ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୨୮ରେ ବାହାରିବ ଫଳାଫଳ
  • ୭୨ ପ୍ରତିଶତରୁ ଅଧିକ ମତଦାନ
  • ପ୍ରଥମ ଥର ପାଇଁ ଭିଭିପାଟ୍ ମେସିନରେ ଭୋଟ ଦେଲେ ଭୋଟର
  • ୧୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ

ସରିଲା ବିଜେପୁର ଭୋଟ୍। ଇଭିଏମରେ ସିଲ୍ ହୋଇଯାଇଛି ୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ। ହେଲେ ଅସଲ ଲଢ଼େଇ ଚାଲିଥିଲା କଂଗ୍ରେସ-ବିଜେପି-ବିଜେଡି ପ୍ରାର୍ଥୀଙ୍କ ଭିତରେ। ଏହି ତିନି ପ୍ରାର୍ଥୀଙ୍କ ମଧ୍ୟରୁ କିଏ ବାଜି ମାରିବ ତାକୁ ହିଁ ଏବେ ସମସ୍ତଙ୍କର ଅପେକ୍ଷା। ଆସନ୍ତା ୨୮ ତାରିଖରେ ଫଳାଫଳ ପ୍ରକାଶ ପାଇବା ପରେ ବିଜେପୁର ଭୋଟର କାହା ସପକ୍ଷରେ ରାୟ ଦେଇଛନ୍ତି ତାହା ସ୍ପଷ୍ଟ ଜଣାପଡ଼ିବ।

ସକାଳ ୮ଟାରୁ ଆରମ୍ଭ ହୋଇଥିଲା ଭୋଟ୍। ଅପରାହ୍ଣ ୫ଟା ମତଦାନ ଶେଷ ହୋଇଥିଲା। ଏହି ଉପ-ନିର୍ବାଚନରେ ୭୨ ପ୍ରତିଶତରୁ ଅଧିକ ମତଦାନ ହୋଇଛି। ଲୋକେ ଆଗ୍ରହର ସହକାରେ ବୁଥ୍‌କୁ ଆସି ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି।

ରାଜ୍ୟରେ ପ୍ରଥମ ଥର ପାଇଁ ଭିଭିପାଟ ମେସିନରେ ଭୋଟ ଦେଇଛନ୍ତି ବିଜେପୁର ଭୋଟର। ମତଦାନରେ ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ୨୮୧ଟି ବୁଥ୍‌ରେ ୨୮୧ଟି ଭିଭିପାଟ୍ ମେସିନ୍ ଲଗାଯାଇଥିଲା। ମୋଟ ୨ ଲକ୍ଷ ୮୧ ହଜାର ୧୫୯ ଭୋଟର ଭୋଟ ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା।

ଏହି ଉପ-ନିର୍ବାଚନ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। କାଁ ଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ କିଛି ଅଘଟଣ ଘଟିନି। ହେଲେ ବିଜେପୁର ଏବଂ ଗାଇସିଲଟ ବ୍ଲକର କିଛି ବୁଥ୍‌ରେ ଇଭିଏମ୍‌ ଅଚଳ ହେବା ଯୋଗୁ ମତଦାନ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା।

“ଉପ-ନିର୍ବାଚନକୁ ସୂଚାରୁରୂପେ ପରିଚାଳନା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ନିୟମାବଳୀ ଅନୁଯାୟୀ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ୨୮୧ ବୁଥ୍‌ରେ ୧୫୪୫ ପୋଲିଂ ଅଧିକାରୀ, ୨୧୪୪ ପୋଲିସ କର୍ମଚାରୀ ଏବଂ ୪୦୦ ଗାଡ଼ିକୁ ନିୟୋଜିତ କରାଯାଇଥିଲା। ୬ଟି ଫ୍ଲାଇଙ୍ଗ ସ୍କ୍ୱାଡ୍ ଗଠନ କରାଯାଇଥିଲା। ୮ଟି ବୁଥ୍‌ରେ ୱେବକାଷ୍ଟିଂ କରାଯିବା ସହ ମାଇକ୍ରୋ ଅବଜର୍ଭରଙ୍କୁ ନିୟୋଜିତ କରାଯାଇଥିଲା”, ଏହା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।

ସେ ଆହୁରି କହିଛନ୍ତି, “ବିଜେପୁର ଉପ-ନିର୍ବାଚନରେ ୧ ଲକ୍ଷ ୧୫ ହଜାର ୪୧୭ ପୁରୁଷ ଭୋଟର ଏବଂ ୧ ଲକ୍ଷ ୫ ହଜାର ୭୧୩ ମହିଳା ଭୋଟରଙ୍କ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।”

ଭୋଟ ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ବିଜେପୁରରେ ୩୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସେମାନଙ୍କ ମଧ୍ୟରେ ୫ କମ୍ପାନି ବିଏସ୍‌ଏଫ୍ ଓ ସିଆର୍‌ପିଏଫ୍ ଯବାନ ରହିଛନ୍ତି। ଆବଶ୍ୟକ ପଡ଼ିଲେ ଅଧିକ ଫୋର୍ସ ମୁତୟନ କରାଯିବ। ୪୦ଟି ମୋବାଇଲ୍ ପାର୍ଟି ନିୟୋଜିତ କରାଯାଇଥିଲା।ଉପ-ନିର୍ବାଚନ ପାଇଁ ୧୨ଟି ପୋଲିସ ସ୍କ୍ୱାଡ୍ ଗଠନ କରାଯାଇଛି। ୧୫୦ ସବ୍-ଇନ୍ସିପେକ୍ଟର ଏବଂ ୪୦ ମୋବାଇଲ୍ ଟିମକୁ ନିୟୋଜିତ ହୋଇଥିଲେ।

ବିଜେପୁର ଉପ-ନିର୍ବାଚନକୁ ନେଇ ଗତ ୧୫ ଦିନ ହେଲା ରାଜନୀତି ପାଣିପାଗ ଉଷ୍ମ ହୋଇ ଯାଇଥିଲା। ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପ୍ରଚାରରେ ବିଜେପୁର କମ୍ପୁଥିଲା। ସିନେ ତାରକା, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରରେ ବିଜେପୁର ଦୁଲୁକୁଥିଲା।

Comment