ଓଡ଼ିଶାଲାଇଭ୍ ବ୍ୟୁରୋ
ପାର୍ସଲ ବୋମା ବିସ୍ଫୋରଣରେ ପାଟଣାଗଡ଼ର ନବବିବାହିତ ଦମ୍ପତ୍ତିଙ୍କ ସୁନାର ସଂସାର ଉଜୁଡ଼ି ଯାଇଛି। ବୋମା କେଉଁଠୁ ଏବଂ କିଏ ପଠାଇଲା ତାକୁ ନେଇ ପୋଲିସ ଖୋଳତାଡ଼ କରୁଥିବା ବେଳେ ସୋମବାର ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ସୌମ୍ୟ-ରିନାଙ୍କ ନିର୍ବନ୍ଧ ପୂର୍ବରୁ ସୌମ୍ୟଙ୍କୁ ଜଣେ ଅଜଣା ବ୍ୟକ୍ତି ଫୋନରେ ଧମକ ଦେଇଥିବା ପୋଲିସ ଜାଣିବା ପରେ ତଦନ୍ତ ଜୋରଦାର କରିଛି।
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଟୁଇଷ୍ଟ ଆସିଛି। ସୌମ୍ୟଶେଖର ଏବଂ ରିନାଙ୍କ ନିର୍ବନ୍ଧ ପୂର୍ବରୁ ଫୋନରେ ଏକ ଧମକ ଆସିଥିବା ପୋଲିସ ଜାଣିବାକୁ ପାଇଛି। ଏହି ସୂଚନା ସୌମ୍ୟଶେଖରଙ୍କ ଭଣଜା ପପୁ ପୋଲିସକୁ ଦେଇଛନ୍ତି। ରିନାଙ୍କୁ ବାହା ହେଲେ ପରିସ୍ଥିତି ଭଲ ହେବନି ବୋଲି ଫୋନରେ ଧମକ ଦିଆଯାଇଥିଲା।
ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ତନାଘନା କରିଛି। ଫୋନ୍ କିଏ ଏବଂ କେଉଁଠୁ କରିଥିଲା ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଏହି ଘଟଣା ପଛରେ ଏକ ତରଫା ପ୍ରେମ ଥାଇପାରେ ବୋଲି ପୋଲିସ ଅନୁମାନ କରୁଛି।
ଏହି ଘଟଣାରେ ବଲାଙ୍ଗିର ପୋଲିସ ବୌଦ୍ଧ ଅଞ୍ଚଳରୁ ଦୁଇ ଜଣ ଯୁବକଙ୍କୁ ରବିବାର ଅଟକ ରଖିଛି। ପାର୍ସଲ ବୋମା ବିସ୍ଫୋରଣରେ ଏହି ଦୁଇ ଯୁବକଙ୍କ ହାତ ଥାଇପାରେ ପୋଲିସ ସନ୍ଦେହ କରୁଛି।
ଦୁଇ ଦିନ ତଳେ ପୋଲିସ କଟକ ଏସ୍ସିବି ମେଡିକାଲରେ ଚିକିତ୍ସାଧୀନ ସୌମ୍ୟଶେଖରଙ୍କ ସ୍ତ୍ରୀ ରିନାଙ୍କ ବୟାନ ରେକର୍ଡ କରିଛି। ଜଣେ ବିଚାରପତିଙ୍କ ଉପସ୍ଥିତିରେ ସିଆର୍ପିସି ଧାରା ୧୬୧ରେ ବୟାନ ରେକର୍ଡ କରାଯାଇଛି। ରିନା ଏବେ ଏସ୍ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି।
ଫେବ୍ରୁଆରି ୧୮ରେ ସୌମ୍ୟଶେଖର ଏବଂ ରିନାଙ୍କ ବିବାହ ହୋଇଥିଲା। ୨୨ ତାରିଖରେ ରିସେପସନ୍ ଶେଷ ହେବା ପରେ ୨୩ ତାରିଖରେ ବାହାଘରରେ ମିଳିଥିବା ଗିଫ୍ଟ ଖୋଲା ଯାଇଥିଲା। ସେହିଦିନ ପାର୍ସଲରେ ଏକ ଗିଫ୍ଟ ଆସିଥିଲା। ଏହି ଗିଫ୍ଟକୁ ଖୋଲିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା। ଫଳରେ ନବବିହିତ ସୌମ୍ୟଶେଖରଙ୍କ ସମେତ ରିନା ଏବଂ ତାଙ୍କ ଜେଜେମା ଜେମାମଣି ଗୁରୁତର ଆହତ ହୋଇଥିଲେ।
ମେଡିକାଲରେ ପ୍ରଥମେ ଜେମାମଣିଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ସମୟ ପରେ ସୌମ୍ୟଶେଖର ମଧ୍ୟ ଆଖି ବୁଜିଥିଲେ। ରିନା ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି।