ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସୁନା ସ୍ମଗ୍‌ଲରଙ୍କ ପେଣ୍ଠସ୍ଥଳୀ ପାଲଟିଛି ଭୁବନେଶ୍ୱର
  • ସପ୍ତାହରେ ୩ ଥର ଜବତ ହେଲାଣି ସୁନା
  • ମାର୍ଚ୍ଚ ୨୯ରେ ୧୫ଟି ସୁନା ବିସ୍କୁଟ ହୋଇଥିଲା ଜବତ
  • ମାର୍ଚ୍ଚ ୨୮ରେ ୩ ସୁନା ବିସ୍କୁଟ ସହ ୧୪୩ଟି ସୁନା ମୁଦି ଜବତ ହୋଇଥିଲା

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି। ବ୍ୟାଙ୍କକ୍‌ରୁ ଆସିଥିବା ଦୁଇ ଜଣ ଯାତ୍ରୀଙ୍କଠାରୁ ଏହି ସୁନା ଜବତ କରିଛି କଷ୍ଟମ ବିଭାଗ। ଜବତ ସୁନାର ପରିମାଣ ୪୦୦ ଗ୍ରାମ ଏବଂ ଏହାର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ବୋଲି କଷ୍ଟମ ବିଭାଗର ଅଧିକାରୀ କହିଛନ୍ତି।

ଶନିବାର ସକାଳ ୬ଟାରେ ବ୍ୟାଙ୍କକ୍‌ରୁ ଦୁଇ ଜଣ ଯାତ୍ରୀ ଏୟାର ଇଣ୍ଡିଆ ବିମାନରେ ଭୁବନେଶ୍ୱର ଆସିଥିଲେ। ରୂପା ପ୍ରଲେପ ଦେଇ ଏହି ଦୁଇ ଯାତ୍ରୀ ସୁନା ଆଣୁଥିଲେ। ଆଗୁଆ ଖବରପାଇ କଷ୍ଟମ ବିଭାଗର ଅଧିକାରୀ ବିମାନ ବନ୍ଦର ପରିସରରେ ଥିଲେ। ବ୍ୟାଙ୍କକ୍‌ରୁ ଆସିଥିବା ଦୁଇ ଜଣ ଯାତ୍ରୀ ଅଟକ ରଖି ଯାଞ୍ଚ କରିଥିଲେ। ଫଳରେ ସେମାନଙ୍କଠାରୁ ସୁନା ଜବତ କରିଥିଲା।

ଭୁ୍ବନେଶ୍ୱର ବିମାନ ବନ୍ଦରରୁ ଚଳିତ ସପ୍ତାହରେ ତିନି ଥର ସୁନା ଜବତ କରାଯାଇଛି। ମାର୍ଚ୍ଚ ୨୯ରେ ସୁନା ବିସ୍କୁଟ ଜବତ ହୋଇଥିବା ବେଳେ ମାର୍ଚ୍ଚ ୨୮ରେ ୩୭୮ ଗ୍ରାମର ସୁନା ଜବତ ହୋଇଥିଲା।

୨୯ ତାରିଖରେ ଜବତ ହୋଇଥିବା ସୁନା ବିସ୍କୁଟର ମୂଲ୍ୟ ୩୫ ଲକ୍ଷ ଟଙ୍କା। କ୍ବାଲାଲୁମ୍ପରରୁ ଆସିଥିବା ୨ ଜଣ ଯାତ୍ରୀଙ୍କଠାରୁ ୧୫ଟି ସୁନା ବିସ୍କୁଟ ଜବତ ହୋଇଥିଲା। ସୁନା ବିସ୍କୁଟର ଓଜନ ଥିଲା ୧ କେଜିରୁ ଅଧିକ। ୨୮ ତାରିଖରେ ମଧ୍ୟ ୩ଟି ସୁନା ବିସ୍କୁଟ ଏବଂ ୧୪୩ଟି ସୁନା ମୁଦି ଜବତ କରିଥିଲା କଷ୍ଟମ୍ସ ବିଭାଗ। ଏହାର ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା।

ବାରମ୍ବାର ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ଓ ସୁନା ବିସ୍କୁଟ ଜବତ ହେଉଥିବାରୁ ଏହା ପଛରେ ଏକ ବଡ଼ ରାକେଟ କାମ କରୁଥିବା ସନ୍ଦେହ କରାଯାଉଛି।

Comment