ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଝିଅ ଅର୍ପିତା ବେହେରା ‘ଲିଟିଲ ମିସ୍‌ ଗାଲାକ୍ସି ଓ୍ଵାର୍ଲଡ୍‌ ୨୦୧୮’ ବିବେଚିତ ହୋଇଛନ୍ତି। ବିଶ୍ୱର ବହୁ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଅର୍ପିତା ୧୨ରୁ ୧୪ ବର୍ଷ ବାଳିକା ବର୍ଗରେ ବିଜୟୀ ମୁକୁଟ ପିନ୍ଧିଛନ୍ତି।

ସମ୍ବଲପୁରର ଝିଅ ଅର୍ପିତା ବେହେରା ଲିଟିଲ ମିସ ୱାର୍ଲଡ ଟାଇଟଲ ହାସଲ କରି ସମ୍ବଲପୁର ସମେତ ସମଗ୍ର ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ବୁଲଗାରିଆରେ ଅନୁଷ୍ଠିତ ଏହି ଅନ୍ତର୍ଜାତୀୟ ଶିଶୁ ପ୍ରତିଭା ଓ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ‘ଲିଟିଲ୍‌ ମିସ୍‌ ଆଣ୍ଡ ମାଷ୍ଟର୍‌ ଗାଲାକ୍ସି ଓ୍ଵାର୍ଲଡ୍‌ ୨୦୧୮’ରେ ବିଶ୍ୱର ବହୁ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଅର୍ପିତା ୧୨ରୁ ୧୪ ବର୍ଷ ବାଳିକା ବର୍ଗରେ ବିଜୟୀ ମୁକୁଟ ପିନ୍ଧିଛନ୍ତି।

ଓଡ଼ିଶାର ସମ୍ବଲପୁର ସାକ୍ଷୀପଡ଼ାର ଫ୍ରିଲାନ୍ସ ଫଟୋଗ୍ରାଫର ରାଜେଶ କୁମାର ବେହେରା ଓ ଭିଏସ୍‌ଏସ୍‌ ଇଂରାଜୀ ମିଡିୟମ ସ୍କୁଲ ଶିକ୍ଷୟିତ୍ରୀ ବୀଣାକୁମାରୀ ବେହେରାଙ୍କ ଏକମାତ୍ର କନ୍ୟା ଅର୍ପିତା ଗତ ୨୦୧୨ ମସିହାରେ ‘ଲିଟିଲ ମିସ୍‌ ସମ୍ବଲପୁର’ ଟାଇଟଲ ଜିଣିଥିଲେ। ଗତ ବର୍ଷ ନଭେମ୍ବରରେ ସେ ‘ଲିଟିଲ ମିସ୍‌ ବେଙ୍ଗାଲୁରୁ’ ଟାଇଟଲ ମଧ୍ୟ ଜିଣିଥିଲେ।

ଏହା ପରେ ପରେ ମିସ ୱାର୍ଲଡ ପ୍ରତିଯୋଗିତା ହେବାରୁ ବେଙ୍ଗାଲୁରୁ ଆୟୋଜକମାନେ ଅର୍ପିତାଙ୍କ ଅଭିଭାବକଙ୍କୁ ସେଥିରେ ଭାଗ ନେବାକୁ ପରାମର୍ଶ ଦେଇଥିଲେ।

ଗତ ଡିସେମ୍ବର ୨୮ରେ ହାଇଦରାବାଦ ଓ ବିଶାଖାପାଟଣାରେ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଅର୍ପିତା ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହା ପରେ ୪ଟି ଗ୍ରୁପ୍‌ରେ ୨ ଜଣ ବାଳକ ଓ ୨ ଜଣ ବାଳିକା ବୁଲଗେରିଆରେ ଭାରତର ପ୍ରତିନିଧିତ୍ୱ କରିଥିଲେ।

ଏହି ଆନ୍ତର୍ଜାତିକ ପ୍ରତିଯୋଗିତାର ବିଭିନ୍ନ ରାଉଣ୍ଡରେ ଅର୍ପିତା ସଫଳତା ହାସଲ କରି ଫାଇନାଲ ରାଉଣ୍ଡରେ ପ୍ରବେଶ କରିଥିଲେ। ଅର୍ପିତା ଚୂଡ଼ାନ୍ତ ପର୍ୟ୍ୟାୟରେ ‘ଲିଟିଲ ମିସ୍‌ ୱାର୍ଲଡ’ ବିବେଚିତ ହୋଇଛନ୍ତି। ସମ୍ବଲପୁର ସେଣ୍ଟ ଯୋଶେଫ କନଭେଣ୍ଟ ସ୍କୁଲର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଅର୍ପିତାଙ୍କର ଫଟୋଗ୍ରାଫି ଓ ଚିତ୍ରାଙ୍କନରେ ମଧ୍ୟ ବିଶେଷ ପାରଦର୍ଶିତା ରହିଛି।

ଅର୍ପିତାଙ୍କ ଏହି ଉପଲବ୍ଧିରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଥିବା ତାଙ୍କ ବାପା ରାଜେଶ ଜଣାଇଛନ୍ତି। ଏବେ ଅର୍ପିତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି।

Comment