ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲାଙ୍ଗିର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ତଦନ୍ତ ସିବିଆଇ କିମ୍ବା ଏନଆଇଏକୁ ହସ୍ତାନ୍ତର କରିବାକୁ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଦାବି କରିଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।

ଫେବ୍ରୁଆରି ୨୩ ତାରିଖ ଦିନ ବଲାଙ୍ଗିର ପାଟଣାଗଡ଼ରେ ଏକ ପାର୍ସଲ ବୋମା ବିସ୍ଫୋରଣରେ ସୌମ୍ୟଶେଖର ସାହୁ ଏବଂ ତାଙ୍କଜେଜେ ମା’ ଜେନାମଣୀ ସାହୁଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ  ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ଗୁରୁତର ଭାବରେ ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହି ବୋମା ବିସ୍ଫୋରଣରେ ଘରର କାନ୍ଥ ବି ଫାଟିଯାଇଛି। ରାଜ୍ୟରେ ଏଭଳି ଘଟଣା କେବେ ବି ଆଗରୁ ଘଟିନଥିଲେ ମଧ୍ୟ କିଏ ଏବଂ କାହିଁକି ଏପରି ଷଡଯନ୍ତ୍ର ରଚନା କରିଛି ତାହା ଏବେ ରହସ୍ୟଘେରରେ।

ବିସ୍ଫୋରଣକୁ ତିନି ଦିନ ବିତିଥିଲେ ମଧ୍ୟ ପୋଲିସ ଅପରାଧୀର ସୁରାକ ପାଇନି।

କେ ଭି ସିଂହଦେଓ କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଗୃହ ବିଭାଗ ଥିବାରୁ ସେ ଲୋକମାନଙ୍କ ମନରେ ଦୃଢ଼ ବିଶ୍ୱାସ ସୃଷ୍ଟି କରିବା ଦରକାର। ଏଥିସହ ପାଟଣାଗଡ଼ ନିର୍ବାଚନମଣ୍ଡଳୀର ବାସିନ୍ଦାମାନେ ସିବିଆଇ କିମ୍ବା ଏନଆଇଏ ଦ୍ୱାରା ଘଟଣାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି।”

Comment