ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନଶନରୁ ଓହରିଛନ୍ତି ବିଶିଷ୍ଟ ଗାନ୍ଧିବାଦୀ ନେତା ଆନ୍ନା ହଜାରେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଜୁସ୍‌ ପିଆଇ ଆନ୍ନାଙ୍କୁ ଅନଶନରୁ ଉଠାଇଛନ୍ତି।

ଅନଶନରୁ ଓହରିଲେ ବିଶିଷ୍ଟ ଗାନ୍ଧିବାଦୀ ନେତା ଆନ୍ନା ହଜାରେ। କୃଷକଙ୍କୁ ଉଚିତ୍ ମୂଲ୍ୟ ଏବଂ ଜନଲୋକପାଳ ବିଲ୍‌ ପାସ୍‌ କରିବା ଦାବିରେ ଆନ୍ନା ନୂଆଦିଲ୍ଲୀର ରାମଲୀଳା ମଇଦାନରେ ୭ ଦିନ ହେଲା ଅନଶନରେ ବସିଥିଲେ। ଗୁରୁବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଅନଶନସ୍ଥଳକୁ ଆସି ଆନ୍ନାଙ୍କୁ ଜୁସ୍ ପିଆଇ ଅନଶନ ଭାଙ୍ଗିଥିଲେ।

ସରକାର ସମସ୍ତ ଦାବି ପୂରଣ କରିଥିବା ଆନ୍ନାଙ୍କ ସମର୍ଥକମାନେ ସୂଚନା ଦେଇଛନ୍ତି।୨୩ ତାରିଖରୁ ଆନ୍ନା ଅନଶନ କରିଥିଲେ। ଗୁରୁବାର ତାଙ୍କ ଅନଶନକୁ ୭ ଦିନ ପୂରିଥିଲା।

ଆନ୍ନାଙ୍କ ସହଯୋଗୀ ଦତ୍ତା ଅବାରୀ କହିଛନ୍ତି, “ଅନଶନ ଯୋଗୁଁ ଆନ୍ନାଙ୍କ ଓଜନ ୫ କିଲୋଗ୍ରାମ ହ୍ରାସ ପାଇବା ସହ ରକ୍ତଚାପ ମଧ୍ୟ ହ୍ରାସ ପାଇଛି।”

ଅନଶନ ଉପରେ ଆନ୍ନା ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖିଛନ୍ତି। ସେ ଏଥିରେ ଦର୍ଶାଇଛନ୍ତି ଯେ ମୋ ବିଷୟରେ କିଛି ଲୋକ ଆଲୋଚନା କରୁଛନ୍ତି ଏବଂ ମୋତେ ବଦନାମ କରିବା ପାଇଁ ଉଦ୍ୟମ କରୁଛନ୍ତି।

“ମୁଁ ମୋ ଜୀବନରେ ବହୁତ ଆଲୋଚନା ଶୁଣିଛି। ମୋ ବିଷୟରେ ହେଉଥିବା ଅପଚର୍ଚ୍ଚାକୁ ସହିଛି। କିନ୍ତୁ ଏହି ଚର୍ଚ୍ଚାକୁ ମୁଁ ଭୟ କରିନି। ମୁଁ ମୋ ଜୀବନକୁ ଦେଶ ସେବାରେ ଉତ୍ସର୍ଗୀକୃତ କରିଛି। ମୋ ବିଷୟରେ ଆଲୋଚନା କରୁଥିବା ଲୋକ ମିଛ କହୁଥିବାରୁ ମୋତେ ଦୁଃଖ ଲାଗୁଛି”, ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଆନ୍ନା ହଜାରେ।

ଆନ୍ନା ହଜାରେ କ’ଣ ଦାବି କରିଥିଲେ?

-କୃଷକମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ଯେତିକି ମୂଲ୍ୟ ମିଳୁଛି ତାଠୁ ଅଧିକ ଦେଢ଼ଗୁଣା ମୂଲ୍ୟ ମିଳୁ।

-୬୦ ବର୍ଷରୁ ଅଧିକ ଚାଷୀଙ୍କ ମାସକୁ ୫ ହଜାର ଟଙ୍କାର ପେନସନ୍।

-ଲୋକପାଳ ବିଲ୍ ପାସ୍ କରାଯାଉ ଏବଂ ଲୋକପାଳ ଆଇନ୍ ତୁରନ୍ତ କାର୍ଯ୍ୟକାରୀ କରାଯାଉ।

-ଲୋକପାଳ ଆଇନକୁ ଦୁର୍ବଳ କରିବା ପାଇଁ ହେଉଥିବା ଧାରା ୪୪ ଏବଂ ଧାରା ୬୩ର ସଂଶୋଧନକୁ ବନ୍ଦ କରାଯାଉ।

-ପ୍ରତି ରାଜ୍ୟରେ ଦକ୍ଷ ଲୋକାୟୁକ୍ତ ନିଯୁକ୍ତ କରାଯାଉ।

Comment