ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଟିଏ ପଟେ କଂଗ୍ରେସ ଦଳ ଭିତରେ ଅସନ୍ତୋଷ ଦିନକୁ ଦିନ ଘନୀଭୂତ ହେଉଥିବା ବେଳେ ହାଇକମାଣ୍ଡଙ୍କ ମତିଗତି ଦଳକୁ ଏକ ନିଶ୍ଚିତ ବିଲୁପ୍ତି ଆଡକୁ ଠେଲି ଦେଇଛି ଏଥିରେ ଆଦୌ ସନ୍ଦେହ ନାହିଁ।
ଦେଶର ସର୍ବପୁରାତନ ଦଳ କଂଗ୍ରେସର ୮୪ତମ ମହାଅଧିବେଶନ ନିକଟରେ ଦିଲ୍ଲୀରେ ଶେଷ ହୋଇଛି। ଏହି ପ୍ଲିନାରୀରେ ଯାହା ସବୁ ହେଲା ଅନେକେ ଦଳ ପାଇଁ ଏକ ଭଲ ସମୟ ବୋଲି କହିବା ଆରମ୍ଭ କରିଛନ୍ତି। ଏମିତି ବି ଯଦି ଦେଖାଯାଏ ରାହୁଲ ଗାନ୍ଧୀ ଦଳର ସଭାପତି ଭାବେ ନିର୍ବାଚିତ ହେବାପରେ ଜାତୀୟସ୍ତରରେ କଂଗ୍ରେସ ତାର ପୁରୁଣା ସମୟ ଫେରି ପାଉଥିବା ଲକ୍ଷ୍ୟ କରାଯାଇଛି।
ବିଭିନ୍ନ ଉପନିର୍ବାଚନରେ ଦଳର ସଫଳତା ଏହାର ପ୍ରମାଣ।କିନ୍ତୁ ଓଡିଶା କଥା ଯଦି ଦେଖାଯାଏ ମନେହେବ କଂଗ୍ରେସ ନିଜ ହାତରେ ନିଜେ ତାର କୋକେଇ ପ୍ରସ୍ତୁତ କରିବାକୁ ଆରମ୍ଭ କରିଛି।
ଲଗାତାର ତିନିଥର ଜିତିବା ପରେ ବିଜେପୁର ଉପନିର୍ବାଚନରେ ଦଳର ପରାଜୟରୁ ଅନୁମାନ କରିହେବ ଦଳ ଭିତରେ କଣ ଚାଲିଛି। ଦଳର ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ନିର୍ବାଚନ ପ୍ରଚାର ପର୍ଯ୍ୟନ୍ତ କଂଗ୍ରେସ ପୂରା ପଛରେ ପଡିଯାଇଥିଲା ଯାହାର ଫାଇଦା ଶାସକ ବିଜେଡି ନେଇପାରିଲା।
ବିଜେଡି କାହିଁକି ଏପରିକି ବିଜେପି ମଧ୍ୟ ବିଜେପୁରରେ ଯେଉଁଭଳି ଧୂଆଁଧାର ଲଢ଼େଇ କଲା ତାହା କଂଗ୍ରେସକୁ ଓ ଦଳର ପ୍ରାର୍ଥୀଙ୍କୁ ଅସହାୟ ଅବସ୍ଥାରେ ପହଞ୍ଚାଇଦେଇଥିଲା।
ଯେଉଁମାନେ ବିଜେପୁରରେ କଂଗ୍ରେସର ପ୍ରଚାର ଦେଖିଥିବେ ନିଶ୍ଚୟ ଏଥିରେ ଏକମତ ହେବେ ଯେ କଂଗ୍ରେସ ତୁଙ୍ଗ ନେତାମାନେ ଦେଢଶୁର -ଭାଇବୋହୁ ଭଳି ହେଉଥିଲେ ଓ ପ୍ରଣୟ ସାହୁଙ୍କୁ ଏକା ଏକା ନିର୍ବାଚନ ଲଢ଼ିବାକୁ ପଡିଥିଲା। ଖାଲି ସେତିକି ନୁହେଁ ସାହୁଙ୍କ ପାଖରେ ନିର୍ବାଚନ ଲଢ଼ିବା ପାଇଁ ଅର୍ଥ ବି ନଥିଲା।
ଅନ୍ୟ ଦୁଇ ଦଳ ବିଜେପୁରରେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଣୟ ସାହୁଙ୍କୁ ମାତ୍ର କେଇ ଲକ୍ଷ ଟଙ୍କା ମିଳିଥିଲା।ଅଭିଯୋଗ ହୋଇଛି ଯେ କଂଗ୍ରେସ ନିର୍ବାଚନ ପାଣ୍ଠିରୁ ୧୫ ଲକ୍ଷ ଆସିଥିଲେ ହେଁ ପ୍ରାଣୟଙ୍କ ହାତକୁ ମାତ୍ର ୪ ଲକ୍ଷ ଆସିଥିଲା। ତା’ସତ୍ତ୍ୱେ ସେ ଦଶ ହଜାର ଭୋଟ ପାଇଲେ ଏହା କିଛି କମ କଥା ନୁହେଁ।
ବିଜେପୁର ନିର୍ବାଚନରେ ଦଳ ହାରିବା ପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ବିରୋଧୀ ମାନେ ଆଶା ବାନ୍ଧି ବସିଥିଲେ ପ୍ରସାଦଙ୍କୁ ନିଶ୍ଚିତ ଭାବରେ ଦାୟିତ୍ଵରୁ ଅବ୍ୟାହତି ଦିଆଯିବ। କିନ୍ତୁ ସେଭଳି କିଛି ଘଟିଲା ନାହିଁ।ବରଂ ହାଇକମାଣ୍ଡଙ୍କ ନିର୍ଦେଶ ଆସିଲା ପ୍ରସାଦ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ନିଜ ଦାୟିତ୍ୱରେ ରହିବେ।କଥା ସେତିକିରେ ଶେଷ ହୋଇନଥିଲା,ଯେଉଁମାନେ ପ୍ରସାଦଙ୍କୁ ବରାବର ବିରୋଧ କରି ଆସିଥିଲେ ଏଆଇସିସି ତାଲିକାରୁ ସେମାନଙ୍କ ନାମ ହଟାଇଦିଆଯାଥିଲା,ଯେଉଁ ତାଲିକାରେ କି ପ୍ରସାଦଙ୍କ ନଅ ଜଣ ବିଧାୟକ ଓ କଟ୍ଟର ବିରୋଧୀ ଅଛନ୍ତି।
ଗୋଟିଏ ପଟେ ଦଳ ଭିତରେ ଅସନ୍ତୋଷ ଦିନକୁ ଦିନ ଘନୀଭୂତ ହେଉଥିବା ବେଳେ କଂଗ୍ରେସ ହାଇକମାଣ୍ଡଙ୍କ ମତିଗତି ଦଳକୁ ଏକ ନିଶ୍ଚିତ ବିଲୁପ୍ତି ଆଡକୁ ଠେଲି ଦେଇଛି ଏଥିରେ ଆଦୌ ସନ୍ଦେହ ନାହିଁ। ରାଜନୈତିକ ଟିପ୍ପଣୀକାରଙ୍କ ମତରେ ପିସିସି ସଭାପତି ଭାବେ ହରିଚନ୍ଦନଙ୍କୁ ଯେତେ ଦିନ ହାଇକମାଣ୍ଡ ରଖି ଚାଲିବେ ଦଳର ସେତିକି କ୍ଷତି ହେବ। ଏହି ଆଲୋଚନା ମଧ୍ୟ ହେଉଛି ଯେ ବିଜେଡି ହାତରେ ରାଜ୍ୟ କଂଗ୍ରେସର ଭାଗ୍ୟକୁ ଟେକି ଦେବା ପଛରେ ଏକ ବଡ଼ ଉଦେଶ୍ୟ ଅଛି। ଗେମଟି ହେଉଛି ଯଦି ୨୦୧୯ ନିର୍ବାଚନରେ ଝୁଲା ପାର୍ଲାମେଣ୍ଟ ହୁଏ ଓ ସରକାର ଗଠନ କରିବା ସ୍ଥିତିରେ କଂଗ୍ରେସ ପହଞ୍ଚେ ତେବେ ବିଜେଡିର ସମର୍ଥନ ମଗାଯିବ।ଅବଶ୍ୟ ପରବର୍ତ୍ତୀ ନିର୍ବାଚନ ଯାଏଁ ଏହି ଭଳି ଅନେକ କାଳ୍ପନିକ କଥା ଚାଲୁ ରହିବ।ହେଲେ ଗୋଟିଏ କଥା ମନେ ରଖିବା ଉଚିତ ଯେ ପ୍ରସାଦ ହରିଚନ୍ଦନ ଦଳକୁ ସଜାଡ଼ିବାରେ ଓ ନେତା ମାନଙ୍କୁ ଏକାଠି ରଖିବାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି।
ଅବଶ୍ୟ ଏ କଥା ମଧ୍ୟ ସତ ଯେ ବର୍ତ୍ତମାନର ଘଡିସନ୍ଧି ମୁହୁର୍ତ୍ତରେ ହରିଚନ୍ଦନଙ୍କୁ ବଦଳାଇଲେ ବିଶେଷ କିଛି ଲାଭ ହେବ ନାହିଁ। କିନ୍ତୁ ଏ କଥା ସତ ଯେ ଯେତେଦିନ ଯାଏଁ ହରିଚନ୍ଦନ ଗାଦି ମାଡି ବସିଥିବେ ସେତେ ଦିନ ପର୍ଯ୍ୟନ୍ତ ଦଳ ମରଣ ମୁହଁକୁ ଠେଲି ହୋଇ ରହିଥିବ। ମନେପକାଇ ଦିଆଯାଇପାରେ ଯେ ଯେଉଁ ହରିଚନ୍ଦନ ପିସିସି ସଭାପତି ନିର୍ବାଚିତ ହେବାପରେ ଘୋଷଣା କରିଥିଲେ ‘ମୁଁ ନୁହେଁ ଆମେ ‘। ଦୁଇବର୍ଷ ଭିତରେ ଦଳର ସବୁ ବିଧାୟକ ତାଙ୍କ ତଣ୍ଟି ଧରି ବସିଛନ୍ତି। ଏଥିରୁ କଣ ବୁଝାଯିବ? ମଝିରେ ମଝିରେ ଶୁଣାଯାଉଛି ଯେ ଦଳର ବେଶ୍ କିଛି ବିଧାୟକ ଓ ବରିଷ୍ଠ ନେତା ବିଜେଡିକୁ ଯିବା ପାଇଁ ଗୋଡ଼ ଟେକି ବସିଛନ୍ତି।ଏହି କଳ୍ପନା ଜଳ୍ପନା ଓ ପ୍ରସାଦଙ୍କୁ ନେଇ ବିରୋଧୀ ଓ ହାଇକମାଣ୍ଡ ଙ୍କ ଭିତରେ ଛକାପଂଝା ନିଶ୍ଚିତ ଭାବରେ ଦଳ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ ଏଥିରେ ଦୁଇ ମତ ନାହିଁ।
ତୃଣମୂଳ ସ୍ତରରେ ଯେଉଁ କଂଗ୍ରେସ କର୍ମୀମାନେ ବର୍ଷ ବର୍ଷ ଧରି ଦଳକୁ ମୁଣ୍ଡେଇ ଚାଲିଛନ୍ତି ସେମାନଙ୍କ ପାଖକୁ କି ସନ୍ଦେଶ ଯିବ? ରାଜ୍ୟ କଂଗ୍ରେସର ଏହି ସ୍ଥିତି ପଛରେ ଗୋଟିଏ ବଡ଼ କାରଣ ହେଉଛି ହାଇକମାଣ୍ଡଙ୍କ ଉଦାସୀନତା। ଯଦି ନିର୍ବାଚିତ ବିଧାୟକଙ୍କ ସମେତ ଅନ୍ୟ ନେତା ମାନେ ଦେଖୁଛନ୍ତି ଯେ ଦଳର ଭବିଷ୍ୟତ ଅନିଶ୍ଚିତ ଓ ସେଥିପାଇଁ ନିଜ ରାସ୍ତା ନିଜକୁ ଦେଖିବାକୁ ପଡିବ ସେଥିରେ ସେମାନଙ୍କର ଭୁଲ କୋଉଠି ରହିଲା? ଆଉ ଆଗାମୀ ନିର୍ବାଚନ ପୂର୍ବରୁ ଯଦି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସବୁ କଂଗ୍ରେସ ଅସନ୍ତୁଷ୍ଟଙ୍କୁ ନେଇ ନିଜ ଦଳରେ ଥଇଥାନ କରନ୍ତି ସେଥିରେ ତାଙ୍କର ଅବା ଦୋଷ କଣ? ବିଜେପୁର ପରେ ଯାହା ଦେଖାଯାଉଛି ୨୦୧୯ରେ ଲଢ଼େଇଟି କେବଳ ବିଜେଡି ଓ ବିଜେପି ମଧ୍ୟରେ ହିଁ ସୀମିତ ରହିବ।
ଯଦି ତାହା ହୁଏ ଏହାର ବେଶି ଫାଇଦା ଉଠାଇବେ ନବୀନ ପଟ୍ଟନାୟକ।ଯେଉଁ କଂଗ୍ରେସ ଦଳ ଗୋଟିଏ ସମୟରେ ରାଜ୍ୟର ଏକ ପ୍ରମୁଖ ରାଜନୈତିକ ଶକ୍ତି ଥିଲା ତାହାର ଏହି ଗୁରୁତର ଅବସ୍ଥା ଦେଖିବା ପରେ ଗୋଟିଏ ଢଗ ମନକୁ ଆସୁଛି’କାହାକୁ କହିବା କପାଳରେ ସିନା ହାତ ମାରିବା’।








ଗୋଟିଏ ପଟେ କଂଗ୍ରେସ ଦଳ ଭିତରେ ଅସନ୍ତୋଷ ଦିନକୁ ଦିନ ଘନୀଭୂତ ହେଉଥିବା ବେଳେ ହାଇକମାଣ୍ଡଙ୍କ ମତିଗତି ଦଳକୁ ଏକ ନିଶ୍ଚିତ ବିଲୁପ୍ତି ଆଡକୁ ଠେଲି ଦେଇଛି ଏଥିରେ ଆଦୌ ସନ୍ଦେହ ନାହିଁ।








