ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି)ର ରୌପ୍ୟ ଜୟନ୍ତୀ ଉପଲକ୍ଷେ ଏକ ଲିଖନ କର୍ମଶାଳା ଅନୁଷ୍ଠିତ ହୋଇଛି। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ମୁଖ୍ୟ ଯୋଗାଯୋଗ ଅଧିକାରୀ ରମେନ୍ଦ୍ର କୁମାରଙ୍କ ସଂଚାଳନରେ ଆୟୋଜିତ ଏହି କର୍ମଶାଳାରେ ଆଇଆଇଏମ୍ସିର ଛାତ୍ରଛାତ୍ରୀ ସମେତ ସିନର୍ଜି ଇଞ୍ଜିନିୟରିଂ କଲେଜରୁ ୩୬ ଶିକ୍ଷାର୍ଥୀ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ୪ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ।
ଏହି କର୍ମଶାଳାରେ ମୁଖ୍ୟତଃ କାଳ୍ପନିକ ଲେଖାର ବିଭିନ୍ନ ବିଭବ ଉପରେ ଆଲୋଚନା କରାଯିବା ସହ ଲିଖନ ଅଭ୍ୟାସ କରାଯାଇଥିଲା।
“ଲେଖିବା ଗୋଟିଏ କଳା। ଏହା ସହଜ ନୁହେଁ। ଏଥିପାଇଁ ଲୋଡ଼ା ଆଗ୍ରହ ଓ ଅଭ୍ୟାସ। ସମସ୍ତେ ଲେଖିପାରନ୍ତିନି। କିନ୍ତୁ ଜୀବନର ଅନୁଭବକୁ ନେଇ ଲେଖିଲେ ଏହା ପାଠକଙ୍କ ହୃଦୟକୁ ଛୁଇଁପାରିଥାଏ। ଜୀବନର ଅନୁଭବ ସହ ନିରୀକ୍ଷଣ ଓ କଳ୍ପନାକୁ ଯୋଡ଼ିପାରିଲେ ଭଲ ଲେଖା ସୃଷ୍ଟି ହୋଇପାରିବ”, କହିଛନ୍ତି ରମେନ୍ଦ୍ର କୁମାର।
କର୍ମଶାଳାର ଦ୍ୱିତୀୟ ପର୍ଯ୍ୟାୟରେ ‘ଶେଷ ରାତି’, ‘ହେବା ପାଇଁ ନହେବା ପାଇଁ’ ଓ ‘ଯେଉଁଦିନ ଜଣେ ଆତଙ୍କବାଦୀକୁ ଭେଟିଲି’ ଆଦି ତିନୋଟି ବିଷୟ ଉପରେ ଲିଖନ ଅଭ୍ୟାସ କରାଯାଇଥିଲା। ଛାତ୍ରଛାତ୍ରୀଙ୍କୁ ତିନୋଟି ଗ୍ରୁପରେ ବିଭକ୍ତ କରାଯାଇଥିଲା। ପରେ ସେମାନେ ଦଳଗତ ଭାବେ ଏହା ଉପରେ ଗପ ଲେଖିଥିଲେ ଓ ଏହାର ସାରାଂଶ ବର୍ଣ୍ଣନା କରିଥିଲେ।