ଓଡ଼ିଶାଲାଇଭ୍‌ ବୁରୋ

  • ବିଜେପୁର ଟଙ୍କାକୁ ନେଇ ହଙ୍ଗାମା
  • ସୋମବାର ରାତିରେ ଗାଇସିଲଟ ଥାନାରେ ବିଜେପି ବିଧାୟକଙ୍କ ଧାରଣା
  • ମଙ୍ଗଳବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ଟିମ୍
  • ବିଜେଡି ପ୍ରତିନିଧି ଦଳ ଦେଲା ସ୍ମାରକପତ୍ର
  • ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ବିଜେଡି

ବିଜେପୁରରୁ ଜବତ ହୋଇଥିବା ୪୦ ଲକ୍ଷ ୫୦ ହଜାର ଟଙ୍କାକୁ ନେଇ ରାଜନୀତି ଜୋର୍ ଧରିଛି। ଏହି ଟଙ୍କାକୁ ନେଇ ବିଜେପି ଓ ବିଜେଡି ଭିତରେ କାଦୁଅଫିଙ୍ଗା ଚାଲିଛି। ଟଙ୍କାକୁ ନେଇ ବିଜେପି ବିଜେଡି ଉପରେ ଦୋଷ ଲଦି ଥିବା ବେଳେ ବିଜେଡି ପାଲଟା ଜବାବ ଦେଇଛି।  ଦୁଇ ଦଳ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛନ୍ତି।

ଶନିବାର ରାତିରେ ୪୦ ଲକ୍ଷ ୫୦ ହଜାର ଏବଂ ସୋମବାର ଅପରାହ୍ଣରେ ୧୦ ଲକ୍ଷ ଟଙ୍କା ପୋଲିସ ବିଜେପୁରରୁ ଜବତ କରିଥିଲା। ପୋଲିସ ସନ୍ଦେହରେ ପ୍ରଥମେ ଗାଇସିଲଟ ବିଜେପି ପାର୍ଟି ଅଫିସରେ ରାତି ଅଧରେ ଚଢ଼ାଉ କରିଥିଲା। ପାର୍ଟି ଅଫିସରେ ଖୋଳତାଡ଼ କରିଥିଲା ପୋଲିସ। ତେବେ ଏହାକୁ ବିରୋଧ କରିଛି ବିଜେପି।

ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଦୀପ ପୁରୋହିତ ସୋମବାର ରାତିରେ ଗାଇସିଲଟ ଥାନାରେ ଧାରଣା ଦେଇଥିଲେ। ବିନା ସର୍ଚ୍ଚ ୱାରେଣ୍ଟରେ ପୋଲିସ ଗାଇସିଲଟ ବିଜେପି କାର୍ଯ୍ୟାଳୟରେ ଚଢ଼ାଉ କରିବାର ପ୍ରତିବାଦ କରିଥିଲେ। ସେହିପରି ଭୁବନେଶ୍ୱରରେ ମଧ୍ୟ ବିଜେପି ପକ୍ଷରୁ ଦିଆଯାଇଥିଲା ଧାରଣା।

ବିଜେପି ଉପ-ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବହୁ କର୍ମୀ ଡିଜିଙ୍କ କ୍ୟାମ୍ପ ଅଫିସ ଆଗରେ ଧାରଣାରେ ବସିଥିଲେ। ମଙ୍ଗଳବାର ପୋଲିସ ଡିଜିଙ୍କ ସହ କଥା ହୋଇ ଧାରଣା ପ୍ରତ୍ୟାହାର କଲେ ବିଜେପି ନେତା।

ଗାଇସିଲଟ ବିଜେପି ପାର୍ଟି ଅଫିସରୁ ଖାଲି ହାତରେ ଫେରିବା ପରେ ପୋଲିସ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ସୋହେଲା ବାସଭବନରେ ଚଢ଼ାଉ କରିଥିଲା। ଘର ସାରା ବୁଲି ସର୍ଚ୍ଚ କରିଥିଲା। ହେଲେ କିଛି ନପାଇ ଫେରିଥିଲା ପୋଲିସ।

ଏହାପରେ ପୋଲିସ ପକ୍ଷପାତିତା ନେଇ ବିଜେପି ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲା। ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀ ନାରା଼ୟଣ ପଣ୍ଡାଙ୍କ ବିରୋଧରେ ବିଜେପି ପ୍ରତିନିଧି ଦଳ ଫେରାଦ ହୋଇଥିଲେ। ବିଜେପି ନେତା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରୁ ଯିବା ପରେ ବିଜେଡି ପ୍ରତିନିଧି ଦଳ ଆସି ପହଞ୍ଚିଥିଲେ।

ବିଧାୟକ ଦେବାଶିଷ ସାମନ୍ତରାୟ, ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଭିଯୋଗ କରିଥିଲେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାୟପୁରରୁ ଟଙ୍କା ବିଜେପୁରକୁ ଆସୁଛି। ଆଉ ଟଙ୍କା କାରବାରରେ ପେଟ୍ରୋଲ ଟାଙ୍କିକୁ ବ୍ୟବହାର କରାଯାଉଛି।

“ବିଜେଡି ପୋଲିସ ବଳ ଦେଖାଇ ବିଜେପିକୁ ନାଲିଆଖି ଦେଖାଉଛି। ବିନା ସର୍ଚ୍ଚ ଓ୍ବାରେଣ୍ଟରରେ ପୋଲିସ ଗାଇସିଲଟ ବ୍ଲକ ପାର୍ଟି ଅଫିସରେ ଚଢ଼ାଉ କରିଛି। ପୋଲିସ ବଳ ଦେଖାଇ ବିଜେପି କର୍ମୀଙ୍କୁ ଭୟଭୀତ କରାଯାଉଛି”, କହିଛନ୍ତି ବିଜେପି ନେତା ସମୀର ମହାନ୍ତି।

ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି, “ପେଟ୍ରୋଲ ଟାଙ୍କି ଟଙ୍କାକୁ ବିଜେପୁରରେ ଖର୍ଚ୍ଚ କରାଯାଉଛି। ରାୟପୁରରୁ ବିଜେପୁର ପର୍ଯ୍ୟନ୍ତ ଯେତେ ପେଟ୍ରୋଲ ଟାଙ୍କି ଅଛି ସବୁଠୁ ଟଙ୍କା ବିଜେପୁରକୁ ଆସୁଛି।”

ଏପଟେ ୪୦ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଥିବା ଆକାଶ ଅଗ୍ରୱାଲଙ୍କ ପରିବାର ବର୍ଗ ମୁହଁ ଖୋଲିଛନ୍ତି। ଏହା କୌଣସି ନିର୍ବାଚନ ଟଙ୍କା ନୁହେଁ। ସେମାନଙ୍କ କୌଣସି ରାଜନୈତିକ ଦଳ ସହ ସମ୍ପର୍କ ନାହିଁ। ବ୍ୟବସାୟ କରିବା ପାଇଁ ସେ ଟଙ୍କା ନେଇ ଯାଉଥିଲେ ବୋଲି ଆକାଶଙ୍କ ମା’ କହିଛନ୍ତି।

ବରଗଡ଼ ବଣିକ ସଂଘ ମଧ୍ୟ ପୋଲିସକୁ ଏକ ସ୍ମାରକପତ୍ର ଦେଇଛି। ଏହି ଟଙ୍କା ବ୍ୟବସାୟ ପାଇଁ ଆକାଶ ନେଇ ଯାଉଥିବା ଏଥିରେ ଉଲ୍ଲେଖ କରାଯାଇଛି। ଏହାକୁ ନେଇ ରାଜନୀତି କରା ନଯାଉ ବୋଲି ସଂଘ କହିଛି।

ଶନିବାର ରାତିରେ ବରଗଡ଼ ମହୁଲପାଲି ଛକରୁ ୪୦ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଥିଲା। ଟଙ୍କା ନେଇ ଯାଉଥିବା ଆକାଶ ଅଗ୍ରୱାଲଙ୍କୁ ପୋଲିସ ଗିରଫ କରିଥିଲା। ଗିରଫ ଆକାଶ ବିଶ୍ୱହିନ୍ଦୁ ପରିଷଦ କର୍ମୀ ବୋଲି ଅଭିଯୋଗ ହୋଇଥିଲା।

Comment