ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ଏମ୍ସରେ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି ସେମାନଙ୍କୁ ଓଡ଼ିଶା ସ୍ଥାନାନ୍ତର କରାଯାଇପାରେ ବୋଲି ଏମ୍ସ କର୍ତ୍ତୃପକ୍ଷ ଆଜି ଜାତୀୟ ମାନବାଧିକାର କମିଶନଙ୍କୁ ଜଣାଇଛନ୍ତି।

“କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆ ବିପଦମୁକ୍ତ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି। ସେମାନଙ୍କୁ କୌଣସି ସ୍ୱତନ୍ତ୍ର ଚିକିତ୍ସା ଆବଶ୍ୟକ ନାହିଁ। ଉଭୟଙ୍କୁ ଓଡ଼ିଶା ସ୍ଥାନାନ୍ତର କରିବାରେ କୌଣସି ଅସୁବିଧା ନାହିଁ”, ଜାତୀୟ ମାନବାଧିକାର କମିଶନଙ୍କ ନୋଟିସର ଉତ୍ତର ଦେଇ ଦିଲ୍ଲୀ ଏମ୍ସ ପକ୍ଷରୁ ଏହା କୁହାଯାଇଛି।

ଜଗା-କାଳିଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଥିବାରୁ ଉଭୟ ଶିଶୁ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଆସିବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଥିଲେ। ଆବଶ୍ୟକ ପଡ଼ିଲେ ଭୁବନେଶ୍ୱର ଏମ୍‌ସ କିମ୍ବା କଟକ ବଡ଼ ଡାକ୍ତରଖାନାରେ ତାଙ୍କୁ ଚିକିତ୍ସା କରାଯିବ ବୋଲି ସେ କହିଥିଲେ। ହେଲେ ଏହାକୁ ବିରୋଧ କରିଥିଲେ ସୁପ୍ରିମକୋର୍ଟ ଓକିଲ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ।

ଦିଲ୍ଲୀ ଏମ୍ସରେ ଜଗା-କାଳିଆଙ୍କ ଜଟିଳ ଅସ୍ତ୍ରୋପଚାର କରାଯାଇ ଉଭୟଙ୍କୁ ଅଲଗା କରାଯାଇଛି। ଓଡ଼ିଶାରେ ଚିକିତ୍ସାର ବିଶେଷ ସୁବିଧା ନଥିବାରୁ ସେମାନଙ୍କୁ ଦିଲ୍ଲୀ ଏମ୍ସରେ ରଖାଯାଉ ବୋଲି ରାଧାକାନ୍ତ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଏକ ପିଟିସନ ଦାୟର କରିଥିଲେ। ଜଗା-କାଳିଆଙ୍କ ସ୍ୱାସ୍ଥ୍ୟ କେମିତି ଅଛି ତାହା ଜାଣିବାକୁ ଚାହିଁଥିଲେ ଜାତୀୟ ମାନବାଧିକାର କମିଶନ।

ଦିଲ୍ଲୀ ଏମ୍ସ ପକ୍ଷରୁ ଆହୁରି କୁହାଯାଇଛି ଯେ ଜଗା-କାଳିଆଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି। ଶିଶୁ ରୋଗ, ଇଏନ୍‌ଟି ବିଭାଗ, ନ୍ୟୁରୋ ସାଇକୋଲୋଜିଷ୍ଟ ଏବଂ ନ୍ୟୁରୋସର୍ଜନ ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜଗା-କାଳିଆ ରହିଛନ୍ତି।

ଫେବ୍ରୁଆରି ୨୬ରେ ଓଡ଼ିଶାରୁ ଏକ ଡାକ୍ତରୀ ଦଳ ଦିଲ୍ଲୀ ଏମ୍ସ ଆସି ଜଗା-କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିଥିଲେ। ଏମ୍ସ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରି ଉଭୟଙ୍କୁ ଓଡ଼ିଶା ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ।

୨୦୧୭ ଅକ୍ଟୋବର ମାସରେ ଜଗା-କାଳିଆଙ୍କର ଜଟିଳ ଅସ୍ତ୍ରୋପଚାର କରାଯାଇଥିଲା। ପ୍ରାୟ ୨୧ ଘଣ୍ଟାର ଅପରେସନ୍ ପରେ ଉଭୟଙ୍କୁ ଅଲଗା କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୧ କୋଟି ଟଙ୍କାର ସହାୟତା ଦିଆଯାଇଥିଲା।

Comment