳିଆଙ୍କ ବାପା, ମା’।

କାଳିଆ ତୁଳନାରେ ଜଗା ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେଉଛି।

କନ୍ଧମାଳ ଜିଲ୍ଲା ମିଳିପଡ଼ା ଅଞ୍ଚଳର ଜଗା-କାଳିଆଙ୍କ ମୁଣ୍ଡ ଯୋଡ଼ି ହୋଇ ରହିଥିଲା। ଏହାକୁ ନେଇ ପରିବାର ଚିନ୍ତାରେ ପଡ଼ିଥିଲେ। ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରକାଶିତ ହେବା ପରେ ରାଜ୍ୟ ସରକାର ଜଗା-କାଳିଆଙ୍କ ଅପରେସନ କରିବା ପାଇଁ ସହାୟତାର ହାତ ବଢ଼ାଇଥିଲେ। ଅକ୍ଟୋବର ୨୫ରେ ୨୨ ଘଣ୍ଟାର ଅପରେସନ୍ ପରେ ଏମ୍‌ସ ବିଶେଷଜ୍ଞ ଏହି ଜଟିଳ ଅପରେସନରେ ସଫଳ ହୋଇଥିଲେ।

Comment