ଓଡ଼ିଶାଲାଇଭ୍ ବ୍ୟୁରୋ

- ବାଲେଶ୍ୱର ଜିଲ୍ଲାରେ ପରୀକ୍ଷାର୍ଥୀ ୨୧,୧୧୯
- ୭୬ଟି ପରୀକ୍ଷା କେନ୍ଦ୍ର
- ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ୧୧ଟି ପ୍ରଶ୍ନପତ୍ର ହବ୍
- ସୁରକ୍ଷା ପାଇଁ ଦୁଇଟି ସ୍କ୍ୱାର୍ଡ ଗଠନ
ମାର୍ଚ୍ଚ ମାସ ୬ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଏହାର ପରିଚାଳନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଏକ ବୈଠକ ଡକାଇ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ବିଷୟକୁ ତର୍ଜମା କରିଛନ୍ତି ।
ଚଳିତବର୍ଷ ବାଲେଶ୍ୱର ଜିଲ୍ଲାରେ ୨୧,୧୧୯ଜଣ ଛାତ୍ର-ଛାତ୍ରୀ ପରୀକ୍ଷା ଦେବେ । ଏଥିରେ କଳାରେ ରେଗୁଲାର ୧୧,୪୭୭ ଓ ଏକ୍ସ ରେଗୁଲାର ୬୮୭ଜଣ ଥିବା ବେଳେ ବିଜ୍ଞାନରେ ରେଗୁଲାର ଭାବେ ୫୭୭୨ ଓ ଏକ୍ସ ରେଗୁଲାର ଭାବେ ୧୯୦ଜଣ ଛାତ୍ର-ଛାତ୍ରୀ ପରୀକ୍ଷା ଦେବେ ।
ସେହିପରି ବାଣିଜ୍ୟରେ ରେଗୁଲାର ୧୯୦୪ ଓ ଏକ୍ସ ରେଗୁଲାର ୨୯ ଜଣ ରହିଛନ୍ତି । ଏଥିସହିତ ପତ୍ର ବିନିମୟ ପାଠ୍ୟକ୍ରମରେ ୫୫୯ଜଣ ପରୀକ୍ଷା ଦେବେ ।
ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ୧୧ଟି ପ୍ରଶ୍ନପତ୍ର ହବ୍ ସୃଷ୍ଟି କରାଯାଇଛି । ସେଗୁଡିକ ହେଲା ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ, ସିଧେଶ୍ୱର ମହାବିଦ୍ୟାଳୟ, ଅମର୍ଦ୍ଧା, ସିମୁଳିଆ ଜୁନିୟର ମହାବିଦ୍ୟାଳୟ, ମାର୍କୋଣା, ଖଇରା ଜୁନିୟର ମହାବିଦ୍ୟାଳୟ, ଖଇରା, ଗୋପାଳପୁର ଜୁନିୟର ମହାବିଦ୍ୟାଳୟ, ଗୋପାଳପୁର, କେ.କେ.ଏସ. ମହିଳା ଜୁନିୟର ମହାବିଦ୍ୟାଳୟ, ବାଲେଶ୍ୱର, ଡି.କେ. ଜୁନିୟର ମହାବିଦ୍ୟାଳୟ, ଜଳେଶ୍ୱର, ଗ୍ରାମାଂଚଳ ଜୁନିୟର ଉଚ୍ଚଶିକ୍ଷା ଅନୁଷ୍ଠାନ, ଭୋଗରାଇ, ସୁବର୍ଣ୍ଣରେଖା ଜୁନିୟର ମହାବିଦ୍ୟାଳୟ, ବାଲିଆପାଳ, ଉପେନ୍ଦ୍ରନାଥ ଜୁନିଅର ମହାବିଦ୍ୟାଳୟ, ସୋରୋ, ନୀଳଗିରି ଜୁନିୟର ମହାବିଦ୍ୟାଳୟ, ନୀଳଗିରି ।
ତା ଛଡା ୭୬ଟି ପରୀକ୍ଷା କେନ୍ଦ୍ର ରହିଛି ଯେଉଁଥିରେ ୯ଟି ଭୋକେସନାଲ କେନ୍ଦ୍ର ରହିଛି । ପ୍ରଶ୍ନପତ୍ର ହବ ଗୁଡିକରେ କିପରି ସୁରକ୍ଷା ଓ ନିର୍ମାଣ ଦୃଷ୍ଟିରୁ ସୁଶକ୍ତ ତଥା ଅଗ୍ନି ନିରୋଧ ବ୍ୟବସ୍ଥା ରହିପାରିବ ସେଥିପାଇଁ ପୋଲିସ, ପୂର୍ତ୍ତ ବିଭାଗ ଓ ଅଗ୍ନିଶମ ବିଭାଗକୁ ତଦାରଖ କରି ପ୍ରମାଣପତ୍ର ଦେବାକୁ କୁହାଯାଇଛି ।
ପ୍ରଶ୍ନପତ୍ର ଗଚ୍ଛିତ ଥିବା ସମୟରେ ପୋଲିସ ତରଫରୁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା, ସିସିଟିଭି କଭରେଜ, ବିଦ୍ୟୁତ ସରବରାହ ବିଚ୍ଛିନ୍ନ ଭଳି କେତେକ ବୈଷୟିକ ବିଷୟ ପ୍ରତି ଯତ୍ନବାନ ହେବାକୁ ଜିଲ୍ଲାପାଳ ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।
ପ୍ରଶ୍ନପତ୍ରଗୁଡିକ ପରୀକ୍ଷା କେନ୍ଦ୍ରଗୁଡିକୁ ନେବା ସମୟରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ତଦାରଖରେ ନେବା ପାଇଁ କୁହାଯାଇଛି । ସେହିପରି ଜିଲ୍ଲା ପ୍ରଶାସନ ତରଫରୁ ଜଣେ ଜଣେ ଅଧିକାରୀ ପ୍ରତି ପରୀକ୍ଷା କେନ୍ଦ୍ରରେ ମୁତୟନ ଥାଇ ପ୍ରଶ୍ନପତ୍ର ଖୋଲା ଯିବାର ପ୍ରାବଧାନ କରାଯାଇଛି । ତା ଛଡା ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ପ୍ରତି କେନ୍ଦ୍ରରେ ବ୍ୟାପକ ପୁଲିସ ମୁତୟନ କରାଯିବ ।
ଜିଲ୍ଲା ପାଇଁ ପୂର୍ବ ସ୍ଥିରୀକୃତ ଗୋଟିଏ ସ୍କ୍ୱାର୍ଡ ବଦଳରେ ଦୁଇଟି ସ୍କ୍ୱାର୍ଡ ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା ।
ସେହିପରି ପରୀକ୍ଷା ପାଇଁ ମୁତୟନ ସମସ୍ତ କର୍ମଚାରୀଙ୍କ ମୋବାଇଲ ନମ୍ବର ସଂଗ୍ରହ କରି ପ୍ରଶାସନକୁ ଜଣାଇବାକୁ କୁହାଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମାନସ ରଞ୍ଜନ ପାଢୀ, ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସମେତ ବିଭିନ୍ନ କଲେଜର ଅଧ୍ୟକ୍ଷ, ଅଧ୍ୟକ୍ଷା ଓ ଜିଲ୍ଲା ପରୀକ୍ଷା ସଂଯୋଜକ ପ୍ରମୁଖ ଯୋଗ ଦେଇଥିଲେ ।












