ଗୀତା ଦାସ

ବୁଦ୍ଧି, ପ୍ରକୃତି, ଆବେଗ, ମନୋଭାବ ଓ ମୂଲ୍ୟବୋଧ ଏସବୁ ଦୃଷ୍ଟିରୁ ପ୍ରତିଟି ପିଲା ଅନ୍ୟ ଜଣଙ୍କଠାରୁ ନିଆରା

ପୁଅ ଓ ଝିଅମାନଙ୍କର ସ୍ଵଭାବରେ ଥିବା ପାର୍ଥକ୍ୟ ସହଜରେ ଆମ ଆଖିରେ ପଡ଼େ। ଏ ପାର୍ଥକ୍ୟ ସହଜାତ ନା ସଂସ୍କୃତିଜାତ ସେ ବିଷୟରେ ବହୁ ମତଭେଦ ମଧ୍ୟ ରହିଛି। କେତେକଙ୍କ ମତରେ ବହୁବର୍ଷ ଧରି ସମାଜରେ ପୁରୁଷ ଓ ସ୍ତ୍ରୀର ସ୍ଵତନ୍ତ୍ର ଭୂମିକା ରହିଥିବାରୁ ଆମେ ଜନ୍ମରୁ ଝିଅଠାରେ ପୁରୁଷ ସୁଲଭ ସ୍ଵଭାବ ଦେଖିଲେ ତା’ର ସଂଶୋଧନ କରିଥାଉ ଓ ସେହିପରି ପୁଅଠାରେ ସ୍ତ୍ରୀ ସୁଲଭ ସ୍ଵଭାବ ଦେଖିଲେ ତାକୁ ସେଥିରେ ନିବର୍ତ୍ତାଇଥାଉ।

ଯେମିତି ଝିଅଟି କାନ୍ଦିଲେ ସମସ୍ତେ ସହାନୁଭୂତି ଦେଖାନ୍ତି, ପୁଅଟି କାନ୍ଦିଲେ ତା’କୁ ମାଇଚିଆ କହି ଚିଡ଼ାନ୍ତି। ପୁଅ ଯଦି ମାଆପରି ଅଳତା କି ସିନ୍ଦୂର ପିନ୍ଧିବାକୁ ମନ କଲା ସମସ୍ତେ ତାକୁ ଥଟ୍ଟା କରି ହସିବେ। ଝିଅ ଯଦି ଜୋର୍ ଚାଲିଲା କିମ୍ବା ମାଡ଼ ମରାମରି କଲଶ ତା’ ହେଲେ ତାକୁ ‘ଅଣ୍ଡିରାଚଣ୍ଡୀ’, ‘ଉଦ୍ଦଣ୍ଡୀ’ ଇତ୍ୟାଦି କହି ସେଥିରୁ ତା’କୁ ନିବର୍ତ୍ତାଉ। ବିଶେଷକରି ଝିଅଠାରେ ଆକ୍ରମଣାତ୍ମକ ମନୋଭାବ, ବ୍ୟବହାର କିମ୍ବା କଥାବାର୍ତ୍ତା ଶୁଣିଲେ ସାଙ୍ଗେ ସାଙ୍ଗେ ସେଥିରୁ ବାଧା ଦେଉ। ସେହିପରି ଭାବପ୍ରବଣତାକୁ ମାନସିକ ଦୁର୍ବଳତାର ଚିହ୍ନ ବୋଲି ସମସ୍ତେ ଭାବିଥାଆନ୍ତି, ସେଥିଯୋଗୁଁ ପୁଅଠାରେ କାନ୍ଦିବା, ଡରିବା ଇତ୍ୟାଦି ସ୍ଵଭାବ ଦେଖିଲେ ଆମେ ତା’ର ସଂଶୋଧନ କରିବାକୁ ଚାହୁଁ। ସାଧାରଣତଃ ସ୍ତ୍ରୀଲୋକମାନେ ଘରକାମ କରୁଥିବାରୁ ସେମାନଙ୍କ ବୁଦ୍ଧି କମ୍ ବୋଲି ଆମେ ଭାବୁ, କିନ୍ତୁ ‘ସ୍ତ୍ରୀଲୋକ ବୋଲି ବୁଦ୍ଧି କମ୍’ ନା ‘ବୁଦ୍ଧି ପ୍ରକାଶ କରିବାର ସୁଯୋଗ ନ ଥିବାରୁ ବୁଦ୍ଧି କମ୍ ବୋଲି ଜଣାଯାଉଛି’ ଏକଥା ଠିକ୍‌ରେ ଜଣା ନାହିଁ। (ଅଧିକାଂଶ ପାଶ୍ଚାତ୍ୟ ଦେଶରେ ବୁଦ୍ଧି ପରୀକ୍ଷା କରି ଦେଖାଯାଇଛି ଯେ ପୁଅ ଓ ଝିଅ ଭିତରେ ବୁଦ୍ଧିରେ ତଫାତ୍‌ ନାହିଁ, ବରଂ ଜନ୍ମରୁ ପ୍ରଥମ ବାରବର୍ଷ ପର୍ଯ୍ୟନ୍ତ ଝିଅମାନଙ୍କର ଦୈହିକ ଓ  ମାନସିକ ବିକାଶ ଶ୍ରୀଘ୍ର ହେଉଥିବାରୁ ଏଇ ବୟସରେ ଝିଅମାନଙ୍କର ବୁଦ୍ଧି ବେଶି  ଥିବାର ଦେଖାଯାଏ।) ଏଇ ପାର୍ଥକ୍ୟ ସହଜାତ ହେଉ ବା ସଂସ୍କୃତିଜାତ ହେଉ ପୁଅ ଓ ଝିଅଙ୍କ ଭିତରେ ପାର୍ଥକ୍ୟ ରହିଛି। ତେଣୁ ସମାଜରେ ସେମାନଙ୍କର ଭବିଷ୍ୟତ, ଭୂମିକା ଅନୁସାରେ ସେମାନଙ୍କର ବ୍ୟକ୍ତିତ୍ଵ ଭିନ୍ନ ଆଦର୍ଶ ଅନୁକରଣ କରି ପରସ୍ପରଠାରୁ ଭିନ୍ନ ଭାବରେ ବଢ଼ିଉଠେ।

ଲିଙ୍ଗଗତ ପାର୍ଥକ୍ୟ ଛଡ଼ା ପିଲାମାନଙ୍କଠାରେ ବୁଦ୍ଧି, ପ୍ରକୃତି, ଆବେଗ, ମନୋଭାବ ଓ ମୂଲ୍ୟବୋଧରେ ମଧ୍ୟ ତଫାତ୍ ଥିବାର ଦେଖାଯାଏ। ବ୍ୟକ୍ତିତ୍ଵର ବୈଶିଷ୍ଟ୍ୟ ଓ ସ୍ଵାତନ୍ତ୍ର୍ୟ ଏଇ ପ୍ରକାର ବ୍ୟକ୍ତିସୁଲଭ ପାର୍ଥକ୍ୟ ଦ୍ଵାରା ବହୁଳ ଭାବରେ ପ୍ରଭାବିତ ହୋଇଥାଏ। ଗୋଟିଏ ପରିବାର ମଧ୍ୟରେ ବଢ଼ି, ଏକା ମାଆ ପେଟରୁ ଜନ୍ମ ହେଇ ମଧ୍ୟ ଭାଇ ଭଉଣୀଙ୍କ ବ୍ୟକ୍ତିତ୍ଵରେ ଓ ପ୍ରତିକ୍ରିୟାରେ ଏହି କାରଣ ଯୋଗୁଁ ହିଁ ପାର୍ଥକ୍ୟ ଦେଖାଯାଇଥାଏ। ପିଲା ପ୍ରତି ଅନ୍ୟଲୋକର ପ୍ରତିକ୍ରିୟା ଏବଂ ଅନ୍ୟ ଲୋକର ଘଟଣା ବା ଅବସ୍ଥା ପ୍ରତି ପିଲାର ପ୍ରତିକ୍ରିୟାରେ ଏହି ବ୍ୟକ୍ତିସୁଲଭ ବୈଶିଷ୍ଟ୍ୟ ଦେଖାଯାଇଥାଏ।

ବୁଦ୍ଧି

ଯାହାର ବୁଦ୍ଧି ବେଶି, ସେ ପିଲା ପ୍ରତି ସମସ୍ତେ ଅଧିକା ନଜର ଦିଅନ୍ତି। କାରଣ ସେ ସବୁକଥା ଅନ୍ୟମାନଙ୍କ ଆଗରୁ କରିପାରେ, ନୂଆ କଥା ଶୀଘ୍ର ଶିଖିପାରେ ଏବଂ  ସ୍ଵଭାବତଃ ଚଞ୍ଚଳ ଓ ସକ୍ରିୟ ହେଇଥାଏ। ସବୁ ବିଷୟରେ ତା’ର ଆଗ୍ରହ ଓ କୌତୂହଳ ଥିବାରୁ ଯେ କୌଣସି ଜିନିଷ ତା’କୁ ଆଣିଦେଲେ ସେ ଖୁସି ହେଇ ଜିନିଷଟାକୁ ନିଏ, ଦେଖେ ଓ ବିଭିନ୍ନ ଭାବରେ ତା’କୁ ବ୍ୟବହାର କରି ନିଜ ପ୍ରତି ଅନ୍ୟ ଲୋକଙ୍କର ଆଗ୍ରହ ବଢ଼ାଏ। ତାହାର ଏଇପ୍ରକାର ଅନୁକୂଳ ପ୍ରତିକ୍ରିୟା ଯୋଗୁଁ ସମସ୍ତେ ତାକୁ ଭଲ ପାଆନ୍ତି। ଯାହାର ବୁଦ୍ଧି କମ୍‌ ସେ ସାଧାରଣତଃ ନିସ୍ତେଜ ହେଇ ପଡ଼ିରୁହେ, ପାଖକୁ ଗଲେ ଲୋକକୁ ଦେଖି ଚଞ୍ଚଳ ହୁଏନା, ହସେ ନା, ତେଣୁ ଭାଇ ଭଉଣୀ କି ଅନ୍ୟ ଲୋକ ତା’ ପାଖକୁ ବେଶି ଯାଆନ୍ତି ନାହିଁ। ମୂଳରୁ ତା’ ପ୍ରତି ଅନ୍ୟମାନଙ୍କର ବିରୂପ ମନୋଭାବ ଜନ୍ମେ। ପିଲାଟା କୌତୁକିଆ ନୁହଁ, ଘୁଙ୍ଗୁରାମୁହାଁ (ଏପରି ପିଲା ଅନ୍ୟମାନଙ୍କର ସଂସର୍ଗରେ ବେଶି ଆସିବା ଦରକାର। ବୁଦ୍ଧି କମ୍ ବୋଲି କିମ୍ବା ରୋଗଣା ହୋଇଥିବା ଯୋଗୁଁ ପିଲା ଯଦି ନିସ୍ତେଜ ଓ ନିଷ୍କ୍ରିୟ ହୋଇପଡ଼ିରୁହେ, ତେବେ ତା’ ପାଖରେ ବସି ତାକୁ ଖେଳନାଟିଏ ଧରିବାକୁ ଶିଖାଇବା, ତା’ ସାଙ୍ଗରେ କଥା କହିବା କଥା। ନ ହସୁଥିଲେ ହସିବାକୁ ଚେଷ୍ଟା କରିବା ଉଚିତ୍)।

ପ୍ରକୃତି

ପିଲାଙ୍କ ବ୍ୟବହାର ଲକ୍ଷ୍ୟ କଲେ ଦେଖାଯିବ ଯେ ଜନ୍ମରୁ ହିଁ କେତେ ପିଲା ଚଞ୍ଚଳ ଓ ସକ୍ରିୟ ଏବଂ କେତେକ ଶାନ୍ତ ଓ ନିଷ୍କ୍ରିୟ। ସେହିପରି ପିଲା ଗୁରୁଣ୍ଡିଲା ବେଳେ ତା’ ସାମ୍ନାରେ ତକିଆ ଥୋଇ ବାଡ଼ଟିଏ ପକାଇଲେ କେତେକ ପିଲା ରହିଯିବେ କିମ୍ବା ଫେରି ଆସିବେ ଓ  ଆଉ କେତେକ ପିଲା ତକିଆଟାକୁ ପେଲି ପେଲି ସାମ୍ନାକୁ ଯାଉଥିବେ। ବାଧା ଦେଖିଲେ ଶଙ୍କିଯିବା ଓ ପ୍ରତିବନ୍ଧକ ଦେଖିଲେ ଦୂର କରି ଆଗେଇଯିବା ଏଇ ଦୁଇ ପ୍ରକାର ପ୍ରତିକ୍ରିୟା ଅନୁସାରେ ପିଲଶଙ୍କୁ ଦୁଇ ଭାଗରେ ବିଭକ୍ତ କରି ହେବ। (ଯିଏ ଶଙ୍କି ଯାଉଛି ତାକୁ ଶିଖେଇଲେ ସେ ବାଧା ଦୂର କରି ଆଗେଇ ପାରିବ ଓ ଅନ୍ୟ ପିଲା ସାମ୍ନାରେ ବାକ୍ସଟାଏ ପରି ଓଜନିଆ ଜିନିଷ ଥୋଇଲେ ସେ ହତୋତ୍ସାହ ହୋଇ ଫେରିଆସିବ, ମାତ୍ର ଦେଖିବା କଥା ଯେ ଏକାପ୍ରକାର ଅବସ୍ଥାରେ ବାଧା ଦେଖି ଦିଓଟି ପିଲା କିପରି ବ୍ୟବହାର କରୁଛନ୍ତି।) ସେହିପରି ଜଣେ ପିଲା ମାଡ଼ିବସି ଆଉଜଣଙ୍କ ଥାଳିରୁ ଖାଇଯାଉଛି, ଅଥଚ ଆର ପିଲାଟି ତାକୁ ମନା ନ କରି ବସି କାନ୍ଦୁଛି, ଏହିପରି ପିଲାଙ୍କ ଭିତରେ ଯଥାକ୍ରମେ ଆକ୍ରମଣାତ୍ମକ ଓ ଭୀରୁ ସ୍ବଭାବ ମୂଳରୁ ଦେଖିବାକୁ ମିଳେ। ସେମିତି କିଏ ଚୁପ୍‌ଚାପ୍‌ ଏକୁଟିଆ ରହିବାକୁ ଭଲପାଏ ତ ଆଉ କିଏ ସାଙ୍ଗ ମେଳରେ ହଟଗୋଳ କରି ଖେଳିବାକୁ ଭଲପାଏ। ଏସବୁ ଗୁଣ କେତେକାଂଶରେ ଶାରୀରିକ ପାର୍ଥକ୍ୟ ଓ କେତେକାଂଶରେ ମାନସିକ ଭାବର ପାର୍ଥକ୍ୟ ଯୋଗୁଁ ହୋଇଥାଏ। (ଶାସ୍ତ୍ରରେ ମଧ୍ୟ ଯେତେବେଳେ ବ୍ୟକ୍ତିତ୍ଵର ପାର୍ଥକ୍ୟ କହିବାକୁ ଯାଇ ସାତ୍ତ୍ଵିକ, ରାଜସିକ ଓ ତାମସିକ ଗୁଣ କଥା କହିଥାଆନ୍ତି ସେମାନେ ଏହି ପ୍ରକାର ବ୍ୟକ୍ତିତ୍ଵରେ ଥିବା ଜଟିଳ ମୌଳିକ ପ୍ରକୃତିଗତ ପାର୍ଥକ୍ୟ କଥା କହିଛନ୍ତି।) ଏହି ପ୍ରକାର ଗୁଣଗତ ପାର୍ଥକ୍ୟ ଯୋଗୁଁ ଏକା ଅବସ୍ଥାରେ ଥାଇ ମଧ୍ୟ ବିଭିନ୍ନ ପିଲା ଭିନ୍ନ ଭିନ୍ନ ଭାବରେ ବ୍ୟବହାର କରିଥାଆନ୍ତି।

ଆବେଗ

ପିଲାକୁ ଟିକକ କଥାରେ ବାଧିଲେ ଆମେ ତା’କୁ ଅବିଗୁଣିଆ ବୋଲି କହୁ। କେହି ସାମାନ୍ୟ ଚିଡ଼ାଇଲେ ପିଲା ଚିଡିଗଲେ ତା’କୁ ଖଣ୍ଡିଗୁଣିଆ କହୁ। ସାମାନ୍ୟ ଅସୁବିଧା ହେଲା କିମ୍ବା କିଏ ଯଦି ନାପସନ୍ଦ କରି କଥା କହିଲା ତା’ ହେଲେ ପିଲା କାନ୍ଦିପକାଏ। ଝିଅଙ୍କ ଭିତରେ ଏହିପରି ‘ନାକକାନ୍ଦୁରୀ’ ସ୍ବଭାବ ବେଶି ଦେଖାଯାଏ। କିଏ ଟିକକ କଥାରେ ରୁଷେ, ଝୁମାଣି ହୁଏ। ଅଥଚ ଆଉ ଜଣେ ନ ଋଷି ପାଟିତୁଣ୍ଡ କରି ଆପତ୍ତି କରେ। କିଏ ଅଳ୍ପକରେ ରାଗି ପାଟିକରି ଘର କମ୍ପାଏ, କିଏ ବା ସହିଯାଏ। ଏହିପରି ପିଲାଙ୍କ ଭିତରେ ତିନି ଚାରି ବର୍ଷ ବୟସରେ ଆମେ ବିଭିନ୍ନ ପ୍ରକାର ଆବେଗପ୍ରବଣ ସ୍ଵଭାବ ଦେଖିଥାଉ। ଶିଶୁ ଅବସ୍ଥାରେ ଆବେଗପ୍ରବଣ ସ୍ଵଭାବ ଓ ପ୍ରକୃତି ଭିତରେ ବିଶେଷ ପାର୍ଥକ୍ୟ ନ ଥାଏ। ପ୍ରକୃତି ହେଲା ସ୍ଥାୟୀ ଭାବ, ଆବେଗପ୍ରବଣତା ହେଲା ଅସ୍ଥାୟୀ ଭାବ, ଅର୍ଥାତ୍ ପିଲା ବଢ଼ିଲେ ତା’ର ଆବେଗପ୍ରବଣ ସ୍ବଭାବରେ ବହୁ ପରିବର୍ତ୍ତନ ଘଟିଥାଏ, ପ୍ରକୃତି ବିଭିନ୍ନ ପ୍ରତିକ୍ରିୟାର ସମ୍ମିଳିତ ପ୍ରଭାବରେ ଗଢ଼ି ଉଠିଥିବାରୁ ପ୍ରକୃତିଗତ ପାର୍ଥକ୍ୟ ସ୍ଥାୟୀ ହୋଇଥାଏ। ମୂଳ ପ୍ରକୃତି – (୧) ସକ୍ରିୟ ଓ ଚଞ୍ଚଳ, ନିଷ୍କ୍ରିୟ ଓ ନିସ୍ତେଜ। (୨) କ୍ରୋଧ ଓ ଆକ୍ରମଣାତ୍ମକ- ଶଙ୍କିତ ଓ ଶାନ୍ତ। (୩) ଆନନ୍ଦିତ ଓ ପ୍ରସନ୍ନ- ଉଦ୍‌ବିଗ୍ନ ଓ କ୍ରନ୍ଦନଶୀଳ।

ପିଲା ବଡ଼ ହେଲେ ଆବେଗପ୍ରବଣ ସ୍ଵଭାବର ପରିବର୍ତ୍ତନ ଘଟେ ସତ, କିନ୍ତୁ କେତେଗୁଡ଼ାଏ ଢଙ୍ଗ ରହିଯାଏ। କେତେ ପିଲା ସବୁବେଳେ ହସଖୁସିରେ ରହନ୍ତି ଓ ଆଉ କେତେକ ପିଲାଙ୍କ ମିଜାଜରେ କ୍ଷଣକୁ କ୍ଷଣ ପରିବର୍ତ୍ତନ ଦେଖାଯାଏ। କେତେବେଳେ ହସୁଛି ତ କେତେବେଳେ ରୁଷୁଛି। ପୁଣି କେଉଁ କଥାରେ ସେ ହସିବ ଓ କ’ଣ କଲେ ରାଗିବ ବା କାନ୍ଦିବ ସେକଥା ଘର ଲୋକେ ଠିକ୍‌ରେ ଜାଣିପାରନ୍ତି ନାହିଁ। ସେହିପରି ଯିଏ ଟିକକ କଥାରେ କାନ୍ଦେ ବଡ଼ ହେଲା ପରେ ମଧ୍ୟ ତା’ର ସେଇ ଢଙ୍ଗ ରହିଯାଏ। କାରଣ ଶାରୀରିକ କ୍ରିୟାର ପାର୍ଥକ୍ୟ ଯୋଗୁଁ ଅନେକାଂଶରେ ଆବେଗଗତ ପାର୍ଥକ୍ୟ ଦେଖାଯାଇଥାଏ।

ମନୋଭାବ

ପିଲାକୁ ପାଞ୍ଚ, ଛ ବର୍ଷ ବୟସ ହେଲା ପରେ ତା’ଠାରେ ସ୍ଥାୟୀ ମନୋଭାବର ଅଙ୍କୁର ଦେଖାଯାଏ। ଏଇ ମନୋଭାବ ବହୁ ଅଂଶରେ ଆବେଗ ଓ ପ୍ରକୃତିଗତ ପ୍ରତିକ୍ରିୟାରୁ ହିଁ ଜନ୍ମିଥାଏ, ମାତ୍ର ଅଭିଜ୍ଞତାର ପ୍ରଭାବ ମଧ୍ୟ ଏହା ଉପରେ ପଡ଼େ। ବାପାମାଆଙ୍କଠାରୁ ଯିଏ ଆଦର ଆଶ୍ଵାସନା ପାଇ ବଢ଼ିଛି, ଯାହାଠାରୁ ବାପା, ମାଆ ବୟସ ତୁଳନାରେ ଅଧିକା କଥା ଆଶା କରି ନାହାନ୍ତି, ସେ ପିଲା ସାଧାରଣତଃ ସୁଖୀ, ଆଶାବାଦୀ, ସ୍ନେହୀ ଓ ବନ୍ଧୁବତ୍ସଳ ହୁଏ। ଯିଏ ପିଲାଦିନରୁ ଉଦ୍‌ବିଗ୍ନ ସ୍ଵଭାବର (କାନ୍ଦିବା, ବ୍ୟସ୍ତ ହବା ଓ ମାଂସପେଶୀକୁ ଟାଣ କରି ରଖିବା ଏଗୁଡ଼ିକ ହେଲା ଉଦ୍‌ବେଗର ପ୍ରଧାନ ଲକ୍ଷଣ)। ସେ ସବୁବେଳେ ଖିନ୍ ଖିନ୍ ହେଉଥିବାରୁ ସେମିତି ପିଲାକୁ ନେଇ ବାପାମାଆ ନିଜେ ବ୍ୟସ୍ତ ହୋଇପଡ଼ନ୍ତି ଓ ପିଲାର ସ୍ଵଭାବ ଯୋଗୁଁ ସେ କମ୍ ଆଦର ସ୍ନେହ ପାଏ। ଏଥି ସହିତ ସ୍ଥାନ ପରିବର୍ତ୍ତନ ଫଳରେ ନୂଆ ଲୋକ ପାଖେ ରହିବା ଯୋଗୁଁ କିମ୍ବା ମା’ ପାଖରେ ବେଶି ସମୟ ନ ଥିଲେ ସେ ଆହୁରି ଚାପ ଅନୁଭବ କରି ଉଦ୍‌ବିଗ୍ନ ହୋଇ ଉଠେ। ଏମିତି ପିଲା ଟିକକ କଥାରେ ବ୍ୟସ୍ତ ହୋଇଯାଆନ୍ତି, ସହଜରେ ଡରନ୍ତି, ଏକୁଟିଆ ରହିବାକୁ ଭଲ ପାଆନ୍ତି, ସବୁବେଳେ ମୁହଁ ଶୁଖାନ୍ତି ଓ ଅଧିକାଂଶ ଜିନିଷ ବା ଘଟଣା ତାଙ୍କୁ ଭଲ ଲାଗେନି। ଏହିଭଳି (୧) ଆଶାବାଦୀ-ନିରାଶବାଦୀ ମନୋଭାବ, (୨) ବିଶ୍ଵାସୀ-ସନ୍ଦେହୀ, (୩) ସହାନୁଭୂତିଶୀଳ- ବିରୁଦ୍ଧ ମନୋଭାବ, ଏହିପରି ବିଭିନ୍ନ ପ୍ରକାର ମନୋଭାବ ଅନୁସାରେ ଆମେ ଅନ୍ୟ ପ୍ରତି ବ୍ୟବହାର କରୁ ଓ ଜୀବନରେ ସମସ୍ୟା ଦେଖାଦେଲେ ଏଡି ମନୋଭାବ ଅନୁସାରେ ଆମେ ତା’ର ସମାଧାନ କରୁ।

ମୂଲ୍ୟବୋଧ

ବୟସ୍କ ଲୋକର ଓ ଶିଶୁର ମୂଲ୍ୟବୋଧରେ ତଫାତ୍ ରହିଛି। ଉପରୋକ୍ତ ଅଧିକାଂଶ ବିଷୟ ବଡ଼ ମଣିଷର ବ୍ୟକ୍ତିତ୍ଵରେ ଦୃଢ଼ ଓ ସ୍ଥାୟୀଭାବ ରୂପେ ରହିଥାଏ ଏବଂ ତାହାର ଚିନ୍ତା, କଳ୍ପନା, ସ୍ମୃତି କାର୍ଯ୍ୟ ଏ ସବୁକୁ ପ୍ରଭାବିତ ଓ ନିୟନ୍ତ୍ରିତ କରେ। ଶିଶୁର ବ୍ୟକ୍ତିତ୍ଵ ଗଢ଼ି ଉଠୁଥିବାରୁ ଏ କୌଣସି ଭାବ ତା’ର ବ୍ୟକ୍ତିତ୍ଵର ସ୍ଥାୟୀ ଅଙ୍ଗ ହୋଇନଥାଏ। ବୁଦ୍ଧି, ପ୍ରକୃତି ଓ ଆବେଗ ଯେପରି ଶିଶୁର ଅନ୍ତର ଜଗତରୁ ଆସିଥାଏ ମନୋଭାବ, ମୂଲ୍ୟବୋଧ, ଆଦର୍ଶ ଏସବୁ ସମାଜର ବାହାର ଜଗତରୁ ଆସି କାଳକ୍ରମେ ଶିଶୁର ଅନ୍ତର ଜଗତର ଅଙ୍ଗ ହୋଇଉଠେ ଓ ପ୍ରକୃତି ଏବଂ ଆବେଗ ପରି ବ୍ୟକ୍ତିର ବ୍ୟବହାରକୁ ପ୍ରଭାବିତ କରେ।

ବାପା, ମା’ ଯେଉଁ ଜିନିଷକୁ ଭଲ କହି ଗୁରୁତ୍ବ ଦିଅନ୍ତି ପିଲା ମଧ୍ୟ ସେମାନଙ୍କୁ ଅନୁକରଣ କରି ସେଇ ଜିନିଷ ପ୍ରତି ଆକୃଷ୍ଟ ହୁଏ। ତେଣୁ ବାପା ମାଆ ନିରାମିଷାଶୀ ହୋଇଥିଲେ ପିଲା ମଧ୍ୟ ନିରାମିଷାଶୀ ହେବାକୁ ଚାହେଁ। ମାମୁଘରେ କି ମାଉସୀଘରେ ମାଛ ମାଂସ ଖାଇବାକୁ ହେଲେ, ଏଗୁଡ଼ା ଖାଇବା ଖରାପ କହି ଖାଇବାକୁ ମନାକରେ। (ଏହାର ଅର୍ଥ ନୁହେଁ ଯେ ସେ ଅହିଂସାରେ ବିଶ୍ଵାସ କରେ ଓ ଜୀବନଯାକ ସେ ଏହିପରି ରହିବ।) ସେହିପରି ମା’ ଯଦି  ବାରବ୍ରତ ଉପାସ କରୁଥାଆନ୍ତି ତେବେ ଝିଅମାନେ ଘରେ ବାରବ୍ରତ ଓପାସ ମା’ ସାଙ୍ଗରେ ମିଶି କରନ୍ତି। (ଏଥିରୁ ସେମାନେ ଧର୍ମପ୍ରବଣ ବୋଲି ଭାବିବା ଠିକ୍ ନୁହେଁ।) ବିଶେଷକରି ଆମ ଦେଶରେ ପରିବାରର ସମସ୍ତେ ଏକାପ୍ରକାରରେ ଚଳନ୍ତୁ ବୋଲି ବହୁତ ଜୋର୍ ଦିଆଯାଇଥାଏ। ଫଳରେ ପିଲା ନିର୍ବିଚାରରେ ବଡ଼ମଣିଷଙ୍କୁ ଅନୁକରଣ କରି ସେମାନଙ୍କ ପରି ବ୍ୟବହାର କରନ୍ତି। ବଡ଼ ହେଲେ ଘରୁ ଯାଇ  ଅନ୍ୟ ଜାଗାରେ ରହିଲେ ସେମାନଙ୍କର ମୂଲ୍ୟବୋଧରେ ବହୁ ପରିବର୍ତ୍ତନ ଦେଖାଯାଏ। ଭାବିଚିନ୍ତି ଯେଉଁ ଆଦର୍ଶ ଓ ମୂଲ୍ୟବୋଧକୁ ମଣିଷ ନିଜର ବୋଲି ଗ୍ରହଣ କରେ, ତାହାହିଁ ଜୀବନରେ ସ୍ଥାୟୀ ହୋଇ ରୁହେ। ପରିବାରର ଚାପାରେ ସେ ଯାହା କରୁଥାଏ, ପରିବାର ପ୍ରଭାବରୁ ବାହାରି ଗଲେ ସେ ମୂଲ୍ୟବୋଧ ଉଭେଇଯାଏ।

(ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଲେଖିକା। ଦୀର୍ଘ ବର୍ଷରୁ ସେ କାନାଡାର ଆଲବର୍ଟା ସହରରେ ରହୁଛନ୍ତି। ତାଙ୍କର ବିଭିନ୍ନ ଓଡ଼ିଆ ବହି ଭିତରେ ‘ଆଜିର ଶିଶୁ କାଲିର ମଣିଷ’ ଏକ ଲୋକପ୍ରିୟ କୃତି। ଏହି ପୁସ୍ତକର ବିଭିନ୍ନ ଭାଗ ବା ଅଂଶକୁ ସାଧାରଣରେ ପ୍ରକାଶିତ ଓ ପ୍ରସାରିତ କରିବା ଲାଗି ଲେଖିକା ଓଡ଼ିଶାଲାଇଭକୁ ସଦୟ ଅନୁମତି ପ୍ରଦାନ କରିଛନ୍ତି। -ସମ୍ପାଦକ)

LEAVE A REPLY

Please enter your comment!
Please enter your name here