ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ଐତିହାସିକସ୍ଥଳୀର ସୂଚନା ଉପଲବ୍ଧି କରିବା ପାଇଁ ଏକ ନୂଆ ପଦକ୍ଷେପ ନେଇଛନ୍ତି ବିଡିଏ କର୍ତ୍ତୃପକ୍ଷ। ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି(ସିଆଇଏସ-ଏ୨କେ)ର ମିଳିତ ଉଦ୍ୟମରେ ଯେତେସବୁ କୀର୍ତ୍ତିରାଜି ରହିଛି ତାହାର କ୍ୟୁଆର (କୁଇସିକ ରେସପନ୍ସ) କୋଡ଼ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ବିଭିନ୍ନ ପର୍ଯ୍ୟଟନ  ସ୍ଥାନରେ ଏହି କୋଡ଼କୁ ଟଙ୍ଗାଯିବ। ଏହା ଫଳରେ ପର୍ଯ୍ୟଟକମାନେ ସେଲ ଫୋନ ବା କ୍ୟାମେରାରେ ସେଗୁଡ଼ିକୁ ସ୍କାନ କରି ପାରିବେ।ସ୍କାନ କରିବା ପରେ ପର୍ଯ୍ୟଟକମାନେ ସେହି ନିର୍ଦ୍ଦିଷ୍ଟ କୀର୍ତ୍ତି ସମ୍ପର୍କରେ ସବୁ ତଥ୍ୟ ସଙ୍ଗେ ସଙ୍ଗେ ପାଇପାରିବେ। ଏହି ସୂଚନା ଓଡ଼ିଆ ଏବଂ ଇଂରାଜୀ ଭାଷାରେ ରହିବ।

ନିକଟରେ ଏକ ଏଡିଟ-ଏ-ଥନ(ମାରାଥନ ଅର୍ଥରେ)ଅନୁଷ୍ଠିତ ହୋଇଥିଲା ଯେଉଁଥିରେ  ଭୁବନେଶ୍ୱର ମନ୍ଦିରମାଳିନୀ ସହର ଉପରେ ୨୬ ଜଣ ସମ୍ପାଦକଙ୍କ ଠାରୁ ୧୩ଟି ଭାଷାରେ ୧୯୩ଟି ଲେଖା ବିଡିଏ ପାଇଥିଲା। ଏଡିଟ -ଏ -ଥନ ଏଭଳି ଏକ କାର୍ଯ୍ୟକ୍ରମ ଯେଉଁଥିରେ ଉଇକିପିଡ଼ିଆ ଭଳି  ଅନଲାଇନ ଗୋଷ୍ଠୀର ସମ୍ପାଦକମାନେ ଏକ ନିର୍ଦ୍ଦିଷ୍ଟ ବିଷୟ ବା ଲେଖାକୁ ସମ୍ପାଦନା କରିବା ସହ ଏହାକୁ ଅଧିକ ସମୃଦ୍ଧ କରିଥାନ୍ତି।

ସିଆଇଏସ-ଏ୨କେ ସହିତ ମିଶି ବିଡିଏ କିଛିଦିନ ତଳେ ରାଜଧାନୀର କୀର୍ତ୍ତିରାଜି ଉପରେ ଇଣ୍ଟରନେଟରେ ଅଧିକ ତଥ୍ୟ ପ୍ରଦାନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଏଥିରେ ଓଡ଼ିଆ ଭାଷାର ସମ୍ପାଦକମାନଙ୍କୁ ସାମିଲ କରାଯାଇଛି। ଉଦ୍ଦେଶ୍ୟ ହେଉଛି ସହରର ସମସ୍ତ ପର୍ଯ୍ୟଟନସ୍ଥଳୀଗୁଡ଼ିକ ସମ୍ବନ୍ଧରେ ସୂଚନା ଓ ତଥ୍ୟର ନବୀକରଣ କରିବା। ଆସନ୍ତା ଅଗଷ୍ଟ ମାସରେ ମୁଖ୍ୟ ଏଡିଟ ଏ ଥନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି।

୨୦୧୭ରେ ଭୁବନେଶ୍ୱରକୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବା ପରେ ସେମାନଙ୍କର କାମରେ ଲାଗିବା ଭଳି ତଥ୍ୟ ମିଳିବା ଦରକାର ବୋଲି ବିଡିଏ କର୍ତ୍ତୃପକ୍ଷ ଅନୁଭବ କରିଛନ୍ତି। ବିଡିଏର ଜଣେ ଅଧିକାରୀଙ୍କ ସହ ଆଲୋଚନା ବେଳେ ଜଣା ପଡ଼ିଛି ଯେ ଉଇକିପିଡ଼ିଆରେ ଅଧିକ ତଥ୍ୟ ମିଳିବା ପରେ ଭୁବନେଶ୍ୱରକୁ ପର୍ଯ୍ୟଟକଙ୍କ ସଂଖ୍ୟା ବେଶ୍ ବୃଦ୍ଧି ପାଇଛି।

ସ୍ମାର୍ଟସିଟିର ଅଂଶ ବିଶେଷ ଭାବେ ଜିଆଇଏସ ପ୍ଲାଟଫର୍ମରେ ଏକ ୱେବ ପୋର୍ଟାଲ ମଧ୍ୟ ବିଡିଏ ତିଆରି କରିଛି। ଏହାର ନାଁ ରଖାଯାଇଛି ‘ଭୁବନେଶ୍ୱର ୱାନ୍’। ଏଥିରେ ଭୁବନେଶ୍ୱର ସମ୍ପର୍କିତ ସବୁ ତଥ୍ୟ  ମିଳିପାରୁଛି।

Comment