ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଚାଲିଥିବା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା।

ରାଜ୍ୟବ୍ୟାପୀ ବୁଧବାର ଦିନଠାରୁ ଚାଲିଛି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ଗାଡ଼ି ମଟର ଚଳାଚଳ କରୁନଥିବାରୁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଯାତ୍ରୀ, ନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେଉଁମାନେ ଦୂର ସ୍ଥାନକୁ ଯାଇଥିଲେ, ବସ ଚଳାଚଳ କରୁନଥିବାରୁ ସେମାନେ ସେହିଠାରେ ହିଁ ଅଟକି ରହିଛନ୍ତି।

ଆନ୍ଦୋଳନ ଯୋଗୁଁ ରାସ୍ତାରେ ଅଟକି ରହିଛି ଶହ ଶହ ଟ୍ରକ୍

ବୁଧବାର ଦିନଠାରୁ ୧୦ ଦଫା ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ। ଭୁବନେଶ୍ଵର, କଟକ, ବ୍ରହ୍ମପୁର, ବାଲେଶ୍ଵର, ସମ୍ବଲପୁର, ସୁନ୍ଦରଗଡ଼ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଛି। ରାତି ସାରା ଡ୍ରାଇଭରମାନେ ରାସ୍ତା ଉପରେ ବସି ଆନ୍ଦୋଳନ କରୁଥିବାରୁ ବାହାର ରାଜ୍ୟରୁ ଆସୁଥିବା ହଜାର ହଜାର ଟ୍ରକ୍ ରାସ୍ତାରେ ଅଟକି ରହିଛି। ଟ୍ରକ୍‌ଗୁଡ଼ିକ ପନିପରିବା ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ନେଇ ଯାଉଥିବାରୁ ସମୟ ପୂର୍ବରୁ ଏହା ଗନ୍ତବ୍ୟସ୍ଥଳରେ ନପହଞ୍ଚିଲେ ନଷ୍ଟ ହେବାର ସମ୍ଭାବନା ରହିଛି।

ମିଳୁନି ପେଟ୍ରୋଲ, ନିରାଶ ହୋଇ ଟାଙ୍କିରୁ ଫେରୁଛନ୍ତି ଲୋକ

ଗୁରୁବାର ଦିନ ଡ୍ରାଇଭରଙ୍କ ଆନ୍ଦୋଳନ ଦ୍ଵିତୀୟ ଦିନରେ ପହଞ୍ଚିଛି। ଗାଡ଼ିମଟର ଚାଲୁନଥିବାରୁ ଏହାର ପ୍ରଭାବ ପେଟ୍ରୋଲ ଉପରେ ପଡ଼ିଛି। ଭୁବନେଶ୍ଵର, ଜୟପୁର ଏବଂ ବାଲେଶ୍ଵର ଭଳି ସହରର କେତେକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଏବଂ ଡିଜେଲ ମିଳୁନଥିବାରୁ ଲୋକଙ୍କୁ ନାହିଁନଥିବା ହଇରାଣ ହରକତ ହେବାକୁ ପଡ଼ୁଛି। ତେଲ ମିଳୁନଥିବାରୁ ଟାଙ୍କିରୁ ନିରାଶ ହୋଇ ଫେରୁଛନ୍ତି ଲୋକେ।

ଡିପୋରେ ତେଲ ଆବଶ୍ୟକ ପରିମାଣର ମହଜୁଦ ରହିଛି, କିନ୍ତୁ ଟାଙ୍କର ଆସୁନଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ଗ୍ରାହକଙ୍କୁ ବିଚଳିତ ନହେବା ପାଇଁ  ନିବେଦନ କରିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ।

ଦୁଇ ଡ୍ରାଇଭର ଗୋଷ୍ଠୀ ମୁହାଁମୁହିଁ, ତମାଣ୍ଡୋ ଛକ ପାଲଟିଲା ରଣକ୍ଷେତ୍ର

ବୁଧବାରଠାରୁ ଆରମ୍ଭ ହୋଇଥିବା ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ତୀବ୍ର ରୂପ ନେବାରେ ଲାଗିଛି। ଗୁରୁବାର ଦିନ ଭୁବନେଶ୍ଵରର ତମାଣ୍ଡୋ ଛକଠାରେ ଦୁଇ ଡ୍ରାଇଭର ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟି ଯାଇଥିଲା ତମାଣ୍ଡୋ ଛକ। ଗଣ୍ଡଗୋଳକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଲାଠି ଚାଳନା କରାଯାଇଥିଲା। ଡ୍ରାଇଭରଙ୍କ ଗଣ୍ଡୋଗଳ କାରଣରୁ ଦୀର୍ଘ ସମୟ ପର୍ଯ୍ୟନ୍ତ  ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।

ବ୍ରହ୍ମପୁରରେ ପୋଲିସ-ଡ୍ରାଇଭର ମୁହାଁମୁହିଁ

ଡ୍ରାଇଭରମାନଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳାନର ପ୍ରଭାବ ଏବେ ସାରା ରାଜ୍ୟରେ ଦେଖିବାକୁ ମିଳିଛି। ଆଜି ବ୍ରହ୍ମପୁରରେ ଆନ୍ଦୋଳନକାରୀ ଡ୍ରାଇଭର ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ଭଳି ପରିସ୍ଥିତି ଉପୁଜିଛି। ପୋକୋଡ଼ିବନ୍ଧ ଛକଠାରେ ଆନ୍ଦୋଳନକାରୀ ଡ୍ରାଇଭରଙ୍କୁ ଘଉଡ଼ାଇବାକୁ ପୋଲିସ ଉଦ୍ୟମ କରୁଥିବାବେଳେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା।

ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆନ୍ଦୋଳନକାରୀ ଡ୍ରାଇଭର ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ଏଥିରେ କିଛି ପୋଲିସ କର୍ମଚାରୀ ଆହତ ହୋଇଥିବା ଦେଖିବାକୁ ମିଳିଛି। ୫୦୦ରୁ ଅଧିକ ଆନ୍ଦୋଳନକାରୀ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବାବେଳେ ପୋଲିସ ସେମାନଙ୍କୁ ଉଠାଇବାକୁ ଚେଷ୍ଟା କରିବା ବେଳେ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା।

ବଢ଼ିଲାଣି ପନିପରିବା ଦର

ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ଦୁଇ ଦିନ ହେଲା ରାଜରାସ୍ତାରେ ଅଟକି ରହିଛି ମାଲବାହୀ ଟ୍ରକ୍। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଠକ୍ ହୋଇଯାଇଥିବାରୁ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିଛି। କେତେକ ଟାଙ୍କିରେ ପେଟ୍ରୋଲ ଏବଂ ଡିଜେଲର ଅଭାବ ଦେଖା ଦେଇଥିବାବେଳେ ଏବେ ପନିପରିବା ଦର ଧୀରେ ଧୀରେ ବଢ଼ିବାକୁ ଲାଗିଛି।

ଭୁବନେଶ୍ଵର ସମେତ କଟକ, ବ୍ରହ୍ମବୁର, ବାଲେଶ୍ଵର ଏବଂ ସମ୍ବଲପୁରର ହୋଲସେଲ ପରିବା ମାର୍କଟେରେ ଆଳୁ ପିଆଜ ଆଭାବ ଦେଖା ଦେଇଛି। ପରିବା ଦର ଏବେ ୧୦ରୁ ୪୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଯାଇଛି। ଯାହା ଫଳରେ ସାଧାରଣର ଗ୍ରାହକଙ୍କ ଉପରେ ଅତିରିକ୍ତ ବୋଝ ଲଦି ହୋଇଯାଇଛି।

ଏପଟେ ବ୍ୟବସାୟୀ ସଂଘ କହିଛି ଆଗାମୀ ୧୫ ଦିନ ପାଇଁ ଆତ୍ୟାବଶ୍ୟକୀୟ ସାମଗ୍ରୀ ରହିଛି। ଅଟକି ରହିଥିବା ପନିପରିବା ଟ୍ରକ୍ ଗୋଦାମରେ ନ ପହଞ୍ଚିଲେ ଏହାର ପ୍ରଭାବ ପନିପରିବା ଦରଦାମ ଉପରେ ପଡ଼ିବ ବୋଲି ସଂଘ କହିଛି। ଡ୍ରାଇଭର ସଂଘର ଏହି ଆନ୍ଦୋଳନ ରାଜ୍ୟର ଯୋଗାଣ ମାଧ୍ୟମକୁ ଏକ ପ୍ରକାର ଅଚଳ କରିଦେଇଛି। ଆଗକୁ ଏହି ସ୍ଥିତି ଜାରି ରହିଲେ ସ୍ଥିତି ବିଗିଡ଼ିବା ସମ୍ଭାବନା ରହିଛି।

ବିଧାନସଭାରେ ଡ୍ରାଇଭର ଆନ୍ଦୋଳନ ତାତି

ଡ୍ରାଇଭଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ତାତି ଏବେ ବିଧାନସଭାରେ ପହଞ୍ଚିଛି। ଆନ୍ଦୋଳନକୁ ନେଇ ଗୃହରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଡ୍ରାଇଭର ଆନ୍ଦୋଳନକୁ ନେଇ ରୁଲିଂ ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ। ଡ୍ରାଇଭରଙ୍କ ସହ ଆଲୋଚନା କରିବା ପାଇଁ ସେ ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି। ଡ୍ରାଇଭରଙ୍କ ସହ ଅଲୋଚନା କରି ଶୁକ୍ରବାର ଗୃହରେ ଉତ୍ତର ରଖିବାକୁ ମନ୍ତ୍ରୀଙ୍କୁ କୁହାଯାଇଛି।

ଆନ୍ଦୋଳନକାରୀଙ୍କୁ ଧମକାଇଲେ ଜୋରଦାର ହେବ ଆନ୍ଦୋଳନ – ଡ୍ରାଇଭର ମହା ସଂଘ

ଆନ୍ଦୋଳନକାରୀ ଡ୍ରାଇଭରଙ୍କୁ ପୋଲିସ ଜବରଦସ୍ତି ଉଠାଇନେଲେ କିମ୍ବା ଧମକ ଚମକ ଦେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତବାନୀ ଦେଇଛି ଡ୍ରାଇଭର ମହାସଂଘ। କେବଳ ଏତିକି ନୁହେଁ ଆବଶ୍ୟକ ପଡ଼ିଲେ ଡ୍ରାଇଭରଙ୍କ ପରିବାର ଆନ୍ଦୋଳନରେ ସାମିଲ ହେବେ ବୋଲି ମଧ୍ୟ କହୁାଯାଇଛି।

ଦୁଇ ଦିନରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ପ୍ରଭାବ ଏବେ ସାରା ରାଜ୍ୟରେ ଦେଖିବାକୁ ମିଳିଛି। ଯାତ୍ରୀଙ୍କଠାରୁ ସାଧାରଣ ଜନତା ଏହି ଆନ୍ଦୋଳନ ଯୋଗୁଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଆନ୍ଦୋଳନ ଆଗକୁ ଜାରି ରହିଲେ ଲୋକଙ୍କ ସମସ୍ୟା ଦ୍ଵି’ଗୁଣିତ ହେବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

Tags: #DriverStrike #OdishaDriverMahasangha #Protest #CommercialVehicles #Odisha #VegetablesPriceHike

Comment