ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଗ୍ରୀଷ୍ମପ୍ରବାହରେ ଯେପରି ଧନଜୀବନ ବିପର୍ଯ୍ୟସ୍ତ ନ ହୁଏ, ଜନସାଧାରଣ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେ ବିଷୟରେ ଆଲୋଚନା କରି ଜିଲ୍ଲାପାଳ ଗ୍ରାମ୍ୟ ଜଳଯୋଗାଣ, ଜନସ୍ୱାସ୍ଥ୍ୟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପରିବହନ ବିଭାଗ, ରାଜସ୍ୱ ବିଭାଗକୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି।
ଖରାଦିନେ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ବିଡିଓମାନେ ନିଜ ନିଜ ବ୍ଲକ ଅଂଚଳର ଜନଗହଳି ସ୍ଥାନ ଚିହ୍ନଟ କରି ଏ ଦିଗରେ ପଦକ୍ଷେପ ନେବେ। ସେହିପରି ସହରାଂଚଳଗୁଡିକ ପାଇଁ ନିର୍ବାହୀ ଅଧିକାରୀମାନଙ୍କୁ ତା’ର ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଗାଈ, ଗୋରୁ ତଥା ଅନ୍ୟାନ୍ୟ ପାଳିତ ପଶୁପକ୍ଷୀମାନଙ୍କ ପାଇଁ ଚହଳା ତଥା ନଳକୂପଗୁଡିକ ନିକଟରେ ବୋହିଯାଉଥିବା ଜଳ ସଂରକ୍ଷଣ କରିବା ପାଇଁ କୁହାଯାଇଛି।
ସେହିପରି ବନଖଣ୍ଡ ଅଧିକାରୀଙ୍କୁ ସଂରକ୍ଷିତ ଜଙ୍ଗଲ ଅଂଚଳରେ କ୍ଷୁଦ୍ର ଜଳାଶୟ ସୃଷ୍ଟି କରିବା ପାଇଁ କୁହାଯାଇଛି। ଏଥିପାଇଁ ଆବଶ୍ୟକସ୍ଥଳେ ସ୍ୱୟଂସେବୀ ଅନୁଷ୍ଠାନମାନଙ୍କୁ ମଧ୍ୟ ସାମିଲ ପାଇଁ ପରାମର୍ଶ ଦିଆଯାଇଛି। ପ୍ରଚଣ୍ଡ ରୌଦ୍ରରେ ଯେପରି ଯାନବାହାନରେ ଯାତ୍ରୀ ଯାତ୍ରା କରି ଅଂଶୁଘାତର ଶିକାର ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ଆଂଚଳିକ ପରିବହନ ଅଧିକାରୀଙ୍କୁ ବସଗୁଡିକର ସମୟ ସାରଣୀରେ ସାମାନ୍ୟ ପରିବର୍ତ୍ତନ କରିବାକୁ କୁହାଯାଇଛି। ସ୍କୁଲ, କଲେଜ ସକାଳୁଆ କରିବା ସହ କଳକାରଖାନାର ଶ୍ରମିକଙ୍କ କାର୍ଯ୍ୟ ସମୟ ପରିବର୍ତ୍ତନ ପାଇଁ ପଦକ୍ଷେପ ନେବାକୁ ଡିଏଲଓଙ୍କୁ କୁହାଯାଇଛି। ଗ୍ରାମାଂଚଳରେ ଥିବା ଅଚଳ ନଳକୂପଗୁଡିକୁ ହାଇଡ୍ରୋଫାକଚର କରି ଅଧିକ ଜଳ ଅମଳ କରିବା ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ପାଇଁ ଆଗୁଆ ଭାବେ ବରାଦ କରିବାକୁ ବିଡିଓମାନଙ୍କୁ କୁହାଯାଇଛି।
ପଞ୍ଚାୟତ ଅଧିନରେ କାର୍ଯ୍ୟ କରୁଥିବା ଆତ୍ମନିଯୁକ୍ତ କାରିଗରମାନଙ୍କୁ ନଳକୂପ ମରାମତି କାର୍ଯ୍ୟରେ ନିୟୋଜନ କରିବାକୁ କୁହାଯାଇଛି। ଏଥି ସହ ପ୍ରତି ବ୍ଲକରେ ନିୟନ୍ତ୍ରଣ କକ୍ଷ ସ୍ଥାପନ କରି ଏକ ସ୍ଥାୟୀ ଯୋଗାଯୋଗ ନମ୍ବର ଜନସାଧାରଣଙ୍କୁ ଜଣାଇଲେ ଆବଶ୍ୟକସ୍ଥଳେ ନିୟନ୍ତ୍ରଣ କକ୍ଷ ସହ ଲୋକେ ଯୋଗାଯୋଗ କରି ଜଳ ସମସ୍ୟାଜନିତ ଅଭିଯୋଗ କରିପାରିବେ ବୋଲି ପରାମର୍ଶ ଦିଆଯାଇଛି। ଅଂଶୁଘାତ ମୃତ୍ୟୁ ଘଟଣାର ତଦନ୍ତ ଯୁଗ୍ମ ଭାବେ ତହସିଲଦାର ଓ ମେଡିକାଲ ଅଫିସରଙ୍କ ଦ୍ୱାରା କରାଯାଇ ତାହାର ଅନୁସନ୍ଧାନ ରିପୋର୍ଟ ଜିଲ୍ଲାପାଳଙ୍କୁ ୨୪ ଘଂଟା ମଧ୍ୟରେ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ମାର୍ଚ୍ଚ ୧୫ରୁ ଜିଲ୍ଲାସ୍ତରୀୟ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକାରୀ ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯଥେଷ୍ଟ ପରିମାଣରେ ଓଆରଏସ, ଔଷଧ ମହଜୁଦ ରଖିବା ସଚେତନତା ସୃଷ୍ଟି ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମାନସ ରଂଜନ ପାଢୀ, ବାଲେଶ୍ୱର ଉପଜିଲ୍ଲାପାଳ ଭବତାରଣ ସାହୁ, ନୀଳଗିରି ଉପଜିଲ୍ଲାପାଳ ଅବୋଲି ଏସ ନରଅଣେ, ଡି.ଏଫ୍.ଓ. ବିଶ୍ୱରାଜ ପଣ୍ଡାଙ୍କ ସମେତ ବିଭିନ୍ନ ବ୍ଲକର ବି.ଡି.ଓ, ତହସିଲଦାର ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।


















