ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୧ରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ କେନ୍ଦ୍ର ବଜେଟର ରୂପରେଖ କ’ଣ ରହିବ ଏବଂ ଓଡ଼ିଶା ଏଥିରେ କେତେ ଲାଭବାନ ହେବ ସେ ସମ୍ପର୍କରେ ଓଡ଼ିଶାଲାଇଭ୍‌କୁ ପ୍ରତିକ୍ରିୟା ଦେଇଛନ୍ତି ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ।

‘‘ଚଳିତ ବଜେଟରେ ସବୁ ରାଜ୍ୟ କ୍ଷତିଗ୍ରସ୍ତ ହେବେ। ହେଲେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବ ଓଡ଼ିଶା। ଏଥର ଟିକସ ଆଦାୟ ପରିମାଣ ପୂର୍ବାପେକ୍ଷା ହ୍ରାସ ପାଇଛି। ଏହାର ମୂଲ୍ୟ କମିଲେ ଓଡ଼ିଶା ଘାଟାରେ ପଡ଼ିବ। ଆର୍ଥିକ କ୍ଷେତ୍ର ଉପରେ ସରକାରଙ୍କ ଚାପ ରହିବାରୁ ଓଡ଼ିଶାକୁ ମଧ୍ୟ ଅନୁଦାନ ମିଳିବ ନାହିଁ’’, କହିଛନ୍ତି ପଞ୍ଚାନନ କାନୁନଗୋ।

ସେ ଆହୁରି କହିଛନ୍ତି, ‘‘ଭାରତରେ ଏବେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଏହାକୁ ଘୋଡ଼ାଇବା ପାଇଁ କେନ୍ଦ୍ର ସରକାର ଅଧିକ ଫୋକସ୍‌ ପ୍ରତିରକ୍ଷା କ୍ଷେତ୍ର ଉପରେ କରିବେ। ପ୍ରତିରକ୍ଷା କ୍ଷେତ୍ର ଉପରେ ଏଥର ଅଧିକ ବ୍ୟୟବରାଦ ହେବ। ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଅଧିକ ବ୍ୟବୟରାଦ ହେବନି। ଏହାସହ ବିଭିନ୍ନ ରାଜ୍ୟକୁ ଅନୁଦାନର ପରିମାଣ ମଧ୍ୟ କମିଯିବ।’’

‘‘ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇନି। ଏହାକୁ ସୃଷ୍ଟି କରାଯାଇଛି। ଚଳିତ ବଜେଟରେ ମଧ୍ୟ ଆର୍ଥିକ ମାନ୍ଦାବାସ୍ଥା ସୁଧୁରିବନି। ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ରେଳବାଇ କ୍ଷେତ୍ରରେ ବି ସମାନ ସ୍ଥିତି। ଟଙ୍କା ଆସିଲେ ବି ସ୍ଥିତି ସୁଧୁରୁନି’’, କହିଛନ୍ତି ପଞ୍ଚାନନ।

ନିର୍ମଳା ସୀତାରମଣ ଦ୍ୱିତୀୟ ଥର ପାଇଁ କେନ୍ଦ୍ର ବଜେଟ୍‌ ଆଗତ କରିବେ। ମୋଦୀଙ୍କ ଦ୍ଵିତୀୟ ପାଳି ସରକାର କ୍ଷମତାକୁ ଆସିବା ପରେ ଗତ ଜୁନ ମାସରେ ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଥିଲେ। ଏଣୁ ସୀତାରମଣଙ୍କ ଅର୍ଥ ପେଡ଼ିରୁ କ’ଣ ବାହାରୁଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ବଜେଟ୍‌ ଆସିବା ପୂର୍ବରୁ ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, ‘‘ସବୁ ସେକ୍ଟରରେ ଘାଟା ଦେଖିବାକୁ ମିଳିଛି। ଏଣୁ ଆର୍ଥିକ ସ୍ଥିତିରେ କୌଣସି ସୁଧାର ଆସିବାର ନାହିଁ। ଆମ ଟିକସକୁ ବଡ଼ ବଡ଼ ବିତ୍ତଶାଳୀ ଲୋକଙ୍କ ହାତକୁ ଟେକି ଦିଆଯାଇଥିଲେ ମଧ୍ୟ କୌଣସି କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ଦେଖିବାକୁ ମିଳିଲା ନାହିଁ। ଗତବର୍ଷ ତୁଳନାରେ ଚଳିତ ବର୍ଷର ଅଭିବୃଦ୍ଧି ହାର ଅଧିକ ହେବାର ଆଶା ଦେଖାଯାଉନି।’’

Comment