ଭାସ୍କର ପରିଚ୍ଛା

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ଟକ୍କର ଦେବା କଷ୍ଟକର ବ୍ୟାପାର ବୋଲି ବିଜେପି ନେତୃବୃନ୍ଦ ଜାଣିଛନ୍ତି। ଆନ୍ଧ୍ରରେ ତେଲୁଗୁ ଦେଶମ ସହିତ କେତେବେଳେ ଥଣ୍ଡା ତ କେତେବେଳେ ଗରମ ଭଳି ସମ୍ପର୍କ ରହିଛି। ତାମିଲନାଡୁରେ ଦଳ ଭୀଷଣ ଭାବରେ ଝୁଣ୍ଟିବା ପରେ ବିଜେପି ପାଇଁ ବର୍ତ୍ତମାନ ଟାର୍ଗେଟ ରାଜ୍ୟ ହେଉଛି ଓଡ଼ିଶା।

ଓଡ଼ିଶାର ନିର୍ବାଚନ ଇତିହାସରେ ବିଜେପୁର ଏକ ମାଇଲଖୁଣ୍ଟ ହୋଇରହିବ। ବିଜେପୁରରେ ବର୍ତ୍ତମାନ ଯେମିତି ଲଢ଼େଇ ଚାଲିଛି ତାହା ପୂର୍ବରୁ କୌଣସି ନିର୍ବାଚନରେ ଦେଖିବାକୁ ମିଳି ନଥିଲା। ଗୋଟିଏପଟେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବିଜେପୁର ‘ସମ୍ମାନର’ ପ୍ରଶ୍ନ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ପୋଷ୍ଟରବୟ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ‘କର ବା ମର’ ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଏହି ମହାମୁକାବିଲାରେ କଂଗ୍ରେସ ପୂରା ପଛରେ ରହିଛି। ବିଜେପୁର ଗତ ୨୦ ବର୍ଷ ହେଲା କଂଗ୍ରେସର କବ୍‌ଜାରେ ରହିଆସିଥିଲା। ଏଣୁ ଦଳର ନେତାମାନଙ୍କ ମଧ୍ୟରେ କିଛି କ୍ଷୀଣ ଆଶା ରହିବା ସ୍ୱାଭାବିକ। କଂଗ୍ରେସ ପ୍ରାର୍ଥୀଙ୍କୁ ନେଇ କିଛି ସମସ୍ୟା ବି ରହିଛି। ଦଳର ବରିଷ୍ଠ ନେତାମାନେ ଏକମନ ଏକପ୍ରାଣ ହୋଇ ଲଢ଼ୁଥିବା ଦେଖିବାକୁ ମିଳୁନି।

ବିଜେପୁର ଉପ-ନିର୍ବାଚନ ଫଳ ଯାହା ସପକ୍ଷରେ ଯାଉନା କାହିଁକି ଗୋଟିଏ କଥା ନିଶ୍ଚିତ ଯେ ଏହି ଫଳାଫଳ ମତଦାତାଙ୍କ ‘ମୁଡ’ କଣ ତାହାର ସ୍ପଷ୍ଟ ଇଙ୍ଗିତ ଦେବ। ବିଜେପୁର ଲଢ଼େଇରୁ କିଏ ଫାଇଦା ଉଠାଇବ ତାହା ଅପେକ୍ଷା କରି ଦେଖିବାକୁ ପଡ଼ିବ।

ବିଜେପୁର ଅନ୍ୟ ଦଳ ଅପେକ୍ଷା ବିଜେପି ଏବଂ ବିଶେଷକରି ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ପାଇଁ କହୁତ କିଛି ମାନେ ରଖୁଛି।

୨୦୧୪ ଲୋକସଭା ନିର୍ବାଚନ ପରେ ଅମିତ ଶାହା ପୂର୍ବ ଉପକୂଳ ଉପରେ ଆଖି ପକାଇବା ଆରମ୍ଭ କଲେ। ୨୦୧୪ରେ ଦଳ ଆଶାତୀତ ସଫଳତା ହାସଲ କରିବା ପରେ ଶାହା ଏବଂ ନରେନ୍ଦ୍ର ମୋଦି ୨୦୧୯ ପୂର୍ବରୁ ସମୁଦ୍ରତଟ ରାଜ୍ୟ ଭିତରକୁ ପଶିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲେ। ଏହି ୫ ରାଜ୍ୟ ହେଉଛି ତାମିଲନାଡୁ, ପୁଡୁଚେରୀ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା।

ଏହି ପାଞ୍ଚଟି ସମୁଦ୍ରତଟ ରାଜ୍ୟ ଲୋକସଭାର ମୋଟ ୫୪୩ ଭିତରୁ ୧୨୮ ଆସନର ହକଦାର। କିନ୍ତୁ ୨୦୧୪ ନିର୍ବାଚନରେ ବିଜେପି ଏହିସବୁ ରାଜ୍ୟରେ ‘କୁଆଡୁ ଆସିଲ ବନ୍ଧୁ’ ଭଳି ଆଚରଣର ସମ୍ମୁଖୀନ ହୋଇଥିଲା। ଅବଶ୍ୟ ପଶ୍ଚିମବଙ୍ଗ ଏଵଂ ଓଡ଼ିଶାରେ ଦଳ କିଛି କିଛି ଭୋଟ ପାଇଥିଲା। କିନ୍ତୁ ତାହା ସେଭଳି କିଛି ଉଲ୍ଳେଖନୀୟ ନଥିଲା। ବିଜପର ତୁଙ୍ଗ ନେତୃତ୍ୱ ଅଙ୍କ କଷି ଦେଖିଛନ୍ତି ଯେ ଆଗାମୀ ଦିନରେ ଏହି ସବୁ ରାଜ୍ୟରେ ଦଳର ପ୍ରଦର୍ଶନ ନିହାତି ଭଲ ହେବା ଆବଶ୍ୟକ। ଏଣୁ ବିଜେପି ତାର ‘ଲୁକ୍ ଇଷ୍ଟ ପଲିସି’ ଜରିଆରେ ଚାହୁଁଛି ଏହି ୫ ରାଜ୍ୟରେ ନିଜର ଉପସ୍ଥିତିକୁ ଜାହିର କରିବା ଜରୁରୀ।

୫ ରାଜ୍ୟ ଭିତରୁ ବିଜେପି ଓଡ଼ିଶା ଉପରେ ତାର ସମସ୍ତ ଶକ୍ତିକୁ ଠୁଳ କରିଆସିଛି। ଆଉ ଏହାର କାରଣ ବି ଅନେକ ରହିଛି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ଟକ୍କର ଦେବା କଷ୍ଟକର ବ୍ୟାପାର ବୋଲି ବିଜେପି ନେତୃବୃନ୍ଦ ଜାଣିଛନ୍ତି। ଆନ୍ଧ୍ରରେ ତେଲୁଗୁ ଦେଶମ ସହିତ କେତେବେଳେ ଥଣ୍ଡା ତ କେତେବେଳେ ଗରମ ଭଳି ସମ୍ପର୍କ ରହିଛି। ତାମିଲନାଡୁରେ ଦଳ ଭୀଷଣ ଭାବରେ ଝୁଣ୍ଟିବା ପରେ ବିଜେପି ପାଇଁ ବର୍ତ୍ତମାନ ଟାର୍ଗେଟ ରାଜ୍ୟ ହେଉଛି ଓଡ଼ିଶା।

ଅମିତ ଶାହାଙ୍କ ‘ମିଶନ ୧୨୦’ ପଛରେ ଦୁଇଟି ଯୁକ୍ତି ବା କାରଣ ରହିଛି। ପ୍ରଥମ କାରଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଓଡ଼ିଶାର ଭୋଟଦାତାଙ୍କ ଭରସା ଏବଂ ଦ୍ୱିତୀୟ କାରଣ ହେଉଛି ବିଗତ ୪ ବର୍ଷ ଧରି ଓଡ଼ିଶାକୁ ବେଶ୍ କିଛି ଆର୍ଥିକ ସହାୟତା ଓ ପ୍ରକଳ୍ପ ଦିଆଯାଇଛି। ଏ ବର୍ଷ ବଜେଟରେ ରେଳବାଇ ସମେତ ବିଭିନ୍ନ କ୍ଷେତ୍ରକୁ ଯେତେ ଅର୍ଥ ଦିଆଯାଇଛି ତାହା ଆଗରୁ କେବେ ସମ୍ଭବ ହୋଇ ନଥିଲା ବୋଲି ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି। ଆହୁରି ମଧ୍ୟ ମୋଦି ଓଡ଼ିଶାର ୮ଟି ପଛୁଆ ଜିଲ୍ଲାକୁ ‘ଆକାଂକ୍ଷିତ ଜିଲ୍ଲାର’ (ଆସ୍ପିରେସ୍ନାଲ ଡ଼ିଷ୍ଟ୍ରିକ୍ଟ)ର ମାନ୍ୟତା ଦେବାକୁ ଚାହୁଁଥିଲେ। କିନ୍ତୁ ରାଜନୈତିକ କାରଣରୁ ନବୀନ ଏହାକୁ ଗ୍ରହଣ କରିନାହାଁନ୍ତି।

୨୦୧୪ ପରେ ବିଜେପୁର ହେଉଛି ପ୍ରଥମ ଉପ-ନିର୍ବାଚନ। ଏଣୁ ଉଭୟ ବିଜେଡ଼ି ଓ ବିଜେପି ପାଇଁ ଏହା ୨୦୧୯ ପୂର୍ବରୁ ଏସିଡ ଟେଷ୍ଟ ବୋଲି କୁହାଯାଉଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ଜଣ ଷ୍ଟାର କ୍ୟାମ୍ପେନେରଙ୍କୁ ବିଜେପୁର ପଠାଇଛନ୍ତି।  ନିଜେ ନବୀନ ଦୁଇ ଦିନ ପାଇଁ ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ ପୂର୍ବରୁ ଏହି ଅଞ୍ଚଳ ସକାଶେ ମରୁଡି ପ୍ୟାକେଜ ଘୋଷଣା କରିଛନ୍ତି। ତା ଛଡା ବିଜେପୁରକୁ ଏନଏସି ମାନ୍ୟତା ଦେବାର ପ୍ରତିଶୃତି ମଧ୍ୟ ଦିଆଯାଇଛି।

ଏପଟେ ଅମିତ ଶାହା ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ବିଜେପୁରକୁ ହାତେଇବାକୁ ଚାହୁଁଛନ୍ତି ଓ ଏଥିପାଇଁ ଦଳର ରାଜ୍ୟ ମୁଖ୍ୟଙ୍କ ସମେତ ବହୁ ନେତା ସେଠି ଅହରହ ଡେରା ପକାଇଛନ୍ତି। ଏହିଭଳି ଦେଖିବାକୁ ଗଲେ ବିଜେପୁର ଉପ-ନିର୍ବାଚନ ଆଜିର ଦିନରେ ଆଉ ହାର- ଜିତ ମଧ୍ୟରେ ସୀମିତ ହୋଇ ରହିନାହିଁ। ଏହି ହାଇପ୍ରୋଫାଇଲ ନିର୍ବାଚନ ସତେ ଯେମିତି ବହୁ ନେତାଙ୍କ ଭାଗ୍ୟ ବଦଳାଇବା ପାଇଁ ଅପେକ୍ଷା କରିଛି।

(ଏହା ଲେଖକଙ୍କ ବ୍ୟକ୍ତିଗତ ମତ ଏବଂ ଏହା ସହିତ ଓଡ଼ିଶାଲାଇଭ୍‍ ସମ୍ପାଦନାମଣ୍ଡଳୀ ବା ପଲିସି କୌଣସି ଭାବେ ଜଡ଼ିତ ନୁହେଁ।)

Comment