ଓଡ଼ିଶାଲାଇଭ୍ ବ୍ୟୁରୋ
ଫେସବୁକ୍ କମେଣ୍ଟ ବକ୍ସରେ ‘ବିଏଫ୍ଏଫ୍’ ଲେଖିବାକୁ ଗୁଜବ କହିଛି ‘ଟେକ୍ ନ୍ୟାଭ’ ୱେବସାଇଟ୍। ଯେଉଁମାନେ ଏହି ମେସେଜକୁ କମେଣ୍ଟ ବକ୍ସରେ ଟାଇପ୍ କରୁଛନ୍ତି ସେମାନେ ଏଥିରୁ ଦୂରେଇ ରହିବାକୁ ଏହି ସଂସ୍ଥା ପକ୍ଷରୁ କୁହାଯାଇଛି।
ଆପଣ ଫେସବୁକ୍ କମେଣ୍ଟ ବକ୍ସରେ ଅନ୍ୟମାନଙ୍କ ଭଳି ‘ବିଏଫ୍ଏଫ୍’ ଲେଖିଛନ୍ତି? ଏହା ଲେଖିବା ମାତ୍ରେ ଆପଣଙ୍କ ମେସେଜ ସବୁଜ ରଙ୍ଗର ହୋଇ ଯାଇଛି? ଏହି ମେସେଜ ଲେଖିବା ଦ୍ୱାରା ଆପଣଙ୍କ ଫେସବୁକ ଆକାଉଣ୍ଟ ପୂରା ସୁରକ୍ଷିତ ହୋଇଯିବ ବୋଲି ଭାବୁଛନ୍ତି କି? ଯଦି ସେମିତି କିଛି ଭାବୁଛନ୍ତି ତାହାଲେ ଏହି ଭାବନାକୁ ପ୍ରଥମେ ଦୂର କରନ୍ତୁ। କାରଣ ଏପ୍ରିଲ ପହିଲା ପୁର୍ବରୁ ବୋକା ବନାଇବା ପାଇଁ କିଛି ଲୋକ ଫେସ୍ବୁକ୍ରେ ଏଭଳି ମେସେଜ ଛାଡ଼ିଛନ୍ତି।
କିଛିଦିନ ଧରି ଫେସବୁକରେ ଗୋଟେ ପୋଷ୍ଟ ଭାଇରାଲ ହୋଇଛି। ଏହି ପୋଷ୍ଟରେ ଉଲ୍ଲେଖ ରହିଛି ଯେ ଫେସ୍ବୁକ୍ ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ‘ବିଏଫ୍ଏଫ୍’ ଲେଖିବାକୁ ପଡ଼ିବ। ଲେଖିବାମାତ୍ରେ ମେସେଜ ଯଦି ସବୁଜ ରଂଗର ହୋଇ ଯାଉଛି, ତାହାଲେ ଆପଣଙ୍କ ଆକାଉଣ୍ଟ ନିରାପଦ ରହିଛି। ଆଉ ଯଦି ସବୁଜ ହେଉନାହିଁ ତେବେ ଆପଣଙ୍କୁ ଆପଣଙ୍କ ଫେସବୁକ ଆକାଉଣ୍ଟର ପାସୱାର୍ଡ ବଦଳାଇବାକୁ ପଡ଼ିବ।
ହେଲେ ଏହାକୁ ଗୁଜବ ବୋଲି କହିଛି ‘ଟେକ୍ ନ୍ୟାଭ’ ନାମକ ଏକ ୱେବସାଇଟ୍। ଏହି ୱେବସାଇଟ୍ ପକ୍ଷରୁ କୁହାଯାଇଛି ଯେ ସାଇବର ସୁରକ୍ଷା ସଂକ୍ରାନ୍ତ ଏମିତି କିଛି ନୂଆ ନିୟମ ଫେସବୁକ ଆରମ୍ଭ କରିନାହିଁ। ପୋଷ୍ଟରେ ‘ବିଏଫ୍ଏଫ୍’ ଲେଖିବା ସହିତ ଆପଣଙ୍କ ଆକାଉଣ୍ଟ ହ୍ୟାକ୍ ହେବା ବା ପାସୱାଡ୍ ଚୋରି ହୋଇଯିବାର କୌଣସି ସମ୍ପର୍କ ନାହିଁ। ଫେସବୁକର ନିଜସ୍ୱ ୱେବସାଇଟରେ ମଧ୍ୟ ‘ବିଏଫ୍ଏଫ୍’କୁ ନେଇ କିଛି ଉଲ୍ଲେଖ କରାଯାଇ ନଥିବା ଏହି ସଂସ୍ଥା ଦାବି କରିଛି।
ଇତିମଧ୍ୟରେ ସାରା ପୃଥିବୀରେ କୋଟି କୋଟି ଫେସବୁକ ବ୍ୟବହାରକାରୀ ସେମାନଙ୍କ କମେଂଟ ବକ୍ସରେ ‘ବିଏଫ୍ଏଫ୍’ ଲେଖି ସାରିଛନ୍ତି। କମେଣ୍ଟ ସବୁଜ ରଙ୍ଗ ନହେବାରୁ ଅନେକ ସେମାନଙ୍କ ପାସୱାଡ୍ ପରିବର୍ତ୍ତନ ମଧ୍ୟ କରିସାରିଲେଣି। କିନ୍ତୁ ‘ଟେକ୍ ନ୍ୟାଭ୍’ ପକ୍ଷରୁ ଏହାକୁ ଗୁଜବ କୁହାଯିବା ପରେ ଅନେକ ବ୍ୟବହାରକାରୀ ଚିନ୍ତାରେ ପଡ଼ିଛନ୍ତି।
ଫେସ୍ବୁକରୁ ଡାଟା ଚୋରି ହେଉଥିବା ଅଭିଯୋଗ ଆସିବା ପରେ ବିବାଦୀୟ ହୋଇପଡ଼ିଥିଲା ଲୋକପ୍ରିୟ ସୋସିଆଲ ମିଡିଆ ଫେସ୍ବୁକ୍। ଏଥିପାଇଁ ଫେସ୍ବୁକ୍ ସିଇଓ ମାର୍କ ଜୁକେରବର୍ଗ କ୍ଷମା ମାଗି ସାରିଲେଣି। ଭୁଲ ସ୍ୱୀକାର କରି ଫେସବୁକ ୱାଲରେ ସେ ଏକ ଲମ୍ବା ପୋଷ୍ଟ ମଧ୍ୟ କରିଛନ୍ତି। କିନ୍ତୁ କଥା ସେତିକିରେ ଥମୁନାହିଁ। ଫେସବୁକ ଆକାଉଂଟ ଡିଲିଟ କରିବା ଲୋକେ ଆରମ୍ଭ କଲେଣି। ତେଣୁ ଅଯଥାରେ ଭୟଭୀତ ନହେବା ପାଇଁ ‘ଟେକ୍ ନ୍ୟାଭ୍’ ୱେବସାଇଟ୍ ପକ୍ଷରୁ ନିବେଦନ କରାଯାଇଛି।