ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭିଡିଓ କନଫରେନ୍ସଂ ଜରିଆରେ ପଞ୍ଚାୟତ ପ୍ରତିନିଧିଙ୍କ ସହ କଥା ହେଲେ
  • ଗାଁର ବିକାଶ କରିବାକୁ ପରାମର୍ଶ ଦେଲେ
  • କଂଗ୍ରେସ କହିଲା, “ଏହା ଲୋକଦେଖାଣିଆ”
  • ମୁଖ୍ୟମନ୍ତ୍ରୀ କେବଳ ପ୍ରଚାରରେ ବିଶ୍ୱାସ କରନ୍ତି: ବିଜେପି

“ଆଜି ହେଉଛି ବିଜୁବାବୁଙ୍କ ଜନ୍ମ ଦିନ। ପଞ୍ଚାୟତକୁ ଶକ୍ତିଶାଳି କରିବା ଏବଂ ଗାଁକୁ ବିକାଶ ପଥରେ ଆଗେଇ ନେବାରେ ବିଜୁବାବୁଙ୍କ ଅବଦାନକୁ ଭୁଲି ହେବ ନାହିଁ। ସେହି ମହାନ ନେତାଙ୍କ ସ୍ମୃତିରେ ଆମେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛୁ। ଏହି କାର୍ଯ୍ୟକ୍ରମ ଜରିଆରେ ମୁଁ ପ୍ରତି ସପ୍ତାହରେ ପଞ୍ଚାୟତକୁ ଯିବି। ଗାଁ କଥା ବୁଝିବି। ଆମେ ସମସ୍ତେ ମିଳିମିଶି ଗାଁକୁ ଗଢ଼ିବା”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବିଜୁବାବୁଙ୍କ ଜୟନ୍ତୀ ଏବଂ ପଞ୍ଚାୟତିରାଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ସଚିବାଳୟରୁ ଭିଡିଓ କନଫରେନ୍ସିଂ ଜରିଆରେ ପଞ୍ଚାୟତ ପ୍ରତିନିଧିଙ୍କ ସହ କଥା ହୋଇଛନ୍ତି। ଏଥିପାଇଁ ୪ଟି ଜିଲ୍ଲାର ୪ଟି ବ୍ଲକରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା କରାଯାଇଥିଲା। ପଞ୍ଚାୟତର ସରପଞ୍ଚ ଏବଂ ସମିତିସଭ୍ୟଙ୍କ କଥା ଶୁଣିଥିଲେ ମୁଖ୍ୟମନ୍ତ୍ରୀ।

ଯାଜପୁର, ସମ୍ବଲପୁର, ଗଞ୍ଜାମ ଏବଂ କୋରାପୁଟ ଜିଲ୍ଲାର ପ୍ରତିନିଧିଙ୍କ ସହ କଥା ହୋଇଥିଲେ ନବୀନ।

ପ୍ରତି ବର୍ଷ ପଞ୍ଚାୟତିରାଜ ଦିବସ ଭୁବନେଶ୍ବରରେ ପାଳନ କରାଯାଉଥିଲା। କିନ୍ତୁ ଚଳିତ ବର୍ଷ ବ୍ଲକ ସ୍ତରରେ ଏହି ଦିବସ ପାଳନ କରାଯାଇଛି। ନିଆରା ଢଙ୍ଗରେ ନବୀନ ତୃଣମୂଳ ସ୍ତରର ପ୍ରତିନିଧିଙ୍କ ସହ କଥା ହୋଇଛନ୍ତି। ପ୍ରାୟ ୧୦ ମିନିଟ ଲେଖାଏଁ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ପ୍ରତିନିଧିଙ୍କ କଥା ମନଦେଇ ଶୁଣିଥିଲେ।

ପଞ୍ଚାୟତିରାଜ ବିଭାଗ ପକ୍ଷରୁ କୁହାଯାଇଛି, “ମୁଖ୍ୟମନ୍ତ୍ରୀ ପଞ୍ଚାୟତ ସ୍ତରର ଲୋକଙ୍କ ସହ ଯୋଡ଼ି ହେବା ପାଇଁ ଚାହୁଁଛନ୍ତି। ଯେଉଁ ପଞ୍ଚାୟତ ଭଲ କାମ କରୁଥିବ ଏବଂ ସରକାରଙ୍କ ଉନ୍ନୟନ ମୂଳକ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିଥିବେ ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରତି ସପ୍ତାହରେ ଯୋଡ଼ା ଯିବ। ମୁଖ୍ୟମନ୍ତ୍ରୀ ସେମାନଙ୍କ କଥା ଶୁଣିବେ।”

ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି ବିରୋଧୀ।

କଂଗ୍ରେସ ମୁଖପାତ୍ର ଡକ୍ଟର ବିଶ୍ବରଞ୍ଜନ ମହାନ୍ତି କହିଛନ୍ତି, “ସମ୍ବିଧାନ ସଂଶୋଧନର ୨୫ ବର୍ଷ ପରେ ଏପର୍ଯ୍ୟନ୍ତ ପଞ୍ଚାୟତକୁ କ୍ଷମତା ହସ୍ତାନ୍ତର କରାଯାଇନି। କ୍ଷମତା ବିକେନ୍ଦ୍ରୀକରଣ କ’ଣ ହେବ କ୍ଷମତା ସଙ୍କୁଚିତ ହେଉଛି। ଅଫିସରମାନଙ୍କ ହାତରେ କ୍ଷମତା ରହିଛି। ୧୮ ବର୍ଷର ଶାସନ ପରେ ମୁଖ୍ୟମନ୍ତ୍ରୀ ଆମ ଗାଁ ବିକାଶ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା କିପରି ତୃଣମୂଳ ସ୍ତରର ଲୋକଙ୍କ ପାଖରେ ପହଞ୍ଚିବ ସେ ନେଇ ସରକାର ନୀତି ନିର୍ଦ୍ଧାରଣ କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ ଲୋକଦେଖାଣିଆ।”

ବିଜେପି ଉପ-ସଭାପତି ସମୀର ମହାନ୍ତି କହିଛନ୍ତି, “ମୁଖ୍ୟମନ୍ତ୍ରୀ କେବଳ ପ୍ରଚାରରେ ବିଶ୍ୱାସ କରନ୍ତି। ବିକାଶର ମିଛ ପ୍ରତିଶ୍ରୁତି ଦେଇ ରାଜ୍ୟବାସୀଙ୍କୁ ପ୍ରତାରଣା ଦେବାରେ ମୁଖ୍ୟମନ୍ତ୍ରୀ ସମସ୍ତ ସୀମା ଉଲ୍ଲଂଘନ କରିଛନ୍ତି। ଗ୍ରାମାଞ୍ଚଳରେ ଅନେକ ସମସ୍ୟା ରହିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏସବୁ ସମାଧାନ କରିବାରେ ବିଫଳ ହୋଇଛନ୍ତି। ଆମ ଗାଁ, ଆମ ବିକାଶ ଯୋଜନା କେବଳ ପ୍ରଚାର ସର୍ବସ୍ୱ।”

Comment