ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବିରୋଧୀ ଦଳ ନେତାଙ୍କ ଘରେ ଏକାଠି ହେଲେ ବିଧାୟକ
  • ପ୍ରସାଦଙ୍କୁ ହଟାଇବାକୁ ଦାବି କଲେ
  • ପ୍ରସାଦ ନଗଲେ ଆମେ ଦଳ ଛାଡ଼ିବୁ କହିଲେ ବିଧାୟକ

୨୦୧୯ ପର୍ଯ୍ୟନ୍ତ ଓଡ଼ିଶାରେ ପିସିସି ସଭାପତି ପରିବର୍ତ୍ତନ ହେବ ନାହିଁ ବୋଲି ଏଆଇସିସି ପକ୍ଷରୁ କୁହାଯିବା ପରେ ଓଡ଼ିଶାରେ ଭିନ୍ନ ରାଜନୀତି ସୃଷ୍ଟି ହୋଇଛି। ପ୍ରସାଦ ହଟାଓ ଅଭିଯାନ ଜୋର୍ ଧରିଛି। ଏହି ସ୍ଲୋଗାନ୍ ଦେଇ ବିଧାୟକମାନେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ ମେଳି କରିଛନ୍ତି।

ପ୍ରସାଦଙ୍କୁ ସଭାପତି ପଦରୁ ନହଟାଇଲେ ଆମେ ଦଳ ଛାଡ଼ିବୁ ବୋଲି କଂଗ୍ରେସ ବିଧାୟକମାନେ ଚରମବାଣୀ ଶୁଣାଇଛନ୍ତି।

ବିଧାୟକ ତାରା ପ୍ରସାଦ ବାହିନୀପତି, ପ୍ରକାଶ ବେହେରା, ପ୍ରଫୁଲ୍ଲ ମାଝି ପ୍ରମୁଖ ଏକାଠି ହୋଇ ପ୍ରସାଦଙ୍କୁ ହଟାଇବା ପାଇଁ ଦାବି କରିଛନ୍ତି। ହେଲେ ଜ୍ୱାଇଁ ପ୍ରସାଦଙ୍କ ପାଇଁ ଓକିଲାତି କରିଛନ୍ତି ଶ୍ୱଶୁର ସୁର ରାଉତରାୟ। କହିଛନ୍ତି ଅନ୍ୟ ଦଳ ସହ ସମ୍ପର୍କ ରଖି ବିଧାୟକମାନେ ଏପରି କହୁଛନ୍ତି।

ବିଜେପୁର ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଅମାନତ ହାରିବା ପରେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲେ ପ୍ରସାଦ ହରିଚନ୍ଦନ। କିନ୍ତୁ ତାଙ୍କ ଇସ୍ତଫାକୁ ଗ୍ରହଣ କଲେନି ହାଇକମାଣ୍ଡ। ୨୦୧୯ ପର୍ଯ୍ୟନ୍ତ ପିସିସି ସଭାପତି ପରିବର୍ତ୍ତନ ହେବ ନାହିଁ ବୋଲି ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ଧ୍ୟା ମହାପାତ୍ର କହିବା ପରେ କଂଗ୍ରେସରେ ଆରମ୍ଭ ହୋଇଥିଲା କନ୍ଦଳ।

ସନ୍ଧ୍ୟା ମହାପାତ୍ରଙ୍କ ମନ୍ତବ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ ବରିଷ୍ଠ ନେତା ଶରତ ରାଉତ ଏବଂ ତାରା ପ୍ରସାଦ ବାହିନୀପତି। ହେଲେ ଏହାପରେ କଂଗ୍ରେସ ବିଧାୟକମାନେ ବିରୋଧୀ ଦଳ ନେତାଙ୍କ ବାସଭବନରେ ଏକାଠି ହୋଇ ପ୍ରସାଦ ହଟାଓ ଅଭିଯାନକୁ ଜୋରଦାର କରିବା ପରେ ଦଳର କନ୍ଦଳ ପୁଣି ପଦାରେ ପଡ଼ିଛି।

Comment