ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇର ତନାଘନା ଜାରି ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୁଣି ନିରବ ମୋଦିଙ୍କୁ ସମନ ଜାରି କରିଛି। ଇଡି ପୂର୍ବରୁ ନିରବଙ୍କୁ ଦୁଇ ଦୁଇ ଥର ସମନ ଜାରି କରିଥିଲା। ଅବଧି ଶେଷ ହୋଇଥିଲେ ମଧ୍ୟ ନିରବ ଇଡି ଅଫିସ୍‌ରେ ହାଜର ହୋଇ ନାହାନ୍ତି। ୨୬ ତାରିଖ ସୁଦ୍ଧା ହଜାର ହେବାକୁ ଇଡି ପୁଣି ନୋଟିସ ଜାରି କରିଛି।

ନିରବ ମୋଦିଙ୍କ ସହ ମେହୁଲ ଚୌକସିଙ୍କୁ ମଧ୍ୟ ଇଡି ସମନ ଜାରି କରିଛି। ପିଏନ୍‌ବିରୁ ୧୧, ୪୦୦ କୋଟିର ଠକେଇ ଜଣାପଡ଼ିବା ପରେ ନିରବ ମୋଦିଙ୍କର କେବଳ ୯୪ କୋଟି ୫୨ ଲକ୍ଷ ଟଙ୍କାର ମ୍ୟୁଚୁଆଲ ଫଣ୍ଡ ଏବଂ ସେୟାରକୁ ଅଚଳ କରିଛି ଇଡି। ଆୟକର ବିଭାଗ ମଧ୍ୟ ମେହୁଲ ଚୋକସୀଙ୍କ ୧୪୧ଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଛି।

ଏପଟେ ବିଦେଶ ମନ୍ତ୍ରାଳୟ ନିରବଙ୍କ ପାସ୍‌ପୋର୍ଟକୁ ସସ୍‌ପେଣ୍ଡ କରିଥିଲା। ଅନ୍ୟତମ ଅଭିଯୁକ୍ତ ଗୀତାଞ୍ଜଳି ଜୁଏଲର୍ସ ମାଲିକ ମେହୁଲ ଚୋକସୀଙ୍କ ପାସ୍‌ପୋର୍ଟ ସସ୍‌ପେଣ୍ଡ କରାଯାଇଥିଲା। ୪ ସପ୍ତାହ ପାଇଁ ପାସ୍‌ପୋର୍ଟ ସସପେଣ୍ଡ କରାଯାଇଛି।

ସିବିଆଇର ଆବେଦନ ପରେ ବୈଦେଶିକ ମନ୍ତ୍ରାଳୟ ଏହି ପଦକ୍ଷେପ ନେଇଛି। ଯଦି ନିରବ ବ୍ୟକ୍ତିଗତ ଭାବେ ହାଜର ନହେବେ ତାହାଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚେତାବନୀ ଦେଇଥିଲେ ସରକାର।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଜାଲ୍ ଗ୍ୟାରେଣ୍ଟି ପତ୍ର ଜରିଆରେ ନିରବ ଓ ତାଙ୍କ ସହଯୋଗୀ ୧୧ ହଜାର ୪୦୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପିଏନ୍‌ବି ୧୧ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲା। ମୋଟ ୧ ହଜାରରୁ ଅଧିକ କର୍ମଚାରୀଙ୍କୁ ବଦଳି କରାଯାଇଥିଲା।

Comment