ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ହେବାର ସୌଭାଗ୍ୟ ଲାଭ କରିଛି ଓଡ଼ିଶା।

ଓଡ଼ିଶା ପାଇଁ ଏହା ପ୍ରଥମ ଘଟଣା ଓ ସମ୍ମାନ। ରାଜ୍ୟ ସରକାର ଏକ ଜାତୀୟ ଟିମ୍‌ର ପ୍ରାୟୋଜକ ହୋଇଛନ୍ତି। ଗୁରୁବାର ଦିନ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଥିଲେ। ଆସନ୍ତା ପାଞ୍ଚବର୍ଷ ପର୍ଯ୍ୟନ୍ତ ଜାତୀୟ ହକି ଟିମକୁ ଓଡ଼ିଶା ସରକାର ହୋଷ୍ଟ କରିବେ। ଫଳରେ ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ସାହାରା ରହିବ ନାହିଁ। ପୁରୁଷ ଓ ମହିଳା ହକି ଜୁନିଅର ହେଉ ଅବା ସିନିଅର, ସବୁ ଟିମକୁ ଓଡ଼ିଶା ସରକାର ସ୍ପନ୍ସର କରିବେ। ଏହି ଡ଼ିଲ୍‌ର ଦାମ ପାଖାପାଖି ଶହେ ପଚାଶ କୋଟି ଟଙ୍କା ବୋଲି ଆକଳନ କରାଯାଇଛି।

ଓଡ଼ିଶା ଏବର୍ଷ ପୁରୁଷ ହକି ବିଶ୍ୱକପ୍ ମଧ୍ୟ ଆୟୋଜନ କରୁଛି। ହକି ଇଣ୍ଡିଆ ସାହାରା ସହିତ ହୋଇଥିବା ଚୁକ୍ତିକୁ ବାତିଲ କରିବା ପରେ ଓଡ଼ିଶା ସରକାର ଏଥିରେ ମୁଣ୍ଡ ଭର୍ତ୍ତି କରିବା ଆରମ୍ଭ କରିଥିଲେ। ଅବଶ୍ୟ ସାହାରାର ପ୍ରାୟୋଜନ ଚୁକ୍ତିକୁ ୨୦୧୭ରୁ ଆଉ ୪ବର୍ଷ ପାଇଁ ୨୦୨୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା।

ତେବେ ହକି ଇଣ୍ଡିଆ ଓ ସାହାରା ମଧ୍ୟରେ ହଠାତ କାହିଁକି ଚୁକ୍ତିଟି ବାତିଲ ହେଲା ତାହାର କୌଣସି କାରଣ ଜଣାପଡୁନାହିଁ। କିନ୍ତୁ ଉଭୟ ପକ୍ଷ ପରସ୍ପର ବୁଝାମଣା ଭିତ୍ତିରେ ଏହି ଚୁକ୍ତିକୁ ଶେଷ କରିଛନ୍ତି ବୋଲି କହିଛନ୍ତି। ବିଶେଷକରି ସାହାରା ବର୍ତ୍ତମାନ ଦୁର୍ଦ୍ଦିନ ଦେଇ ଗତି କରୁଥିବା ବେଳେ ହକି ଦଳର ପ୍ରାୟୋଜନ ନ କରିବା ପାଇଁ ସ୍ଥିର କରିଥିବା ଜଣାପଡ଼ିଛି।

୧୯୯୫ଠାରୁ ଭାରତର ହକି ଟିମ୍‌କୁ ସାହାରା ପରିଚାଳିତ କରି ଆସୁଥିଲା। ୨୦୧୭ରୁ ୨୦୨୧ ମଧ୍ୟରେ ସାହାରା ହକି ଇଣ୍ଡିଆକୁ କେତେ ଅର୍ଥ ଦେଇଥାନ୍ତା ତାହା ଜଣାପଡିନାହିଁ। କିନ୍ତୁ ଏକ ନିର୍ଭରଯୋଗ୍ୟ ଖବର ଅନୁସାରେ ୪୦ କୋଟି ଟଙ୍କା ଦେବା ପାଇଁ ଚୁକ୍ତିବଦ୍ଧ ହୋଇଥିଲା ସାହାରା।

ଭାରତୀୟ ହକି ଟିମ ପାଇଁ ଏ ବର୍ଷ ହେଉଛି ସବୁଠାରୁ ବ୍ୟସ୍ତ ବହୁଳ ବର୍ଷ।ଉଭୟ ପୁରୁଷ ଓ ମହିଳା ଟିମ୍ ଏପ୍ରିଲରେ ହେବାକୁ ଥିବା ରାଷ୍ଟ୍ରମଣ୍ଡଳ ଖେଳରେ ଭାଗ ନେବାକୁ ଯାଉଛନ୍ତି। ତା’ ପରେ ଅଗଷ୍ଟ ମାସରେ ଏସୀୟ କ୍ରୀଡା। ସେହିଭଳି ହକି ମହିଳା ବିଶ୍ୱକପ୍‌ ଜୁଲାଇ ମାସରେ ଲଣ୍ଡନରେ ହେବ। ଏହିସବୁ ଖେଳରେ ଭାରତର ଟିମ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବର୍ଷ ଶେଷ ବେଳକୁ ଭୁବନେଶ୍ୱରରେ ପୁରୁଷ ହକି ବିଶ୍ୱକପ ଖେଳାଯିବ। ଓଡ଼ିଶା ଲୋଗୋ ଥିବା ଜର୍ସି ପିନ୍ଧି ମୈଦାନରେ ଚମକିବେ ଭାରତୀୟ ଖେଳାଳି। ଯାହା ଓଡ଼ିଶା ପାଇଁ ଖୁବ୍ ଗୌରବର କଥା।

ଓଡ଼ିଶା ପାଇଁ ଏହା ସବୁଠାରୁ ଭଲ ସମୟ। କାରଣ ଉଭୟ ପୁରୁଷ ଓ ମହିଳା ଟିମରେ ବଛାବଛା ଓଡ଼ିଶା ଖେଳାଳି ଅଛନ୍ତି। ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ,ଦୀପସନ ତିର୍କୀ ପୁରୁଷ ଟିମରେ ଥିବାବେଳେ ମହିଳା ଟିମ୍‌ରେ ଜଣେ ବଡ ଖେଳାଳି ହେଉଛନ୍ତି ନମିତା ଟପ୍ପୋ। ଅବଶ୍ୟ ପ୍ରଥମଥର ପାଇଁ ଯେ ଓଡ଼ିଶା ହକି ଖେଳ ସହିତ ଏତେ ବଡ ପରିମାଣରେ ଜଡିତ ହୋଇଛି ତାହା ନୁହେଁ। ହକି ଇଣ୍ଡିଆ ଲିଗରେ କଳିଙ୍ଗ ଲାନ୍ସର୍ସ ଫ୍ରାଞ୍ଚାଇସ୍ ନେଇଛନ୍ତି ଓଡ଼ିଶା ସରକାର। ଆଗରୁ ମଧ୍ୟ ୨୦୧୪ ଚାମ୍ପିଅନ ଟ୍ରଫି ଭଳି ଆନ୍ତର୍ଜାତିୟ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା। ଗତବର୍ଷ ହକି ବିଶ୍ୱ ଲିଗ୍ ଫାଇନାଲ ଏଠି ଆୟୋଜିତ ହୋଇଥିଲା।

ଅନ୍ତର୍ଜାତୀୟ ହକି ଫେଡରେସନର ସଭାପତି ନରିନ୍ଦର ବାତ୍ରା କହିଛନ୍ତି, “ଓଡିଶା ସରକାରଙ୍କ ବାଟ ଅନୁସରଣ କରି ଅନ୍ୟ ରାଜ୍ୟ ସରକାର ମାନେ ମଧ୍ୟ ଅନ୍ୟ ଖେଳକୁ ସ୍ପନ୍ସର କରିପାରନ୍ତି। ଓଡ଼ିଶା ସରକାର କେବଳ ହକି ନୁହେଁ ଆଥଲେଟିକ୍ସ ଓ ଅନ୍ୟାନ୍ୟ କ୍ରୀଡ଼ାର ପ୍ରାୟୋଜନ ପାଇଁ ମଧ୍ୟ ଆଗ୍ରହୀ।“

ଚଳିତବର୍ଷ ନଭେମ୍ବର୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ହକି ବିଶ୍ୱକପ୍‌ ଚାଲିବ।

 

Comment