ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) ବିଭିନ୍ନ ଚିଟଫଣ୍ଡ ସଂସ୍ଥାରେ ଅର୍ଥ ଜମା କରି କ୍ଷତିଗ୍ରସ୍ଥ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ଶୁକ୍ରବାରଠାରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସରକାର କ୍ଷତିଗ୍ରସ୍ତଙ୍କୁ ଟଙ୍କା ନଫେରାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।

ବିଭିନ୍ନ ଚିଟଫଣ୍ଡରେ କେନ୍ଦ୍ରାପଡ଼ା ଜିଲ୍ଲାର ଜମାକାରୀ ଏବଂ ଚିଟଫଣ୍ଡ କମ୍ପାନୀଗୁଡ଼ିକରେ ଏଜେଣ୍ଟ ଭାବେ କାମ କରିଥିବା ଲୋକ ଚିଟଫଣ୍ଡ ଦ୍ଵାରା ଠକେଇର ଶିକାର ହୋଇଥିଲେ। ଚିଟଫଣ୍ଡଗୁଡ଼ିକ ବନ୍ଦ ହୋଇଯାଇଥିବାରୁ ଜମାକାରୀମାନେ ଅର୍ଥ ଫେରି ପାଇନଥିଲେ। ଜମାକାରୀଙ୍କଠାରୁ ଏଜେଣ୍ଟମାନେ ଟଙ୍କା ନେଇ ବିଭିନ୍ନ ଚିଟଫଣ୍ଡରେ ଜମା କରିଥିବା ଏଜେଣ୍ଟ ଟଙ୍କା ଫେରସ୍ତ ପାଇବାକୁ ଥାନାର ଦ୍ଵାରସ୍ଥ ହେବା ସହ ସରକାରଙ୍କୁ ଗୁହାରି କରିଥିଲେ।

ଟଙ୍କା ଫେରି ପାଇବାକୁ ଜମାକାରୀ ଓ ଏଜେଣ୍ଟମାନେ ଆନ୍ଦୋଳନ କରିଥିଲେ। ଆନ୍ଦୋଳନ ପରେ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ଟଙ୍କା ଫେରାଇ ଦେବା ପାଇଁ ୨୦୧୩ ମସିହାରେ ସରକାର ୩୦୦ କୋଟି ଟଙ୍କାର ଏକ କାର୍ପସ ଫଣ୍ଡ ଗଠନ କରିଥିଲେ। ୮ ବର୍ଷ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଜମାକାରୀ ଟଙ୍କା ଫେରି ପାଇନାହାନ୍ତି।

କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀ ଓ ଏଜେଣ୍ଟ ମାନସିକ ଚାପରେ ରହିବା ସହ ଆର୍ଥିକ ସମସ୍ୟା ଯୋଗୁଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ଜମାକାରୀଙ୍କୁ ପ୍ରତିଶ୍ରୁତି ଦେଇ ବର୍ତ୍ତମାନ ସୁଦ୍ଧା ଅର୍ଥ ଫେରାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏହାର ପ୍ରତିବାଦରେ ଠକେଇର ଶିକାର ହୋଇଥିବା କ୍ଷତିଗ୍ରସ୍ତଙ୍କୁ ନେଇ ଗଠିତ ଜିଲ୍ଲା ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ଆନ୍ଦୋଳନ ଆରମ୍ଭ କରିଛି। ଅର୍ଥ ଫେରିନପାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ମଞ୍ଚ ପକ୍ଷରୁ ନିଷ୍ପତ୍ତି ହୋଇଛି

Comment