କମଳାକାନ୍ତ ପତି

କରୋନା କବଳିତ ଅର୍ଥନୀତିରେ ଏବେ ଅନୁକୂଳ ହାୱା ବହିବା ଆରମ୍ଭ କଲାଣି। ବଜାର ଚାହିଦା ଧୀରେ ଧୀରେ ବଢ଼ିଲାଣି। ଅକ୍ଟୋବର ମାସରେ ଜିଏସଟି ସଂଗ୍ରହ ଅଭିବୃଦ୍ଧି ସେହି ସଙ୍କେତ ଦେଉଛି। ପୁଞ୍ଜିବଜାର  ସ୍ଥିତାବସ୍ଥା ସୁଧୁରିବାରେ ଲାଗିଛି। ଆଗାମୀ ଦିନରେ ବଜାର ଅବସ୍ଥା ଆହୁରି କିଛିଟା ସ୍ଥିରତା ଆସିବ ବୋଲି ଅନୁମାନ କରାଯାଉଛି। ତେବେ ଏହା ନିର୍ଭର କରୁଛି କେତୋଟି ବିଷୟ ଉପରେ।

ଏକ ନୂଆ ବିଶ୍ୱକୁ ଜନ୍ମ ଦେଇଛି କରୋନା

ଚଳିତ ବର୍ଷ ପ୍ରାରମ୍ଭରୁ ଦେଖା ଦେଇଥିବା ଅତିମାରୀ କରୋନା ସଂକ୍ରମଣ ଏକ ନୂଆ ବିଶ୍ୱକୁ ଜନ୍ମ ଦେଇଛି। ଯେଉଁଠାରେ ଅନେକ ବଦଳିଯାଇଛି ଜୀବନଧାରଣର ମାନ। ଏହା ସମ୍ଭବତଃ ସ୍ଥାୟୀ ହୋଇଯିବ ସାରା ବିଶ୍ୱରେ। କାରଣ କରୋନା ବାରମ୍ବାର ନୂଆ କରି ବିଭିନ୍ନ ଦେଶରେ ଆଘାତ ସୃଷ୍ଟି କରିଚାଲିଛି। ଯାହାର ବିପରୀତ ପ୍ରଭାବ ବ୍ୟବସାୟ ବାଣିଜ୍ୟ ଉପରେ ପଡୁଛି। ଊର୍ଦ୍ଧ୍ୱକୁ ଉଠିବା ପାଇଁ ପ୍ରୟାସ କରୁଥିବା ପୁଞ୍ଜି ବଜାରଗୁଡ଼ିକ (ଷ୍ଟକ୍ ମାର୍କେଟ) ଧକ୍କା ଖାଉଛି। ଗତ ସପ୍ତାହରେ ଭାରତୀୟ ଷ୍ଟକ୍ ମାର୍କେଟରେ ଏଭଳି ଟ୍ରେଣ୍ଡ ଦେଖିବାକୁ ମିଳିଥିଲା। ଅକ୍ଟୋବର ୨୩ରେ ଗୋଟିଏ ସମୟରେ ସେନସକ୍ସ ୪୦,୮୧୧ ପଏଣ୍ଟକୁ ଉଠିଥିଲା। କରୋନାଜନିତ ଆଘାତ ପୁନର୍ବାର ଏହି ପଏଣ୍ଟକୁ ୪୦ ହଜାର ତଳକୁ ଟାଣି ଆଣିଥିଲା। ଗତ ଶୁକ୍ରବାର ୩୯,୬୧୪ ପଏଣ୍ଟରେ ବନ୍ଦ ହୋଇଯାଇଥିଲା ସେନସେକ୍ସ। ତେବେ ଆଶା ରଖାଯାଉଛି ଯେ, ନିକଟ ଭବିଷ୍ୟତରେ ପୁଞ୍ଜିବଜାରରେ ସ୍ଥିରତା ଫେରିବ। ସବୁକିଛି ନିର୍ଭର କରୁଛି କରୋନା ସଂକ୍ରମଣର ନିମ୍ନମୁଖୀ ଗତି ଏବଂ ବିଭିନ୍ନ ସଂସ୍ଥାର ଆର୍ଥିକ ଫଳ ଉପରେ। ଏହା ସାଙ୍ଗକୁ ଏବେ ସାରା ବିଶ୍ୱ ଯେପରି ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଉପରେ ନଜର ରଖିଛି, ଠିକ୍ ସେହିପରି ଭାରତୀୟ ପୁଞ୍ଜି ବଜାର ଅପେକ୍ଷା କରୁଛି ବିହାର ବିଧାନସଭା ନିର୍ବାଚନ ଫଳାଫଳକୁ। କୁହାଯାଉଛି ଯେ, ଏହି ଦୁଇଟି ନିର୍ବାଚନ ଯଥାକ୍ରମେ ଟ୍ରମ୍ପ ଶାସନ ଓ ମୋଦୀ ଶାସନର ପରୀକ୍ଷା ନେବ।

ଜିଏସ୍‌ଟି ସଂଗ୍ରହ ଲକ୍ଷେ କୋଟି ଟପିଲା

ଭାରତୀୟ ଅର୍ଥନୀତି ପାଇଁ ଆଶ୍ୱସ୍ତିର ଖବର। ଗତ ଫେବୃୟାରୀ ପରେ ଜିଏସଟି ସଂଗ୍ରହରେ ସୁଧାର ଆସିଛି। ଅକ୍ଟୋବର ମାସରେ ଏହି ଟିକସ ସଂଗ୍ରହ ଏକ ଲକ୍ଷ କୋଟି ଟପିଯାଇଛି। ୨୦୨୦ ଜାନୁୟାରୀ ମାସରେ ୧ ଲକ୍ଷ ୧୦ କୋଟିରୁ ଅଧିକ ଜିଏସଟି ସଂଗ୍ରହ ହୋଇଥିବା ବେଳେ ଫେବୃୟାରୀରେ ୧ ଲକ୍ଷ ୦୫ କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଥିଲା। ତା’ ପର ମାସରୁ ଜିଏସଟି ସଂଗ୍ରହ ହ୍ରାସ ପାଇ ଚାଲିଥିଲା। ଗତ ସେପ୍ଟେମ୍ବରରେ ୯୫ ହଜାର ୪୮୦ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଥିବା ବେଳେ ଅକ୍ଟୋବରରେ ଏହା ୧ ଲକ୍ଷ ୦୫ କୋଟି ଅତିକ୍ରମ କରିଛି। ଏଥିରୁ ଅନୁମାନ କରାଯାଉଛି ଯେ, ଦେଶର ଅର୍ଥନୀତି କ୍ରମେ ପ୍ରାକ୍‌ କରୋନା ବେଳର ସ୍ଥିତିକୁ ଫେରିବା ଆରମ୍ଭ କରୁଛି। ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ଜିଏସଟି ସଂଗ୍ରହ ୧୦.୨%  ଅଧିକ ହୋଇଥିବାରୁ ଏହାକୁ ୨୦୧୯ ମାର୍ଚ୍ଚ ପରଠାରୁ ସର୍ବାଧିକ ଦ୍ରୁତ ଅଭିବୃଦ୍ଧି ବୋଲି ଅର୍ଥନୀତିଜ୍ଞମାନେ ମତ ଦେଉଛନ୍ତି।

ୟୁରୋପରେ କରୋନାର ଦ୍ୱିତୀୟ ଢେଉ

ଏସୀୟ ଦେଶ ଭାରତରେ କରୋନା ସଂକ୍ରମଣ କିଛିଟା ହ୍ରାସ ପାଇଥିବା ବେଳେ ୟୁରୋପୀୟ ଦେଶଗୁଡ଼ିକରେ ଏହି ଅତିମାରୀର ଦ୍ୱିତୀୟ ଥର ସଂକ୍ରମଣ ଦେଖିବାକୁ ମିଳିଲାଣି। ଯାହାଫଳରେ ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ ଭଳି ଦେଶଗୁଡ଼ିକରେ ପୁନର୍ବାର ଲକ୍‌ଡାଉନ୍ ଜାରି କଲେଣି। ତେଣେ ଆମେରିକାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ଏକ ଲକ୍ଷ ଟପିଯାଉଛି। ଏହି ସବୁ ବଡ଼ଧରଣର ଅର୍ଥନୀତି ଉପରେ ପୁଣି ପ୍ରତିକୂଳ ପ୍ରଭାବ ପଡ଼ିବା ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସେଠାରେ ସେନସେକ୍ସକୁ ଅସ୍ଥିର କରି ରଖିଛି। ଆକଳନ କରାଯାଉଛି ଯେ, ବିଶ୍ୱର ସର୍ବବୃହତ୍ ଅର୍ଥନୀତି ନିର୍ବାଚନ ଫଳ ଆସିବା ପର୍ଯ୍ୟନ୍ତ ଅସ୍ଥିର ହୋଇ ରହିବ। ସୁତରାଂ ଏହି ଦେଶର ନିର୍ବାଚନ ଫଳାଫଳ ଉପରେ ସାରା ବିଶ୍ୱର ନଜର। କାହା ହାତକୁ ଆସିବ ଆମେରିକାର କ୍ଷମତା, ସେହି ଅନୁଯାୟୀ ବଜାର ଅବସ୍ଥା ଗତି କରିବ ବୋଲି ଆଶା।

ଭାରତରେ ସାମାନ୍ୟ ହ୍ରାସ ପାଇଛି ସଂକ୍ରମଣ

ଆଶ୍ୱାସନାର କଥା ହେଉଛି ଗତ ଅକ୍ଟୋବର ମଧ୍ୟଭାଗରୁ ଭାରତରେ କୋଭିଡ୍ ସଂକ୍ରମଣ ହାର କିଛିଟା ହ୍ରାସ ପାଇଛି। ପାର୍ବଣ ଋତୁରେ ସଂକ୍ରମଣ ବଢ଼ିପାରେ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା ଘଟିନାହିଁ। ବରଂ ଏହି ଉତ୍ସବ ଋତୁରେ କରୋନା କଟକଣା ବଳବତ୍ତର ରହିଥିଲେ ମଧ୍ୟ ବଜାରରେ କିଣାବିକା କିଛିଟା ବଢ଼ିଥିଲା। ଫଳରେ ଅକ୍ଟୋବର ମାସରେ ଜିଏସଟି ସଂଗ୍ରହରେ ସୁଧାର ଆସିଛି। ଟିକସ ସଂଗ୍ରହ ଏକ ଲକ୍ଷ କୋଟି ଟଙ୍କା ପାର୍ କରିଛି। କିନ୍ତୁ ସାମଗ୍ରିକ ଭାବେ ଦେଖିଲେ ଏପର୍ଯ୍ୟନ୍ତ ଦେଶର ଅର୍ଥନୀତି ଅଭିବୃଦ୍ଧିର ପଥ ଧରିନାହିଁ। ଏଥିପାଇଁ ଆହୁରି ସମୟ ଲାଗିବ।

ବିଦେଶୀ ମୁଦ୍ରାଭଣ୍ଡାରରେ ସର୍ବକାଳୀନ ରେକର୍ଡ

ଭାରତୀୟ ଅର୍ଥନୀତି ପାଇଁ ଏକ ଭଲ ଖବର ହେଉଛି ଦେଶରେ ଥିବା ବିଦେଶୀ ମୁଦ୍ରା ଭଣ୍ଡାର (ଫରେନ୍‌ ଏକ୍ସଚେଞ୍ଜ ରିଜର୍ଭ ବା ଫୋରେକସ ରିଜର୍ଭ)ରେ ସର୍ବକାଳୀନ ରେକର୍ଡ ହୋଇଛି। ଅକ୍ଟୋବର ୨୩ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଫୋରେକ୍ସ ରିଜର୍ଭ ୫.୪୧୨ କୋଟି ଡଲାରରୁ ବୃଦ୍ଧି ପାଇ ୫୬୦.୫୩୨ କୋଟି ଡଲାରରେ ପହଞ୍ଚିଯାଇଛି। ଯାହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ସର୍ବକାଳୀନ ରେକର୍ଡର ଆଖ୍ୟା ଦେଇଛି। ତେବେ ସେପ୍ଟେମ୍ବର ମାସରେ ବ୍ୟାଙ୍କ୍ ଋଣ ଗତ ବର୍ଷ ଏହି ସମୟ ତୁଳନାରେ ୫.୮ ପ୍ରତିଶତ ବୃଦ୍ଧି ଘଟିଥିଲେ ମଧ୍ୟ ଶିଳ୍ପ ଋଣ ବୃଦ୍ଧିର ହାର ଶୂନ୍ୟ ପ୍ରତିଘାତରେ ରହିଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଋଣ ପ୍ରସଙ୍ଗରେ ସରକାର ବିଭିନ୍ନ ସୁବିଧା ଦେଇଥିଲେ ମଧ୍ୟ ନିବେଶକାରୀମାନେ ଏବେ ନୂଆ କରି ପୁଞ୍ଜି ଖଟାଇବାକୁ ଚାହୁଁନାହାନ୍ତି। ତେଣେ ଗତ ସାତ ମାସ ଧରି ଦେଶର ପ୍ରମୁଖ ଆଠଟି ଢାଞ୍ଚାଗତ କ୍ଷେତ୍ରର ଉତ୍ପାଦନ ୦.୮ ପ୍ରତିଶତ ସଙ୍କୁଚିତ ହୋଇ ରହିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସ (ଏପ୍ରିଲ୍ -ସେପ୍ଟେମ୍ବର)ରେ ରାଜସ୍ୱ ନିଅଣ୍ଟ ବଜେଟ୍‌ରେ ସାରା ବର୍ଷ ପାଇଁ ଆକଳନ କରାଯାଇଥିବା ରାଜସ୍ୱ ନିଅଣ୍ଟର ୧୧୪.୮ ଶତାଂଶରେ ପହଞ୍ଚିଯାଇଛି। ଫଳରେ ଆଶ୍ୱସ୍ତି ବଢ଼ିବାରେ ଲାଗିଛି।

ବଢ଼ିଲା ବିତ୍ତୀୟ ନିଅଣ୍ଟ ଅନୁମାନ

କରୋନା ଯୋଗୁଁ ଦେଶର ଅର୍ଥନୀତିରେ ଅବକ୍ଷୟକୁ ଦେଖି ସରକାର ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ବୃଦ୍ଧି କରିଛନ୍ତି। ସରକାର ୨୦୨୦-୨୧ ସାଧାରଣ ବଜେଟ୍‌ରେ ବିତ୍ତୀୟ ନିଅଣ୍ଟର ଲକ୍ଷ୍ୟ ୩.୫ ପ୍ରତିଶତ ହେବ ବୋଲି ଆକଳନ କରିଥିଲେ। ଏବେ ଏହି ଆକଳନ ୨୦୨୧ ବର୍ଷରେ ୬.୪ ପ୍ରତିଶତରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ସରକାରଙ୍କ ପକ୍ଷରୁ ବିତ୍ତୀୟ ନିଅଣ୍ଟ ବୃଦ୍ଧି ଘଟିବ ବୋଲି କାହିଁକି ଆକଳନ କରାଗଲା, କାରଣ ହେଉଛି ଚଳିତ ଆର୍ଥିକ ବର୍ଷରେ ଏହି ନିଅଣ୍ଟ ଯେତିକି ହେବ ବୋଲି ବଜେଟ୍‌ରେ ଆକଳନ କରାଯାଇଥିଲା ତାହା ଆର୍ଥିକ ବର୍ଷର ପ୍ରଥମ ୬ ମାସ (ଏପ୍ରିଲ୍- ସେପ୍ଟେମ୍ବର) ମଧ୍ୟରେ ଅତିକ୍ରମ କରିଯାଇଛି। ଏହି ସମୟ ମଧ୍ୟରେ ବିତ୍ତୀୟ ନିଅଣ୍ଟ ୯.୧୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରାଯାଇଛି। ପୁରା ବର୍ଷ ସକାଶେ ଏହି ନିଅଣ୍ଟ ୪ ଲକ୍ଷ କୋଟି ଟଙ୍କା ହେବ ବୋଲି ୨୦୨୦-୨୧ ସାଧାରଣ ବଜେଟ୍‌ରେ ଆକଳନ କରାଯାଇଥିଲା।

ନିର୍ମାଣ କାର୍ଯ୍ୟକଳାପ ଦେଖାଉଛି ଆଲୋକ

ଅର୍ଥନୀତିକୁ ପ୍ରଗତିର ରାସ୍ତାକୁ ଆଣିବା ସକାଶେ ନିର୍ମାଣ କାର୍ଯ୍ୟକଳାପ ବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କରୋନା ସଂକ୍ରମଣ କାରଣରୁ ଶୋଇପଡ଼ିଥିବା ନିର୍ମାଣ କାର୍ଯ୍ୟକଳାପ ଏବେ ଚଳଚଞ୍ଚଳ ହୋଇଛି। ଫଳରେ ଏହା ଅର୍ଥନୀତିକୁ ଠିକ୍ ଦିଶା ନିର୍ଦ୍ଦେଶ କରିବ ବୋଲି ଆଶା କରାଯାଉଛି। ସୂଚନା ଅନୁଯାୟୀ ବଜାରରେ ଚାହିଦା ବୃଦ୍ଧି ପାଇଥିବା କାରଣରୁ ଗତ ଅକ୍ଟୋବର ମାସରେ ନିର୍ମାଣ କାର୍ଯ୍ୟକଳାପ (ମାନୁଫାକଚରିଂ ଆକ୍ଟିଭିଟି) ଗତ ୧୩ ବର୍ଷ ମଧ୍ୟରେ ଶୀର୍ଷ ସ୍ଥାନରେ ପହଞ୍ଚିଛି। ଆଇଏଚଏସ୍ ମାର୍କେଟ୍‌ ମାନୁଫାକଚରିଂ ପିଏମ୍ ଆଇ ଇଣ୍ଡେକସ ଅକ୍ଟୋବରରେ ୫୯.୯ ରହିଥିଲା। ୨୦୦୭ ଅକ୍ଟୋବର ପରେ ଏହା ସବୁଠାରୁ ସର୍ବୋଚ୍ଚସ୍ତର। ଗତ ତିନିମାସ ଧରି ମାନୁଫାକଚରିଂ ଆକ୍ଟିଭିଟି ପିଏମଆଇ ଅଭିବୃଦ୍ଧି ସୂଚାଇ ଦେଉଛି ଯେ, ଦେଶର ଅର୍ଥନୀତିରେ ଅନୁକୂଳ ପବନ ବହିବା ଆରମ୍ଭ କରିଛି।

ଓଡ଼ିଶାର ଜିଏସଟି ସଂଗ୍ରହ ବୃଦ୍ଧି

ଗତ ଅକ୍ଟୋବର ମାସରେ ଓଡ଼ିଶାରେ ଜିଏସଟି ରାଜସ୍ୱ ସଂଗ୍ରହ ୨୧ ପ୍ରତିଶତ ବୃଦ୍ଧି ଘଟିଛି। କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଅକ୍ଟୋବର ଜିଏସଟି ତଥ୍ୟରୁ ଏହି ସୂଚନା ମିଳିଛି। ଓଡ଼ିଶାରେ ଅକ୍ଟୋବର ମାସରେ ୨୪୧୯ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଛି। ଗତ ବର୍ଷ ସମାନ ସମୟରେ ୧୯୯୪ କୋଟି ଟଙ୍କା ଜିଏସଟି ସଂଗ୍ରହ କରିଥିଲା ଏହି ରାଜ୍ୟ।

LEAVE A REPLY

Please enter your comment!
Please enter your name here