ଓଡ଼ିଶାଲାଇଭ୍‌ ବ୍ୟୁରୋ

ମନରେ ଆଗ୍ରହ ଓ ନିଷ୍ଠା ଥିଲେ ଯେ କୌଣସି ବ୍ୟକ୍ତି ସଫଳତାର ଶୀର୍ଷକୁ ଯାଇଥାଏ। ଏହାକୁ ପ୍ରମାଣିତ କରିଛନ୍ତି ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ।  ସ୍ୱୟଂସେବକ ଭାବେ ରାଜନୀତି ଆରମ୍ଭ କରିଥିବା ବିପ୍ଲବ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ରହିବା ପରେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ତ୍ରିପୁରାରେ ୨୫ ବର୍ଷର ବାମ ଦୁର୍ଗର ପତ୍ତନ ଘଟିଛି। ଆଇପିଏଫ୍‌ଟି ସହ ମିଶି ବିଜେପି ଆଜି ସରକାର ଗଠନ କରିଛି। ତ୍ରିପୁରାର ୧୦ମ ମୁଖ୍ୟମନ୍ତ୍ରୀ ଭାବେ ବିପ୍ଲବ କୁମାର ଦେବ ଶପଥ ଗ୍ରହଣ କରିଛନ୍ତି।  ଏହାକୁ ନେଇ ତ୍ରିପୁରାରେ ଦଳୀୟ କର୍ମକର୍ତ୍ତା ଉତ୍ସବ ମନାଇଛନ୍ତି। ନିର୍ବାଚନରେ ବିଜେପି ଯେଉଁ ସଫଳତା ହାସଲ କରିଛି ତାହା ବିପ୍ଲବଙ୍କ ପ୍ରଚାର ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ତ୍ରିପୁରାରେ ଆଲୋଚନା ଚାଲିଛି।

୨୫ ବର୍ଷର ବାମ ଗଡ଼କୁ ଭାଙ୍ଗିବାରେ ବିପ୍ଲବ ଗୁରୁ ଦାୟି୍ତ୍ୱ ବହନ କରିଥିଲେ। ଏବେ ବିପ୍ଲବଙ୍କୁ ନେଇ ସବୁଠି ଚର୍ଚ୍ଚା।

କିଏ ଏହି ବିପ୍ଲବ?

୪୮ ବର୍ଷିୟ ବିପ୍ଲବ ଦେବ ତ୍ରିପୁରାରୁ ତାଙ୍କ ରାଜନୀତି କ୍ୟାରିଅର ଆରମ୍ଭ କରି ନଥିଲେ। ସେ ଦିଲ୍ଲୀରୁ ହିଁ ରାଜନୀତି ଯାତ୍ରା କରିଥିଲେ। ଦିଲ୍ଲୀରେ ରହିବା ଭିତରେ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ସାମିଲ ହୋଇଥିଲେ। ପ୍ରଥମେ ସେ ସ୍ୱୟଂସେବକ ଭାବେ କାମ କରିଥିଲେ। ମନରେ ଥିବା ନିଷ୍ଠା ଏବଂ ରାଜନୀତିକ ଇଚ୍ଛାଶକ୍ତି ତାଙ୍କୁ ସଂଘରୁ ବିଜେପି ପର୍ଯ୍ୟନ୍ତ ଟାଣି ନେଇଥିଲା।

ବିଜେପିରେ ସକ୍ରିୟ ସଦସ୍ୟ ରହିଥିବା ବିପ୍ଲବ ପରେ ତ୍ରିପୁରା ଆସିଥିଲେ। ଏଠାରେ ସେ ସଙ୍ଗଠନ ତିଆରି କରି ବାମ ଶାସନର ଅନ୍ତ ଘଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ କଲେ। ବିପ୍ଲଙ୍କୁ ତ୍ରିପୁରା ବିଜେପିର ରାଜ୍ୟ ସଭାପତି କରାଯାଇଥିଲା।ଖୁବ୍ କମ୍ ଦିନରେ ବିପ୍ଲବ ତ୍ରିପୁରାରେ ବିଜେପି ସଙ୍ଗଠନ ମଜଭୁତ କରି ୨୫ ବର୍ଷର ବାମ ଦୁର୍ଗକୁ ଭାଙ୍ଗିବାରେ ସମର୍ଥ ହୋଇଛନ୍ତି।

ତ୍ରିପୁରାରେ ବାମ ଶାସନର ଅନ୍ତ ଘଟାଇବା ଏତେ ସହଜ ନଥିଲା। ପୂର୍ବରୁ ବହୁ ନେତା ମାଣିକ ସରକାରଙ୍କ ହାତରୁ କ୍ଷମତା ଛଡ଼ାଇ ଆଣିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ। କିନ୍ତୁ ଚଳିତ ନିର୍ବାଚନରେ ଯୁବନେତା ବିପ୍ଲବଙ୍କ କମାଲ୍ ଦେଖାଇଛନ୍ତି। ଗଣତାନ୍ତ୍ରିକ ପଦ୍ଧତିରେ ବାମ ଦଳ ଦୁର୍ଗର ପତ୍ତନ ଘଟାଇଛନ୍ତି।

ତ୍ରିପୁରାରୁ ଦିଲ୍ଲୀ ଯାତ୍ରା

୧୯୬୯ ନଭେମ୍ବର ୨୫ରେ ଦକ୍ଷିଣ ତ୍ରିପୁରାର ଉଦୟପୁରରେ ଜନ୍ମ ଗ୍ରହଣ କରିଥିଲେ ବିପ୍ଲବ କୁମାର ଦେବ। ୧୯୯୮ରେ ଗ୍ରାଜୁଏସନ ପାସ୍ କରିବା ପରେ ବିପ୍ଲବ ଦିଲ୍ଲୀ ଯାଇଥିଲେ। ସେଠାରେ ସେ ଆର୍‌ଏସ୍‌ଏସ୍‌ ନେତା ଗୋବିନ୍ଦ ଆଚାର୍ଯ୍ୟଙ୍କୁ ଭେଟିଥିଲେ। ବିପ୍ଲବଙ୍କୁ ସଂଘର ପ୍ରାଥମିକ ସଦସ୍ୟ ଭାବେ ଗ୍ରହଣ କରି ତାଙ୍କୁ ତାଲିମ୍ ଦେଇଥିଲେ ଶ୍ରୀ ଆଚାର୍ଯ୍ୟ।

୨୦୧୫ ପର୍ଯ୍ୟନ୍ତ ବିପ୍ଲବ ଦିଲ୍ଲୀରେ ରହିଥିଲେ। ବିଜେପିରେ ସାମିଲ ହେବା ପରେ ବିପ୍ଲବଙ୍କୁ ତ୍ରିପୁରା ପଠାଇଥିଲେ କେନ୍ଦ୍ର ବିଜେପି ନେତା। ୨୦୧୬ରେ ସେ ତ୍ରିପୁରାରେ ବିଜେପି ସଭାପତି ହୋଇଥିଲେ।

ତ୍ରିପୁରା ଆସିବା ପୂର୍ବରୁ ବିପ୍ଲବ ବିଜେପି ସାଂସଦ ଗଣେଣ ସିଂଙ୍କ ବ୍ୟକ୍ତିଗତ ସହାୟକ ରହିଥିଲେ। ଏହି ସମୟରେ ସେ ବିଭିନ୍ନ ଲୋକଙ୍କ ସହ ମିଶିବାର ସୁଯୋଗ ପାଇଥିଲେ। ଏହାସହ ସାଂସଦ ଗଣେଶ ସିଂଙ୍କ ନିର୍ବାଚନମଣ୍ଡଳୀ କଥା ମଧ୍ୟ ବିପ୍ଲବ ବୁଝାବୁଝି କରୁଥିଲେ। ଲୋକଙ୍କ ସହ ସମ୍ପର୍କ ରକ୍ଷା କରିବାରେ ବିପ୍ଲବ ମାହିର୍ ଥିଲେ।

Comment